ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଘଣାଲାଗି ନୀତି

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଫାଇଲ୍‌ ମିଳିଲା

ପୁରୀ : ଶ୍ରୀମନ୍ଦିରରେ ଶୁକ୍ରବାର ଦିନ ମହାପ୍ରଭୁଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହୋଇଯାଇଛି। ଅଣସରକାଳୀନ ଏହି ସେବା ଉପଲକ୍ଷେ ଶୁକ୍ରବାର ଦିନ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି। ମା’ ଲକ୍ଷ୍ମୀଙ୍କ ମନ୍ଦିରରେ ନିର୍ମାଣ ହୋଇଥିବା ବାସୁଙ୍ଗାପାଟ ଆଜି ଶ୍ରୀଜିଉଙ୍କ ଅଙ୍ଗରେ ଲାଗି କରାଯାଇଛି।

ବରିଷ୍ଠ ଦଇତାପତି ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ପ୍ରତିବର୍ଷ ଗୋଟିଏ ବାଡ଼ର ଘଣାଲାଗି ନୀତି ସମ୍ପନ୍ନ ହୋଇଥାଏ। ଚଳିତବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘଣାଲାଗି ନୀତି ସମ୍ପନ୍ନ ହୋଇଛି। ବାସୁଙ୍ଗାପାଟରେ ଏହି ଘଣା ପ୍ରସ୍ତୁତ ହୋଇଥାଏ। ଏହା ଶ୍ରୀଜିଉଙ୍କ ଶ୍ରୀଅଙ୍ଗ(ଉଦର ଭାଗ)ରେ ଲାଗି ହୋଇଥାଏ। ପୁରୁଣା ଘଣାକୁ ବାହାର କରିବା ପରେ ବାସୁଙ୍ଗାପାଟରେ ନୂଆ କରି ପୂର୍ବପ୍ରସ୍ତୁତ ଥିବା ଘଣା ଲାଗି ହୋଇଥାଏ। ପରେ ଖଳି ଲାଗି ଓ ଶ୍ରୀମୁଖ ହୋତା ନୀତି ସମ୍ପନ୍ନ ହୋଇଥାଏ। ଏହା ଏକ ଗୁପ୍ତ ନୀତି ଓ ଅତ୍ୟନ୍ତ କଠିନ କାମ। ଏଥିପାଇଁ ଗତକାଲି ରାତିରୁ ଦଇତାପତି ସେବକମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି। ଅନ୍ୟପଟେ ଆଜି ବିଳମ୍ବିତ ରାତିରେ ଅଣସର ନୀତି ଆରମ୍ଭ ପରେ ଶୁଦ୍ଧ ସୁଆରମାନେ ଖଳି ଲାଗି ନୀତି ସମ୍ପନ୍ନ କରିଛନ୍ତି। ଶୁଦ୍ଧ ସୁଆରମାନଙ୍କ କାର୍ଯ୍ୟ ଶେଷ ପରେ ଶ୍ରୀପୟର ମୁଦିବାକୁ ଦଇତାପତିମାନେ ପ୍ରବେଶ କରିଛନ୍ତି। ଆସନ୍ତାକାଲି ସକାଳ ସୁଦ୍ଧା ଶ୍ରୀପୟର ମୁଦା ଶେଷ ହେବା ପରେ ଶ୍ରୀମୁଖ ଶୃଙ୍ଗାର ପାଇଁ ଦତ୍ତ ମହାପାତ୍ର ସେବକ ପ୍ରବେଶ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe