ଛତ୍ରପୁର: ହଁ ଆଜ୍ଞା ବର୍ଷେ କି ଦୁଇ ବର୍ଷ ନୁହେ। ଦୀର୍ଘ ୩୫ ବର୍ଷ ପରେ ଜାମ୍ମୁ କାଶ୍ମୀରରୁ ଘରକୁ ଫେରିଛନ୍ତି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବାଲିବଗଡ଼ ଗ୍ରାମର ଘନଶ୍ୟାମ ନାୟକ। ସେ ଶିଶୁ ଅବସ୍ଥାରେ କହାକୁ ନ କହି ନିଜ ଘର ରୁ ଚାଲି ଯାଇଥିବା ବେଳେ ଏବେ ଦୁଇଟି ସନ୍ତାନର ବାପା ହୋଇ ଘରକୁ ଫେରିଛନ୍ତି ଘନଶ୍ୟାମ। ସେତେବେଳେ ଗାଁ ପରିବେଶ ଭଲ ଲାଗୁ ନଥିଲା ବେଳେ ଏବେ ଗାଁ ସବୁଜ ସୁନ୍ଦର ଦେଖି ସେ ଖୁସି ଅନୁଭବ କରୁଛନ୍ତି। ସେ, ପରିବାର କହିଲେ ତାଙ୍କ ବାପା ପର୍ଶୁରାମ ନାୟକ, ମାଆ ଚନ୍ଦ୍ରମା ନାୟକ ଏବଂ ଚାରି ଭାଇ ଓ ଦୁଇ ଭଉଣୀ ଥିଲେ। ସେ ୧୨ ବର୍ଷ ବୟସରେ ଲଣ୍ଡାବାଉଁଶ ସ୍କୁଲରେ ସପ୍ତମ ଶ୍ରେଣୀ ପାଠ ପଢୁଥିଲେ। ଆଉ ତାଙ୍କ ପରିବାର ଚଳାଇବା ତାଙ୍କ ବାପାଙ୍କ ପାଖରେ କଷ୍ଟ ସାଧ୍ୟ ହେଉଥିଲା ଏବଂ ଏହାକୁ ସେ ସବୁଦିନେ ଦେଖିବା ପରେ ସେ ମନ ବଳାଇଲେ କିଛି ରୋଜଗାର କରିବା ନିମନ୍ତେ, ଏଥିପାଇଁ ସେତେବେଳେ ସେ ଘରର କହାକୁ ନ କହି କାମ କରିବା ନିମନ୍ତେ ବାହାରକୁ ଚାଲିଗଲେ।
ପ୍ରଥମେ ସେ ପଞ୍ଜାବର ପଠାଣକୋଟରେ ଦୁଇରୁ ତିନି ବର୍ଷ ରହିଲା ପରେ ଚାଲି ଆସିଲେ ଜାମ୍ମୁକାଶ୍ମୀର। ସେଠାରେ କାମ ନିମନ୍ତେ ବିଭିନ୍ନ କମ୍ପାନି ବୁଲି ଥିଲେ, ମାତ୍ର ତାଙ୍କ ପାଖରେ ନଥିଲା କାଗଜ ପତ୍ର, ଯାହା ଫଳରେ ସେ କାମ ପାଉ ନଥିଲେ। ଆଉ ବଡ଼ କଷ୍ଟ ମଷ୍ଟେ ନିଜ ଗୁଜରାଣ ମେଣ୍ଟାଉଥିଲେ। ସେତେବେଳେ ଟେଲିଫୋନ ନଥିଲା କି ମୋବାଇଲ ନଥିଲା। ଘର କଥା ମନ ପଡୁଥାଏ ଏବଂ ବେଶୀ ମନ ପଡ଼େ ମା’କୁ, ଘରକୁ ଆସିବା ନିମନ୍ତେ ଇଛା ଥିଲେ ମଧ୍ୟ ସେ ଘରକୁ ଆସି ପାରୁ ନଥିଲେ। ପରେ ଏକ କମ୍ପାନିରେ କାମ କଲେ, ଏହା ପରେ ଘର ସହ ଯୋଗାଯୋଗ କରିବା ପାଇଁ ବାରମ୍ବାର ଚିଠି କଲେ ହେଲେ ଘରେ ଚିଠି ପହଞ୍ଚୁନଥିଲା ଆଉ ଶେଷରେ ଜାମ୍ମୁକାଶ୍ମୀରର ଜଣେ ବ୍ୟକ୍ତିଙ୍କ ସହଯୋଗରେ ଗାଁକୁ ଚିଠି ପଠାଇଲେ ଆଉ ଚିଠିରେ ଉତ୍ତର ମିଳିଲା ମୋବାଇଲ ନମ୍ବର ମଧ୍ୟ ମିଳିଲା ଆଉ ଆଜି ୩୫ ବର୍ଷ ପରେ ଘରକୁ ଫେରିଛନ୍ତି ଘନଶ୍ୟାମ ।
ଘନଶ୍ୟାମ ସାଙ୍ଗରେ କଶ୍ମୀର ସେଓ ବି ନେଇକି ଆସିଛନ୍ତି। ବେଶ ଖୁସିରେ ପରିବାର ଲୋକଙ୍କୁ ନିଜ ହାତରେ ଖୁଆଇଦେଉଛନ୍ତି ଘନଶ୍ୟାମ, ଆଉ ବଖାଣିଛନ୍ତି ନିଜ ସଙ୍ଘର୍ଷର କାହାଣୀ । ଫିଲ୍ମର କାହାଣୀଠୁ କମ ନୁହେଁ । ଦୀର୍ଘ ୩୫ ବର୍ଷ ପରେ ଶନିବାର ଠାରୁ ନାୟକ ପରିବାରରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ହସ ଖୁସିରେ ସମସ୍ତେ ମସଗୁଲ ହୋଇଛନ୍ତି ପରିବାର ବର୍ଗ। ଏ ଖୁସି ୩୫ ବର୍ଷ ହେଲା ଅଛପା ଥିଲା ଆଉ ଶନିବାର ଠାରୁ ଫେରିଛି ନୂଆ ସକାଳର ସତେଜ କିରଣ ନେଇ। ଏଇ ବୁଢ଼ୀ ମା'ର ଚର୍ମ ଧୁଡ଼ୁ ଧୁଡ଼ୁ ମୁହଁରେ ଆଜି ସତେଜ ହସର ଲହରୀ କେମିତି ବା ଆସିବନି। ଦୀର୍ଘ ୩୫ ବର୍ଷ ଧରି ମା' ଠାରୁ ଦୂରେଇ ଯାଇଥିବା ପୁଅ ଯେ ଘରକୁ ଫେରିଛି। ଆଉ ଛାଡିବନି ଏଥର ସବୁ ହିସାବ ନେବ ପୁଅକୁ ଯେତେବେଳେ ପାଖରେ ପାଇଛି ଶେଷବେଳେ କାନ୍ଧରେ ଟିକେ ମଶାଣିକୁ ନେବୁରେ ବାପ ବୋଲି ମା' କାନ୍ଦି କାନ୍ଦି କହିଛି। ଦିନେ ପରିବାରର ଗରିବୀ ଦୂର କରିବା ପାଇଁ ପାଠ ଛାଡି କାହାକୁ ନ କହି ଘର ଛାଡ଼ି ଚାଲିଯାଇଥିଲା।
ବଡ଼ ସଂଘର୍ଷମୟ ଥିଲା ଘନଶ୍ୟାମଙ୍କର ଜୀବନ ଘର ଛାଡିବା ପରେ ଶେଷରେ ଜମ୍ମୁର ଏକ କମ୍ପାନିରେ କାମ ପାଇଲେ ଭଲ ଟଙ୍କା ରୋଜଗାର କଲେ । ସେଠି ବିବାହ କଲେ ଏବେ ତାଙ୍କର ଦୁଇ ପୁଅ ମଧ୍ୟ କାଶ୍ମୀରରେ ଅଛନ୍ତି । ଘର ଛାଡିବା ପର ଠୁ ପ୍ରତ୍ୟେକ ଦିନ ନିଜ ପରିବାର କଥା ଭାବି ଭାବି ଦିନ ଗଡେଇଛନ୍ତି ଆଉ ଦୁଃଖ ଭୁଲିବା ପାଇଁ ବେଳେ ନିଶାଦ୍ରବ୍ୟ ଟିକେ ପିଇଦିଅନ୍ତି ବୋଲି କୁହନ୍ତି ଘନଶ୍ୟାମ। ଦେବୀ ମା'ଙ୍କୁ କେତେ ଡାକିଛନ୍ତି ଆଉ ଆଜି ଦେବୀ ମା' ତାଙ୍କ ଡାକ ଶୁଣିଛନ୍ତି ଆଉ ଘରକୁ ଫେରିଛନ୍ତି ତେବେ ଘନଶ୍ୟାମଙ୍କୁ ମିଶାଇ ୪ଭାଇ ଅଛନ୍ତି ଓ ଦୁଇ ଭଉଣୀ । ଏବେ ଘନଶ୍ୟାମଙ୍କୁ ପାଖରେ ପାଇ ସବୁ ଭାଇ ବେଶ ଖୁସି ଥିବା କହିଛନ୍ତି। ତେବେ ଦୀର୍ଘ ବର୍ଷ ପରେ ନାୟକ ପରିବାରକୁ ଫେରିଛି ଖୁସି ଆଉ ସମସ୍ତେ ଏହି ମୁହୂର୍ତ୍ତକୁ ଉପଭୋଗ କରୁଛନ୍ତି ଆମେ ବି ଆଶା କରିବା ଏ ଖୁସି ଏମିତି ସବୁ ଦିନ ରହି ଥାଉ। ତାଙ୍କ ବାପା ପର୍ଶୁରାମଙ୍କ କାଳ ହୋଇଥିବା ବେଳେ ମା’ ଚନ୍ଦ୍ରମା ନାୟକ ଅଛନ୍ତି।