ବ୍ରହ୍ମପୁର: ଦୀର୍ଘ ୨୫ ବର୍ଷ ପରେ ଅଲିଭ ରିଡଲେଙ୍କୁ ଟ୍ୟାଗିଂ କରାଯାଉଛି। ଏହା ଦ୍ବାରା ଅଲିଭ ରିଡଲେଙ୍କ ଗତିବିଧି ଉପରେ ନଜର ରଖାଯାଇପାରିବ। ସମୁଦ୍ର ଭିତରେ ଅଲିଭ ରିଡଲେ କ’ଣ କରୁଛନ୍ତି, ଏବାବଦରେ ଜଣାପଡ଼ିବ। ବିଗତ ୨୫ ବର୍ଷ ପୂର୍ବରୁ ୧୯୯୪-୯୬ ମସିହାରେ ୮ ହଜାର ଅଲିଭ ରିଡଲେଙ୍କ ଶରୀରରେ ଟ୍ୟାଗ ଲଗାଯାଇଥିଲା। ଅଲିଭ ରି‌ଡଲେଙ୍କ ଶରୀରରେ ଟ୍ୟାଗ୍‌ ଲଗାଯାଉଛି। ଚଳିତ ଥର ୩୦ ହଜାର ଅଲିଭ ରିଡଲେଙ୍କ ଶରୀରରେ ଟ୍ୟାଗ୍‌ ଲଗାଯିବାର ଲକ୍ଷ୍ୟ ରଖାଯାଇଛି।

Advertisment

ଆଜି ଋଷିକୁଲ୍ୟା ମୁହାଣରେ ପୁଣି ଥରେ ବନ ବିଭାଗ ଓ ଜୁଲୋଜିକାଲ ‌ସର୍ଭେ ଅଫ ଇଣ୍ଡିଆର ମିଳିତ କ୍ରମରେ ଏହି କାମ ଆରମ୍ଭ ହୋଇଛି। ପ୍ରଥ‌ମ ଦିନରେ ଆଜି ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଓ ବନ ବିଭାଗର କର୍ମଚାରୀମାନେ ଏକ ସ୍ବତନ୍ତ୍ର ଡଙ୍ଗାରେ ସମୁଦ୍ର ମଧ୍ୟକୁ ଯାଇ ଜାଲ ମାଧ୍ୟମରେ ଅଲିଭ ରିଡଲେକୁ ଧରି ଶରୀରରେ ଟ୍ୟାଗ୍‌ ଲଗାଇଥିଲେ। ଆଜି ୬ଟି ଅଲିଭ ରିଡଲେ (୨ଟି ମାଈ ଓ ୪ଟି ଅଣ୍ଡିରା)ଙ୍କର ଶରୀରରେ ଟ୍ୟାଗ୍‌ ଲଗାଯାଇଛି। ଏହା ଦ୍ବାରା ସେମାନଙ୍କ ଉପରେ ଅଧିକ ଗବେଷଣା ଓ ଗତିବିଧି ଉପରେ ସବିଶେଷ ତଥ୍ୟ ହାସଲ କରାଯାଇପାରିବ। ଅଲିଭ ରିଡଲେଙ୍କ ଦେହରେ ଟ୍ୟାଗିଂ ଲଗାଇବାର ଦାୟିତ୍ବ ନେଇଛନ୍ତି ବ୍ରହ୍ମପୁର ଡିଏଫଓ ଅମ୍ଲାନ ନାୟକ, ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ବରିଷ୍ଠ ବୈଜ୍ଞାନିକ ଡ. ବସୁଦେବ ତ୍ରିପାଠୀ ଓ ଡ. ଅନିଲ ମହାପାତ୍ର।

publive-image

ଗତ ନଭେମ୍ଭର ମାସଠାରୁ ଅଲିଭ ରିଡଲେମାନଙ୍କ ସଂଗମ ଋତୁ ଆରମ୍ଭ ହୋଇଛି। ଏବେ ଲକ୍ଷ ଲକ୍ଷ ସଂଖ୍ୟାରେ ଅଲିଭ ରିଡଲେ ଆସି ଋଷିକୂଲ୍ୟା ମୁହାଣରେ ପହଂଚିସାରିଛନ୍ତି। ସବୁ ଅଲିଭ ରିଡଲେମାନେ ଏବେ ଭାସମାନ ଅବସ୍ଥାରେ ରହିଛନ୍ତି। ବିଶେଷ କରି ପ୍ରତିବର୍ଷ ଫେବ୍ରୁଆରି ୨ୟ ସପ୍ତାହରେ ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେମାନଙ୍କ ଗଣ ଅଣ୍ଡାଦାନ ହୋଇଥାଏ।