କୁଆରମୁଣ୍ଡା/ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ ପୈତୃକ ଗାଁ ଝୁନମୁରରେ ବୀରମିତ୍ରପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ୧୯ ତାରିଖ ରାତିରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନରେ ତାଙ୍କର ଦେହାନ୍ତ ହୋଇଥିଲା। ରବିବାର ସକାଳ ୯ଟାବେଳେ ସ୍ବର୍ଗତ ତିର୍କିଙ୍କ ମରଶରୀର ରାଉରକେଲା ସେକ୍ଟର-୧୭ ବାସଭବନରୁ ଏକ ଶୋଭାଯାତ୍ରାରେ ଜନ୍ମମାଟି ଅଭିମୁଖେ ବାହାରିଥିଲା। ଶୋଭାଯାତ୍ରା କୁଆରମୁଣ୍ଡା ଯମୁନାନାକି ଛକ, ବିଜେପି କାର୍ଯ୍ୟାଳୟ, ମସଜିଦ ଛକ, ବ୍ଲକ୍‌ ଲିଙ୍କ ରୋଡ୍‌ ହୋଇ କୁଆରମୁଣ୍ଡାରେ ଥିବା ତାଙ୍କ ବାସଭବନକୁ ଯାଇଥିଲା। ସେଠାରୁ ୧୪୩ ନମ୍ବର ଜାତୀୟ ରାଜପଥରେ କୁମଝରିଆ ପଞ୍ଚାୟତ କାର୍ଯ୍ୟାଳୟ ଓ ଜର୍ଜଙ୍କ ଦଳୀୟ କାର୍ଯ୍ୟାଳୟକୁ ଶୋଭାଯାତ୍ରା ଯାଇଥିଲା। ସକାଳ ୧୦ଟାବେଳେ ସ୍ବର୍ଗତ ତିର୍କିଙ୍କ ମରଶରୀର ବୀରମିତ୍ରପୁର ବିଜେଡି କାର୍ଯ୍ୟାଳୟରେ ପହଞ୍ଚିଥିଲା। ବୀରମିତ୍ରପୁର ବିର୍ସାମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡଠାରୁ ଏକ ବିରାଟ ଶୋଭାଯାତ୍ରାରେ ସ୍ବର୍ଗତ ତିର୍କିଙ୍କ ମରଶରୀର ରାଏବଗା ରୋଡ୍‌ରେ ଥିବା ବିଜେଡି କାର୍ଯ୍ୟାଳୟକୁ ନିଆଯାଇଥିଲା। ‘ଜର୍ଜ ତିର୍କି ଅମର ରହେ, ଯବ୍‌ ତକ୍‌ ସୂରଜ ଚାନ୍ଦ ରହେଗା, ଜର୍ଜ ତିର୍କି ତେରା ନାମ ରହେଗା’ ଧ୍ୱନିରେ କମ୍ପିଥିଲା ପୂରା ସହର।

Advertisment

ସେଠାରେ ବୀରମିତ୍ରପୁର ବିଧାୟକ ତଥା ସ୍ବର୍ଗତ ତିର୍କିଙ୍କ ପୁଅ ରୋହିତ ଯୋଶେଫ ତିର୍କିଙ୍କ ସହ ଜିଲ୍ଲାର ଅନ୍ୟତମ ଆଦିବାସୀ ନେତା ମଙ୍ଗଳା କିସାନ, ପୂର୍ବତନ ବିଧାୟକ ଶଙ୍କର ଓରାମ, ଶ୍ୟାମସୁନ୍ଦର ସାହୁ, ଜଗନ୍ନାଥ ସାହୁ, ଭୋଳାନାଥ ସାହୁ, ସମାଜସେବୀ ଜଗଦୀଶ ଅଗ୍ରୱାଲ, ବିଜେପି ନେତା ସୁନୀଲ ତିୱାରୀ, ଅଶୋକ ଗୋପ, ରୋହିତ ଦୀପ, ମାନସ ନନ୍ଦଙ୍କ ସମେତ ଅଞ୍ଚଳର ସବୁ ରାଜନୈତିକ ଦଳ ଓ ଜର୍ଜପ୍ରେମୀ ସ୍ବର୍ଗତ ତିର୍କିଙ୍କ ଶେଷଦର୍ଶନ କରିଥିଲେ। ରାଏବଗା ବାଟ ଦେଇ ସ୍ବର୍ଗତ ତିର୍କିଙ୍କ ମରଶରୀର ଝୁନମୁରରେ ପହଞ୍ଚିଥିଲା। ସେଠାରେ ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା ପରେ ପୈତୃକ ଗୃହକୁ ପାର୍ଥିବ ଶରୀର ନିଆଯାଇଥିଲା। ଏହାପରେ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏହି ସମୟରେ ତାଙ୍କ ପତ୍ନୀ, ଝିଅ, ୩ ପୁଅ, ଝାଡ଼ଖଣ୍ଡ ସିମଡେଗା ଓ କୋଲାବିରା ବିଧାୟକ, ବୀରମିତ୍ରପୁରର ପୂର୍ବତନ ବିଧାୟକ ରେମିଶ କେରକେଟା, ନୀହାର ସୁରିନ, କୁଆରମୁଣ୍ଡା ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର କୁଜୁର, ନେଭିଲ କେରକେଟା, କୁଆରମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋତି କେରକେଟାଙ୍କ ସମେତ ବୀରମିତ୍ରପୁର, କୁଆରମୁଣ୍ଡା, ରାଏବଗାର ବହୁ ଜନସାଧାରଣ ଉପସ୍ଥିତ ଥିଲେ। କବରସ୍ଥଳରେ ସ୍ୱର୍ଗତ ତିର୍କିଙ୍କୁ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା। ସୁନ୍ଦରଗଡ଼ ପୁଲିସ ଅଧୀକ୍ଷକ ଅମ୍ରିତପାଲ କୌର, ବୀରମିତ୍ରପୁର ଉପଖଣ୍ଡ ପୁଲିସ ଅଧିକାରୀ ସୁଶାନ୍ତ ଦାଶ, ବୀରମିତ୍ରପୁର ଥାନାଧିକାରୀ ରାମପ୍ରସାଦ ନାଗ, ରାଏବଗା ଥାନାଧିକାରୀ ପ୍ରଲ୍ଲାଦ କୁମାର ପ୍ରଧାନଙ୍କ ସହ ବହୁ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।