ରାଉରକେଲା: ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ। ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ପର୍ଯ୍ୟଟକମାନଙ୍କ ଆଗମନ ଆରମ୍ଭ ହୋଇଛି। ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବାକୁ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରତିବର୍ଷ ଆୟୋଜନ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ। ଗତ କେଇ ବର୍ଷ ଧରି ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ଆରମ୍ଭ କରାଯାଉଛି ‘ଇକୋ -ରିଟ୍ରିଟ୍’ ବ୍ୟବସ୍ଥା। କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ ହେଉଛି। ଆଶାନୁରୂପକ ଫଳ ମିଳୁନି। ପର୍ଯ୍ୟଟନସ୍ଥଳୀର ବିକାଶ ହେଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ।
ରାଜ୍ୟର ଅର୍ଥନୈତିକ ସ୍ଥିତି ସୁଦୃଢ଼ ହେବ। ପର୍ଯ୍ୟଟନ ବିଭାଗର ଦୂରଦୃଷ୍ଟିର ଅଭାବରୁ ରାଜ୍ୟର ପ୍ରମୁଖ ସ୍ଥଳ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଛି। ହେଲେ ଏଗୁଡ଼ିକ ଭିତ୍ତିଭୂମିର ବିକାଶକୁ ସରକାର ପାସୋରି ଯାଇଛନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସୁନ୍ଦରଗଡ଼ ଜିଲ୍ଲାକୁ ଉଦାହରଣ ଭାବେ ନିଆଯାଇ ପାରେ। ଜିଲ୍ଲାରେ ଗୋଟିଏ କି ଦୁଇଟି ନୁହେଁ ୧୪ଟି ପ୍ରମୁଖ ସ୍ଥାନକୁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ମିଳିଛି। ପର୍ଯ୍ୟଟନସ୍ଥଳୀଗୁଡ଼ିକ ମଧ୍ୟରେ ରହିଛି ପ୍ରସିଦ୍ଧ ଶୈବପୀଠ ବେଦବ୍ୟାସ, ହେମଗିରିର ଜୁନାଗଡ, ଲେଫ୍ରିପଡା ବ୍ଲକର ଉଷାକୋଠୀ, ଦେଓଦରହ, ରାଜଗାଙ୍ଗପୁର ବ୍ଲକର ଘୋଘର ଧାମ, ମନ୍ଦିରା ଡ୍ୟାମ୍, ଲହୁଣିପଡା ବ୍ଲକର ଦର୍ଜି, ମିରିଗ୍ ଖୋଜ୍, ଟେନ୍ସା, ଲାଠିକଟା ବ୍ଲକର ପିତାମହଲ ଡ୍ୟାମ୍, ବଡଗାଁର ଛତ୍ରି ହିଲ୍, କୁଆରମୁଣ୍ଡା ବ୍ଲକର ଆମ୍କୋ ସିମ୍କୋ।
ପ୍ରତିବର୍ଷ ଏସବୁ ପର୍ଯ୍ୟଟନସ୍ଥଳୀକୁ ବୁଲି ଆସୁଥିବା ପର୍ଯ୍ୟଟକ ମୁହଁମୋଡି ଚାଲି ଯାଉଛନ୍ତି। କାରଣ ବର୍ଷ ବର୍ଷ ଧରି ଅଧାରୁ ଅଧିକ ପର୍ଯ୍ୟଟନସ୍ଥଳୀ ବିକାଶ ନାଁ ଗନ୍ଧ ଦେଖିନି। କେବେ ଦେଖିବ ଅଧିକାରୀଙ୍କ ପାଖରେ ଉତ୍ତର ନାହିଁ। ଦୀର୍ଘଦିନ ଦାବି ପରେ ଏବେ ରାଏବୋଗାର ଆମ୍ମୋ-ସିମ୍କୋ ପର୍ଯ୍ୟଟସ୍ଥଳୀର ବିକାଶମୂଳକ କାର୍ଯ୍ୟ ଚାଲିଛି। ତାହା ପୁଣି କେନ୍ଦ୍ର ପାଣ୍ଠିରୁ। ଗତ ୨୦୧୭ରେ ୨ କୋଟି ମଞ୍ଜୁର ହୋଇଥିଲା। ବିଭିନ୍ନ କାରଣରୁ ପାନପୋଷ ଆଇଟିଡିଏରେ ୪ ବର୍ଷ ଟଙ୍କା ପଡ଼ି ରହିଥିଲା। ବିଭିନ୍ନ ରାଜନୈତକ ଦଳର ହସ୍ତକ୍ଷେପ ପରେ ୨୦୨୧ରେ ଜାନୁଆରୀ ମାସରୁ କାମ ଆରମ୍ଭ ହୋଇଛି। ସେମିତି ବଣାଇ ବ୍ଲକ ଅନ୍ତର୍ଗତ ଖଣ୍ଡାଧାର ଜଳପ୍ରପାତ ବିକାଶ ପାଇଁ ଏବେ ୪ କୋଟି ଟଙ୍କା ମଞ୍ଜୁରି ହୋଇଛି।
ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ କାମ ଆରମ୍ଭ ହେବ କାହାକୁ ଜଣା ନାହିଁ। ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ନିରଞ୍ଜନ ମହାପାତ୍ର କହିଛନ୍ତି ଜିଲ୍ଲାର ଅନ୍ୟ ପର୍ଯ୍ୟଟନସ୍ଥଳୀଗୁଡ଼ିକ ବିକାଶମୂଳକ କାମ ପାଇଁ ଏଯାଏ କୌଣସି ପ୍ରସ୍ତାବ ଆମ ମାଖକୁ ଆସି ନାହିଁ। ଖଣ୍ଡାଧାର ଜଳପ୍ରପାତ ପାଇଁ ମିଳିଥିବା ୪ କୋଟିରେ ପର୍ଯ୍ୟଟନସ୍ଥଳୀର ଚତୁଃପାର୍ଶ୍ବର ଆଲୋକୀକରଣ କରାଯିବ। ଏଥିସହ ଶୌଚାଳୟ, ପାର୍କିଂସ୍ଥଳୀ, ଲାଇଫ୍ ସାଇଜ୍ (ବିଭିନ୍ନ ପ୍ରକାର ପଶୁପକ୍ଷୀ)ଙ୍କ ପ୍ରତିକୃତି ନିର୍ମାଣ ହେବ। ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବାକୁ ପ୍ରସ୍ତାବିତ ରୋପୱେ ବ୍ୟବସ୍ଥାକୁ ବାତିଲ କରାଯାଇଛି।
ଆଗାମୀ ଦିନରେ ପର୍ଯ୍ୟଟନ ବିଭାଗ ରୋପୱେ କରିବେ କି ନାହିଁ ଜଣାନାହିଁ ବୋଲି ସେ କହିଛନ୍ତି। ଅନୁରୂପ ଭାବେ ପିତାମହଲ ଡ୍ୟାମର କିଛିଟା ବିକାଶ ହୋଇଛି। ରକ୍ଷଣାବେକ୍ଷଣ ଅଭାବରୁ ତା’ ବି ଜରାଜୀର୍ଣ୍ଣ ହୋଇଗଲାଣି। ଏଠାରେ ପ୍ରସ୍ତାବିତ ବୋଟିଂ ବ୍ୟବସ୍ଥା ଆଜି ଯାଏ ସେମିତି ପ୍ରସ୍ତାବରେ ଅଟକିଛି। ବେଦବ୍ୟାସ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ ୧ କୋଟି ୨୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଛି। ହେଲେ ବେଦବ୍ୟାସ ଶୈବପୀଠ ବିକଶିତ ନ ହେଲା ପରି ଦେଖାଯାଉଛି। ଦର୍ଜିଂ, ଦେଓଦରହ, ଜୁନାଗଡ, ଉଷାକୋଠୀ, ଛତ୍ରୀହିଲ୍, ମନ୍ଦିରା ଡ୍ୟାମ୍ ଆଦିର ବିକାଶ ପାଇଁ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ୧ କୋଟିରୁ ଅଧିକ ଟଙ୍କା ପ୍ରସ୍ତାବ ଦିଆଯାଇଛି। ଯାହା ସେମିତି ପ୍ରସ୍ତାବରେ ଅଟକିଛି। ୭ ବିଧାୟକ ଓ ଜଣେ ସାଂସଦ ଥିବା ସତ୍ବେ ଜିଲ୍ଲାର ପର୍ଯ୍ୟଟନସ୍ଥଳୀଗୁଡ଼ିକ ବିକାଶ ଏତେଟା ଗୁରୁତ୍ବ ଦେଉ ନାହାନ୍ତି। ଫଳରେ ଜିଲ୍ଲାର ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବା ପରିବର୍ତ୍ତେ ବର୍ଷକୁ ବର୍ଷ ହ୍ରାସ ପାଉଛି।