ପୁରୀ: ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ ଓ ନୀତି ସବ୍କମିଟି ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମାର୍ଚ୍ଚ ୨୪ ତାରିଖ ଅଗ୍ନିଉତ୍ସବ(ମେଣ୍ଢାପୋଡ଼ି) ଓ ମାର୍ଚ୍ଚ ୨୫ ତାରିଖ ଦୋଳପୂର୍ଣ୍ଣିମା ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ଏଥିସହ ଦୋଳପୂର୍ଣ୍ଣିମାରେ ଠାକୁରଙ୍କ ଦୋଳବେଦି ନୀତିକାନ୍ତି ବି ଚୂଡ଼ାନ୍ତ ହୋଇଛି। ଦୋଳପୂର୍ଣ୍ଣିମାରେ ସକାଳ ୮ଟାର ନାଭିକଟା ମଣ୍ଡପକୁ ଦିଅଁ ବିଜେ କରିବା ପରେ ସକାଳ ୮ଟାରୁ ସାଢ଼େ ୯ଟା ଭିତରେ ରାଜାଧିରାଜ ବେଶ ବା ସୁନାବେଶ ହେବେ। ପରେ ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେବେ। ରାତି ୧୦ଟା ୩୫ରେ ବେଶ ଓଲାଗି ବା ମଇଲମ ହେବ।
ନିର୍ଘଣ୍ଟ ନୀତି ଅନୁଯାୟୀ, ଦୋଳପୂର୍ଣ୍ଣିମାରେ ରାତି ୩ଟାରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ। ୪ଟାରେ ମଙ୍ଗଳଆଳତି, ୭ଟା ୪୫ରେ ଭିତର ବେଢ଼ା ଶେଷ, ୮ଟାର ନାଭିକଟା ମଣ୍ଡପକୁ ଦିଅଁ ବିଜେ କରିବା ପରେ ସକାଳ ୮ଟାରୁ ସାଢ଼େ ୯ଟା ଭିତରେ ରାଜାଧିରାଜ ବେଶ ବା ସୁନାବେଶ ହେବେ। ପୂର୍ବାହ୍ନ ୧୦ଟାରେ ଦୋଳବିମାନକୁ ଦିଅଁ ବିଜେ, ସାଢ଼େ ୧୦ଟାରୁ ସାଢ଼େ ୧୧ଟା ବିମାନ ବେଢ଼ା, ୧୦ଟାରୁ ସାଢ଼େ ୧ଟା ଭିତରେ ଭୋଗମଣ୍ଡପ ନୀତି ଅନୁଷ୍ଠିତ ହେବ। ଦୋଳବେଦି ଉପର ନୀତି ଅନୁଯାୟୀ, ମଧ୍ୟାହ୍ନ ସାଢ଼େ ୧୨ଟାରେ ଦୋଳବେଦିକୁ ଠାକୁରଙ୍କ ବିମାନ ବିଜେ କରିବ। ୧୨ଟା ୪୫ରେ ବେଢ଼ା ଶେଷ ପରେ ୧୨ଟା ୫୦ରେ ଦୋଳିକୁ ଦିଅଁ ବିଜେ କରିବେ। ଅପରାହ୍ନ ୧ଟା ୧୦ରେ ମଇଲମ ଓ ମହାସ୍ନାନ ପରେ ୧ଟା ୨୦ରେ ବେଶ ଓ ଅନ୍ୟାନ୍ୟ ନୀତି ବଢ଼ିବ। ଅପରାହ୍ନ ସାଢ଼େ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭକ୍ତମାନେ ସାହାଣମେଲା ଦର୍ଶନ କରିପାରିବେ। ରାତି ୭ଟା ୪୦ରେ ଛେରା ପହଁରା ନୀତି, ୭ଟା ୪୫ରୁ ୭ଟା ୫୫ ଦୋଳବେଦି ଉପର ବେଢ଼ା, ୮ଟାରେ ବନ୍ଦାପନା ଓ ରାଜନୀତି, ୮ଟା ୫ରେ ବିମାନକୁ ଦିଅଁ ବିଜେ, ସାଢ଼େ ୮ଟାରେ ଦୋଳବେଦି ତଳ ବେଢ଼ା ଓ ଦିଅଁଙ୍କ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହେବ। ରାତି ୧୦ଟାରେ ବେଢ଼ା ଶେଷ, ୧୦ଟା ୧୫ରେ ସରସ୍ବତୀ ମନ୍ଦିର ପାଖରେ ଭୋଗ ଓ ବନ୍ଦାପନା, ୧୦ଟା ୨୦ରେ ବିମାନ ସହ ଭିତରକାଠକୁ ଦିଅଁ ବିଜେ, ୧୦ଟା ୨୫ରେ କର୍ପୁର ଆଳତି ଓ ଜଳଲାଗି, ସାଢ଼େ ୧୦ଟାରେ ଲକ୍ଷ୍ମୀ ଓ ସରସ୍ବତୀ ସିଂହାସନକୁ ଏବଂ ଦକ୍ଷିଣ ଘରକୁ ଦୋଳଗୋବିନ୍ଦ ବିଜେ କରିବେ। ସାଢ଼େ ୧୧ଟାରେ ମହାସ୍ନାନ ଶେଷ ପରେ ମଧ୍ୟାହ୍ନଧୂପ, ଦକ୍ଷିଣିଘର ଭୋଗ, ସଂଧ୍ୟା ଆଳତି, ସଂଧ୍ୟାଧୂପ, ୨ଟା ୪୫ରେ ମଇଲମ ଓ ଚନ୍ଦନଲାଗି, ୩ଟା ୧୫ରେ ବଡ଼ସିଂହାର ବେଶ, ସାଢ଼େ ୩ଟାରେ ବଡ଼ସିଂହାର ଭୋଗ, ୩ଟା ୪୫ରେ ରାତ୍ର ପହୁଡ଼ ହେବ।
ସେହିପରି ଅଗ୍ନିଉତ୍ସବ ଦିନ ସକାଳ ୩ଟାରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ। ଅନ୍ୟାନ୍ୟ ଦୈନନ୍ଦିନ ନୀତି ବଢ଼ିବା ପରେ ଅପରାହ୍ନ ସାଢ଼େ ୩ଟାରେ ମହାପ୍ରଭୁଙ୍କ ଚାଚେରି ବେଶ ଅନୁଷ୍ଠିତ ହେବ। ପରେ ଚାଚେରି ଭୋଗ ଓ ଦକ୍ଷିଣିଘର ଭୋଗ ଅନୁଷ୍ଠିତ ହେବ। ସଂଧ୍ୟା ୬ଟାରେ ମହାଲକ୍ଷ୍ମୀ ମନ୍ଦିରକୁ ଦିଅଁ ବିଜେ କରିବେ। ୭ଟା ୧୫ରେ ଠାକୁର ଦୋଳବେଦିକୁ ଯିବେ। ଦୋଳବେଦି ନୀତି ସାରି ୯ଟା ୧୫ରେ ଠାକୁର ବାହୁଡ଼ିବେ। ପରେ ଅନ୍ୟାନ୍ୟ ନୀତି ବଢ଼ି ରାତି ୧୨ଟାରେ ରାତ୍ର ପହୁଡ଼ ଅନୁଷ୍ଠିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/gdjjgdgjyy-1.jpg)