ଭୁବନେଶ୍ବର: ସ୍କିମେଟିକ୍‌ କର୍ମଚାରୀ ଓ ଶିକ୍ଷକଙ୍କୁ ସ୍ଥାୟୀ କରିବା ସହ ୨୦୧୩ ପୂର୍ବ ଶିକ୍ଷକ-କର୍ମଚାରୀଙ୍କ ଠିକା ସମୟକୁ ମୂଳ ଚାକିରିରେ ଗଣନା କରିବାକୁ ଦାବି କରିଛି ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ। ପ୍ରଶାସନକି ଷଡ଼ଯନ୍ତ୍ର କାରଣରୁ ଏହି କର୍ମଚାରୀମାନେ ନ୍ୟାୟ ପାଇପାରୁନାହାନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ଏହି ପ୍ରଶାସନିକ ଷଡ଼ଯନ୍ତ୍ରରୁ ବାହାରି ପଦକ୍ଷେପ ନେବା ପାଇଁ ମହାସଂଘ ଆହ୍ବାନ ଦେଇଛି।

Advertisment

ଲୋହିଆ ଏକାଡେମିରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମହାସଂଘ ପକ୍ଷରୁ କୁହାଯାଇଛି ଯେ ଗତବର୍ଷ ଅକ୍ଟୋବର ମାସରେ ରାଜ୍ୟ ସରକାର ରାଜ୍ୟରୁ ଠିକା ବା ଚୁକ୍ତି ଭିତ୍ତିକ ବ୍ୟବସ୍ଥ‌ା ପ୍ରତ୍ୟାହାର କରିବା ଦ୍ବାରା ରାଜ୍ୟର ୫୭ ହଜାର କର୍ମଚାରୀ ଓ ୧୫ ହଜାରରୁ ଉର୍ଦ୍ଧ୍ବ ହାଇସ୍କୁଲ ଶିକ୍ଷକ ସ୍ଥାୟୀ ହେବା ସହିତ ଚୁକ୍ତିଭିତ୍ତିକ ସମୟକୁ ମୂଳ ଚାକିରିରେ ଗଣନା କରି ୬ଟି ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ କରିଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ଘୋର ଆର୍ଥିକ ଦୂରାବସ୍ଥା ସମୟରେ ସରକାର ଇଚ୍ଛା ବିରୋଧରେ ଯାଇ ବାଧ୍ୟହୋଇ ଏଭଳି ବ୍ୟବସ୍ଥାକୁ ଗ୍ରହଣ କରିଥିଲେ। କିନ୍ତୁ ବର୍ତ୍ତମାନ ରାଜ୍ୟର ଦୃଢ଼ ଆର୍ଥିକ ସ୍ଥିତି ଓ ଆର୍ଥିକ ବଳକା ରାଜ୍ୟରେ ପରିଣତ ହୋଇଥିବାରୁ ସରକାର ସମୁଦାୟ ଓଡ଼ିଶାରୁ ଏହି କୁତ୍ସିତ ବ୍ୟବସ୍ଥାର ବିଲୋପ ଘଟାଇଥିଲେ। କିନ୍ତୁ ଦୁଃଖ ଓ ଦୁର୍ଭାଗ୍ୟର ବିଷୟ ଯେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ମଧ୍ୟ ରାଜ୍ୟରେ କାମ କରୁଥିବା ୮ ହଜାରରୁ ଅଧିକ ପ୍ରାଥମିକ ବିଦ୍ୟାଳୟର ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ, ବର୍ଷ ବର୍ଷ ଧରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ କାମ କରୁଥିବାର ଆରବିକେସ୍ ଆୟୁଷ ଡାକ୍ତର, ପିଟିଏସ୍, ପାରାମେଡିକାଲ୍ ଷ୍ଟାଫ, ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ (ମହିଳା ଓ ପୁରୁଷ) ଜାତି, ଜନଜାତି ବିଭାଗର ଏକଲବ୍ୟ ମଡେଲ୍ ଆବାସିକ ସ୍କୁଲ ଶିକ୍ଷକ, କର୍ମଚାରୀ, ପିଜି ଶିକ୍ଷକ, ମହିଳା ମେଟ୍ରୋନ୍ ଯୋଜନା ଓ ସମନ୍ୱୟ ବିଭାଗର ସବଜେକ୍ଟ ମ୍ୟାଟର ଏକ୍ସପର୍ଟ ଏବଂ ଶିଶୁ ଓ ମହିଳା ବିକାଶ ବିଭାଗର ଶିଶୁ ସୁରକ୍ଷା ଅଧିକାରୀ ଓ କର୍ମଚାରୀଙ୍କ ସମେତ ଅନେକ ବିଭାଗର କର୍ମଚାରୀ ଓ ଶିକ୍ଷକଙ୍କ ଚାକିରିକୁ ସ୍କିମେଟିକ୍ ଆଳରେ ସ୍ଥାୟୀ କରାଯାଉ ନାହିଁ। ଏହି ବର୍ଗର କର୍ମଚାରୀମାନେ ସ୍ୱଳ୍ପ ଦରମାରେ ଦୟନୀୟ ଆର୍ଥିକ ସ୍ଥିତି ମଧ୍ୟରେ ଚାକିରି କାଳ ପୂର୍ଣ କଲେଣି।

ସେହିପରି ୨୦୦୧ ମସିହା ପରେ ତଥା ୨୦୧୩ ମସିହା ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କର୍ମଚାରୀ, ଗଣଶିକ୍ଷା ବିଭାଗର ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷକ, ଯୋଜନା ଓ ସମନ୍ୱୟ ବିଭାଗର କର୍ମଚାରୀ, କୃଷି ବିଭାଗର ଗ୍ରାମ୍ୟ କୃଷି କର୍ମଚାରୀ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ସହକାରୀ ମତ୍ସ୍ୟ ଅଧିକାରୀ, ସମେତ ଅନେକ ବିଭାଗର କର୍ମଚାରୀଙ୍କ ଠିକା ଚାକିରୀ ସମୟକୁ ଗଣନା କରିବା ସହ ଇନ୍‌କ୍ରିମେଣ୍ଟ ପ୍ରଦାନ ନ କରିବା ଘଟଣା ପାଇଁ ଅସନ୍ତୋଷ ଦେଖାଦେଇଛି।

‌ତେଣୁ ତୁରନ୍ତ ସମସ୍ତ ସ୍କିମେଟିକ୍ ଶିକ୍ଷକ, ଡାକ୍ତର, ପାରାମେଡିକାଲ୍ ଷ୍ଟାଫ୍ ଓ ଅନ୍ୟ କର୍ମଚାରୀଙ୍କୁ ଅବିଳମ୍ବେ ସ୍ଥାୟୀ କରାଯାଉ ଏବଂ ୨୦୧୩ ନିୟମ ବାହାରେ ବା ପୂର୍ବରୁ ନିଯୁକ୍ତି ପାଇଥିବା ଶିକ୍ଷକ କର୍ମଚାରୀ ଡାକ୍ତର ଓ ପାରାମେଡିକାଲ୍ ଷ୍ଟାଫ୍‌ଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ସମୟକୁ ମୂଳ ଚାକିରୀ ସମୟ ଭାବେ ଗଣନା କରାଯାଉ। ନଚେତ୍‌ ଓଡ଼ିଶାରେ ଖୁବ୍ ଶୀଘ୍ର ଏକ ବୃହତ୍ ଗଣ ଆନ୍ଦୋଳନ ଗଢି ଉଠିବ ବୋଲି ମହାସଂଘର ସଭାପତି ବିଜୟ ମଲ୍ଲ, ମୁଖ୍ୟ ଉପଦେଷ୍ଟା ପ୍ରଭାତ ମହାନ୍ତି ପ୍ରମୁଖ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ମହାସଂଘର ସାଧାରଣ ସମ୍ପାଦକ କ୍ଷୀତିଶ ପଣ୍ଡା, ସଂଗଠନ ସମ୍ପାଦକ ପ୍ରଶାନ୍ତ ରାଉତରାୟ, ଶୁଭ୍ରଜିତ୍ ପ୍ରତିହାରୀ, ଅଶ୍ବିନୀ ସ୍ୱାଇଁ, ରାଜେନ୍ଦ୍ର ମଲ୍ଲିକ, ପ୍ରଦୀପ ପ୍ରଧାନ, ଦିନେଶ କୁମାର ପ୍ରଧାନ ଓ ଅମୀୟ ରଂଜନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।