ପୁରୀ : ଶ୍ରୀମନ୍ଦିରରେ ଗତକାଲି ରାତିରୁ ଚାଲିଥିବା ଘଣାଲାଗି ନୀତି ବୁଧବାର ଶେଷ ହୋଇଛି। ଦଇତାପତି ସେବକମାନେ ମା’ ଲକ୍ଷ୍ମୀଙ୍କ ମନ୍ଦିରରେ ତିଆରି ହୋଇ ଆସଥିବା ନୂଆ ବାସୁଙ୍ଗାପାଟ(ଘଣାଲାଗି) ମହାପ୍ରଭୁଙ୍କୁ ଲାଗି କରିଛନ୍ତି। ଆଜି ବିଳମ୍ବିତ ରାତିରେ ଏହି ନୀତି ସଂପନ୍ନ ହୋଇଛି। ଏଥିପାଇଁ ଶ୍ରୀମନ୍ଦିରରେ ଭୋର୍ ୪ଟାରୁ ଘଣାଲାଗି ନୀତି ଆରମ୍ଭ ହୋଇଥିଲା। ଦଇତାପତି ସେବକମାନେ ଗତକାଲି ରାତିରୁ ଭୋକ ଉପାସରେ ରହି ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି। ବୁଧବାର ବି ଭୋକରେ ରହିବା ସହ ଘଣାଲାଗି ନୀତି ସଂପନ୍ନ କରିଛନ୍ତି। ସଂପୂର୍ଣ୍ଣ ନିଷ୍ଠାର ସହ ଏହି ନୀତିକାନ୍ତି ସଂପନ୍ନ କରିଛନ୍ତି ଦଇତାପତି ସେବକ। ଏହା ସହ ଦଇତାପତି ସେବକମାନେ ସେମାନଙ୍କ ଅଣସର ନୀତି ସଂପନ୍ନ କରିଛନ୍ତି। ଆଜି ମହାପ୍ରଭୁଙ୍କ ଶ୍ରୀମୁଖ ହୋତା ଲାଗି ହେବ। ଶ୍ରୀମୁଖ ଶୃଙ୍ଗାର ସେବକ ଦତ୍ତମହାପାତ୍ରଙ୍କ ଘରୁ ଆଜି ଖଡ଼ିପ୍ରସାଦ ବିଜେ ହୋଇଛି। ଅଣସର ଘରେ ପହଞ୍ଚିବା ପରେ ଶ୍ରୀମୁଖ ହୋତା ଉପରେ ଏହି ଖଡ଼ି ପ୍ରସାଦ ଲାଗି ହେବ।
ଖଡ଼ିଲାଗି ପରେ ଦତ୍ତମହାପାତ୍ରଙ୍କ ସହ ଦଇତାପତି, ପତିମହାପାତ୍ର ସେବକ ଆଜି ଶ୍ରୀନଅରକୁ ଖଡି ପ୍ରସାଦ ବିଜେ କରିବେ। ପତି ମହାପାତ୍ର ସେବକ ଖଡ଼ି ନେଇ ଶ୍ରୀମନ୍ଦିରକୁ ବିଜେ କରିବେ। ଦଇତାପତି ସେବକମାନେ ରୁପା ପାତ୍ରରେ ଶ୍ରୀଜିଉଙ୍କଠାରେ ଲାଗି ଫୁଲ, ତୁଳସୀ ନେଇ ଶ୍ରୀନଅରକୁ ବିଜେ କରିବେ। ଅଣସର ନୀତିକାନ୍ତିର ଅଗ୍ରଗତି ସଂପର୍କରେ ଗଜପତିଙ୍କୁ ଖବର ଦେବେ। ଖଡ଼ିପ୍ରସାଦ ବିଜେ ପରେ ପରଦିନ ଅର୍ଥାତ୍ ଶୁକ୍ରବାର ବନକଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଶୃଙ୍ଗାର ସେବା ଆରମ୍ଭ ପୂର୍ବରୁ ଏହି ଖଡ଼ିଲାଗି ନୀତି ହୋଇଥାଏ। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାରର ପ୍ରଥମ ପର୍ଯ୍ୟାୟରେ ଦତ୍ତ ମହାପାତ୍ର ଖଡି ଲେପ ଦେଇଛନ୍ତି। ଶ୍ରୀମୁଖ ଶୃଙ୍ଗାର ସେବାର ପ୍ରଥମ ପ୍ରଲେପରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଖଡ଼ି ପ୍ରସାଦକୁ ସେବକମାନେ ଶ୍ରୀନଅରରେ ଗଜପତି ମହାରାଜାଙ୍କୁ ଅର୍ପଣ କରିବେ। ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାରରେ କସ୍ତୁରୀ, କେଶର, ହରତାଳ, ହିଂଗୁଳ ଆଦି ସାମଗ୍ରୀର ମିଶ୍ରଣ କରାଯାଇଥାଏ। ବନକଲାଗି ଜରିଆରେ ଏହି ନୀତିକୁ ଶେଷ ସ୍ପର୍ଶ ଦିଆଯିବା ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/srimandir-bkm-1.jpg)
