୨୭ରେ ଦୁଇ ଦିନିଆ ପୂର୍ବାଞ୍ଚଳ ଜେରିଆଟିକ୍ କର୍ମଶାଳା

ଭୁବନେଶ୍ବର : ଆସନ୍ତା ୨୭ ତାରିଖରୁ ଦୁଇଦିନ ବ୍ୟାପୀ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଆଞ୍ଚଳିକ ଜେରିଆଟିକ୍ କେନ୍ଦ୍ର ସମୂହର କର୍ମଶାଳା ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ସିକିମ୍, ଆଣ୍ଡାମାନ ଓ ନିକୋବାରର ଜେରିଆଟିକ୍ କେନ୍ଦ୍ର ଓ ରାଜ୍ୟସ୍ତରୀୟ ନୋଡାଲ ଅଧିକାରୀମାନେ ଯୋଗ ଦେବେ। ଏହି କର୍ମଶାଳାରେ ଆଞ୍ଚଳିକ ଜେରିଆଟିକ୍ କେନ୍ଦ୍ରଗୁଡ଼ିକର କାର୍ଯ୍ୟକାରିତା, ଆର୍ଥିକ ଅଗ୍ରଗତି ଆଦି ସଂପର୍କରେ ଆଲୋଚନା କରାଯିବ।

ଉଲ୍ଲେଖଯୋଗ୍ୟ, ଜେରିଆଟିକ୍ କେନ୍ଦ୍ରଗୁଡ଼ିକରେ ବୟସ୍କ ଲୋକମାନଙ୍କ ସ୍ବାସ୍ଥ୍ୟର ଯତ୍ନ ନିଆଯାଇଥାଏ। ଏଥିପାଇଁ ସ୍ବତନ୍ତ୍ର ଭାବେ ଚିକିତ୍ସକ ଓ ସେବିକାମାନେ ନିୟୋଜିତ ହୋଇଥାନ୍ତି। କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଆଞ୍ଚଳିକ ଜେରିଆଟିକ କେନ୍ଦ୍ର କାର୍ଯ୍ୟ କରୁଥିବା ବେଳେ ରାଜ୍ୟ ସରକାର ୩୦ଟି ଜିଲ୍ଲାକୁ ଏହାକୁ ସଂପ୍ରସାରିତ କରିଛନ୍ତି। ଏଥିରେ ୬୫ବର୍ଷରୁ ଅଧିକ ବ୍ୟକ୍ତିମାନଙ୍କ ପାଇଁ ସ୍ବତନ୍ତ୍ର ୱାର୍ଡ ଓ ବହିର୍ବିଭାଗ ବ୍ୟବସ୍ଥା ହୋଇଛି। ଅନୁଷ୍ଠିତ ହେବାକୁ ଥିବା କର୍ମଶାଳାରେ କେନ୍ଦ୍ର ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ, ସଂପୃକ୍ତ ରାଜ୍ୟଗୁଡ଼ିକର ଆଞ୍ଚଳିକ ଜେରିଆଟିକ୍ କେନ୍ଦ୍ରର ମୁଖ୍ୟଙ୍କ ସମେତ ରାଜ୍ୟ ନୋଡାଲ ଅଧିକାରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର