ବିଂଝାରପୁର: ଘାଇ ମୁକୁଳା, ୧୫ ପଞ୍ଚାୟତ ଜଳବନ୍ଦୀ

ବିଂଝାରପୁର/ସିଂହପୁର : ବିଂଝାରପୁର ବ୍ଲକ ଜରୀ ପଞ୍ଚାୟତ ନାଉବାଙ୍କ ଦେଇ ପ୍ରବାହିତ ହୋଇଥିବା ନୂଆମାହାରା ଓରଫ କାମଦେବ ମାହାରା ନଦୀରେ ଗତବର୍ଷ ଅଗଷ୍ଟ ମାସରେ ୨ଶହ ଫୁଟର ଏକ ଘାଇ ସୃଷ୍ଟି ହୋଇଥିଲା। ଘାଇ ହେବା ସମୟରେ ଜିଲ୍ଲାପାଳଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ପହଞ୍ଚି ଅନୁଧ୍ୟାନ କରିବାସହ ତୁରନ୍ତ ମରାମତି ହେବବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାର ୯ ମାସ ବିତିଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଓ ରାଜନେତାଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଘାଇ ମରାମତି ହୋଇପାରିନାହିଁ।ପରିଣାମ ସ୍ଵରୂପ ବ୍ଲକର ୧୫ ପଞ୍ଚାୟତର ଶତାଧିକ ଚାଷୀ ନିଜର ଜୀବିକା ହରାଇଛନ୍ତି। ଏହାକୁ ନେଇ ଚାଷୀ ମହଲରେ ଭାଳେଣି ପଡିଯାଇଛି। ବର୍ତ୍ତମାନ ଧାନ ବୁଣା ସମୟ ହୋଇଥିବା ବେଳେ ଚାଷଜମିରେ ବନ୍ୟାଜଳ ପ୍ରବାହକୁ ନେଇ ଚାଷୀକୁଳ ଚିନ୍ତାରେ ପଡ଼ିଯାଇଛି। ଘାଇ ମରାମତି କାମ ଯଥାଶୀଘ୍ର ସାରିବାକୁ ନେଇ ଜରୀ ପଞ୍ଚାୟତ ନାଉବାଙ୍କ ଗ୍ରାମର ଶତାଧିକ ଚାଷୀ ଓ ଜନସାଧାରଣ ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ, ଜିଲ୍ଲାପାଳ ଯାଜପୁର ଓ ନିର୍ବାହୀଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ତଥାପି ବନ୍ୟା ପୂର୍ବରୁ ଘାଇ ମରାମତି ହୋଇନାହିଁ।

ବାତ୍ୟା ‘ୟାସ’ ପ୍ରଭାବରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହେବାଦ୍ଵାରା ବୈତରଣୀ ନଦୀରେ ବନ୍ୟା ଆସିଛି। ବୈତରଣୀର ବନ୍ୟାଜଳ ବୁଢ଼ାନଦୀ ଦେଇ ଖରସ୍ରୋତାରେ ପ୍ରବାହିତ ହୋଇଛି। ଖରସ୍ରୋତାର ଶାଖାନଦୀ ନୂଆମାହାରା ଓରଫ କାମଦେବ ମାହାରାରେ ପ୍ରବାହିତ ହେଉଛି। ଗତବର୍ଷ କାମଦେବ ମାହାରାରେ ସୃଷ୍ଟି ହୋଇଥିବା ଘାଇ ମୁକୁଳାଥିବାରୁ ଏଥର ମଧ୍ୟ ସେଥିରେ ବନ୍ୟାଜଳ ପଶି ୧୫ ପଞ୍ଚାୟତର ଚାଷଜମିରେ ଲହଡ଼ି ଭାଙ୍ଗୁଛି। ବର୍ତ୍ତମାନ ଧାନବୁଣା ସମୟ ହୋଇଥିବା ବେଳେ ଚାଷଜମିରେ ବନ୍ୟାଜଳ ମାଡ଼ିବାରୁ ଚାଷୀକୁଳ ଚିନ୍ତାରେ ପଡ଼ିଛି।

ଏ ସଂପର୍କରେ ଜରୀ ସରପଞ୍ଚଙ୍କ ସ୍ଵାମୀ ମନୋଜ କୁମାର ସାମଲ କୁହନ୍ତି ଯେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଆଜି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜରୀ ପଞ୍ଚାୟତ ସମେତ ୧୫ ପଞ୍ଚାୟତର ଶତାଧିକ ଚାଷୀ ନିଜର ଜୀବିକା ହରାଇଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇଦେବାକୁ ସେ ଦାବି କରିଛନ୍ତି। ସେହିପରି ଜରୀ ପଞ୍ଚାୟତର ପ୍ରାକ୍ତନ ସମିତିସଭ୍ୟ ତଥା ବ୍ଲକ କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ପାତ୍ର କୁହନ୍ତି ଯେ ବର୍ତ୍ତମାନ ନୂଆମାହାରାରେ ସୃଷ୍ଟି ହୋଇଥିବା ଘାଇ ମନୁଷ୍ୟକୃତ। ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ବାରମ୍ଵାର ଲିଖିତ ଅଭିଯୋଗ କରିବା ପରେ ବି ବିଭାଗ ଚୁପ୍ ବସିଥିଲା। ଏହାର ପରିଣାମ ଗରିବ ଚାଷୀମାନଙ୍କୁ ଭୋଗିବାକୁ ପଡ଼ିବ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି।

ଏ ସଂପର୍କରେ ସହକାରୀ ଯନ୍ତ୍ରୀ ସଂଜୀବ କୁମାର ସାମଲଙ୍କୁ ପଚାରିବାରୁ ଘାଇ ସୃଷ୍ଟି ହୋଇଥିବା ବନ୍ଧ ମରାମତି କାର୍ଯ୍ୟ ବହୁ ପୂର୍ବରୁ ସରିଥାନ୍ତା। ସ୍ଥାନୀୟ ଚାଷୀଙ୍କ ଅନୁରୋଧ କ୍ରମେ ସେଠାରେ ଏକ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଗେଟ ନିର୍ମାଣ ପାଇଁ ପ୍ରସ୍ତାବ ଅନୁମୋଦନ ହୋଇ ଆସିବାକୁ ଅଧିକ ସମୟ ଲାଗିଥିଲା। ଏବେ କାମ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର