ବୀରମହାରାଜପୁର: ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ। ଏହି ଦିବସରେ ବୟନ ଓ ହସ୍ତତନ୍ତ ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ ସ୍ତରରେ ସମ୍ମାନିତ କରାଯାଇଥାଏ। କିନ୍ତୁ ଏବେ କରୋନା କଟକଣା ଯୋଗୁଁ ସରକାର ସମାରୋହକୁ ବାତିଲ କରିଛନ୍ତି। ଏହି ଅବସରରେ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ପାଇଁ ଅନେକ ଗୁଡ଼ିଏ କାର୍ଯ୍ୟ କରି ବିଭିନ୍ନ ସମ୍ମାନରେ ସମ୍ମାନିତ ହୋଇଥିବା ଯୁବ ବାନ୍ଧ କଳାକାର, ଗ୍ରାଫିକ୍ସ ଡିଜାଇନର୍‌ ଓ ବୁଣାକାର ଘନଶ୍ୟାମ ମେହେରଙ୍କ ବିଷୟରେ ଜାଣିବା।

Advertisment

ଘନଶ୍ୟାମ ମେହେରଙ୍କ ଘର ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ପଞ୍ଚାୟତ ଟିକ୍ରାପଡା ଗ୍ରାମରେ। ୧୯୮୧ ମସିହା ମେ’ ମାସ ୫ ତାରିଖରେ ଏକ ବୁଣାକାର ତଥା ବାନ୍ଧ କଳାକାର ପରିବାରରେ ଜନ୍ମ ହୋଇଥିଲେ ଘନଶ୍ୟାମ ମେହେର। ବାପା ରବି ମେହେର ଓ ମା’ ମାଳତୀ ମେହେରଙ୍କ ହେଉଛନ୍ତି ସେ ତୃତୀୟ ପୁତ୍ର। ସମସ୍ତ ପରିବାର ବାନ୍ଧ କଳା ଓ ବୁଣାକାର ଭାବରେ ସିଦ୍ଧ ହସ୍ତ ଯ ସେଥିପାଇଁ ତା’ର ବାପା ସ୍ୱର୍ଗତଃ ରବି ମେହେର ୨୦୧୦ ମସିହାରେ ସମ୍ବଲପୁରର ବିଶ୍ୱବିଦ୍ୟାଳୟର ତରଫରୁ ପଶ୍ଚିମ ଓଡ଼ିଶା ସଂସ୍କୃତି ସମ୍ମାନରେ ସମ୍ମାନିତ ହୋଇଥିବା ବେଳେ ମା’ ମାଳତୀ ମେହେର ମଧ୍ୟ ୨୦୧୫ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ ସଂସ୍କୃତି ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ସେହିପରି ଭାବରେ ଘନଶ୍ୟାମ ମେହେରଙ୍କ ଭାଉଜ କୁମୁଦିନୀ ମେହେର ଓଡ଼ିଶୀ ଶାଢ଼ି ତିଆରି କରି ୨୦୧୮ରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିବା ବେଳେ ପୁତୁରା ଆସିସ୍‌ ମେହେର ୨୦୧୧ରେ ଜଗନ୍ନାଥଙ୍କ ସୁନାବେଶ ୱାଲ ହ୍ୟାଙ୍ଗିଙ୍ଗ୍‌ ନିର୍ମାାଣ କରି ୨୦୧୧ରେ ରାଜ୍ୟ ସମ୍ମାନରେ ସମ୍ମାନିତ ହୋଇଥିଲେ। କିନ୍ତୁ ଘନଶ୍ୟାମ ମେହେର ବହୁ ପ୍ରତିଭାର ଅଧିକାରୀ। ସେ ବାପା ମାଁ ଙ୍କ ଠାରୁ ବାନ୍ଧ କଳା ଓ ଲୁଗା ବୁଣିବା ସହିତ ଗ୍ରାଫିକ୍ସ ଡିଜାଇନରେ ଜଣେ ସିଦ୍ଧହସ୍ତ। ଗ୍ରାଫ ମାଧ୍ୟମରେ ସମସ୍ତ ଚରିତ୍ରକୁ ଏତେ ସୁନ୍ଦର ଭାବରେ ଆଙ୍କି ଥାନ୍ତି ଯାହାକି ନ ଦେଖିଲେ ବିଶ୍ୱାସ କରିହେବ ନାହିଁ। ବାନ୍ଧ, ବୁଣାକାର ଓ ଗ୍ରାଫିକ୍ସ ଡିଜାଇନ ପାଇଁ ଘନଶ୍ୟାମ ମେହେର ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

୨୦୦୬ ମସିହାରେ ଘନଶ୍ୟାମ ଦୁଇଟି ରାଜ୍ୟ ସ୍ତରୀୟ ସମ୍ମାନରେ ସମ୍ମାନିତ ହୋଇଥିଲେ। ଗୋଟିଏ ହେଲା ଜଗନ୍ନାଥଙ୍କ ସୁନାବେଶ ୱାଲ ହ୍ୟାଙ୍ଗିଙ୍ଗ୍‌ ପାଇଁ ରାଜ୍ୟ ନମୁନା ପୁରସ୍କାର ଓ ଅନ୍ୟଟି ହେଲା ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ରାଜ ରାଜେଶ୍ୱରୀ ବେଶ ପାଟ ସୁତାରେ ୱାଲ ହ୍ୟାଙ୍ଗିଙ୍ଗ୍‌ ନିର୍ମାଣ କର, ଯାହାକି ନିଜେ ଏହାର ଗ୍ରାଫିକ୍ସ ଡିଜାଇନ୍‌ ସହିତ ବାନ୍ଧ ବାନ୍ଧିବା ସହିତ ରଙ୍ଗ ଓ ବୁଣା କାର୍ଯ୍ୟ ମଧ୍ୟ କରିଛନ୍ତି।

publive-image

ସେହିପରି ୨୦୧୫ ମସିହାରେ ୨୯୧୬ ପୃଷ୍ଠାର ଗ୍ରାଫ୍‌ କାଗଜରେ ବିଭିନ୍ନ ପ୍ରକାରର ୮୧ ହଜାର ଶଙ୍ଖ ଚିତ୍ର ଆଙ୍କି ଲିମକା ବୁକ୍‌ ଅଫ୍‌ ରେକଡର୍ସରେ ସ୍ଥାନ ପାଇପାରିଛନ୍ତି। ଏବେ ୪୩୨୦ ପୃଷ୍ଠା ଗ୍ରାଫ୍‌ କାଗଜରେ ୧ ଲକ୍ଷ ୨୦ ଭିନ୍ନ ଭିନ୍ନ ପ୍ରକାରର ଶଙ୍ଖ ଚିତ୍ର ଆଙ୍କି ୨୦୨୧ ଜୁଲାଇ ୨୬ରେ ଗ୍ରୀନିଜ୍‌ ବୁକ୍‌ ଅଫ୍‌ ୱାଲ୍‌ର୍ଡ ରେକଡର୍ସ ପାଇଁ ଆବେଦନ କରିଛନ୍ତି ଘନଶ୍ୟାମ ମେହେର।

ଏହା ବ୍ୟତୀତ ଆଦିବାସୀ ମାନଙ୍କ ଜୀବନ ଶୈଳୀ ଉପରେ ୧ ଫୁଟ ଚଉଡ଼ା ଓ ୧୨ ସହ ଫୁଟ ଲମ୍ବର ଶାଢିର ବୋଡ଼ର୍‌ ଗ୍ରାଫିକ୍ସ ଡିଜାଇନ କାର୍ଯ୍ୟ ସରିବା ଉପରେ ବୋଲି ଘନଶ୍ୟାମ ମେହେର କରିଛନ୍ତି। ଏହା ସାଙ୍ଗକୁ ଆର୍ଟ ଅଫ୍‌ ଓଡ଼ିଶା ହାଣି ଉପରେ ସିଂହ ବସିଥିବା ୭/୪ ଫୁଟର ୧୮ ପ୍ରକାର ରଙ୍ଗରେ ୱାଲ୍‌ ହ୍ୟାଙ୍ଗିଙ୍ଗ ତିଆରି କରିଛନ୍ତି। ଶ୍ରୀ ଗଣେଶ, ନଟରାଜ, ବୁଦ୍ଧଦେବ, କୋଣାର୍କ ମନ୍ଦିର, ଆଦିବାସୀ ଜୀବନ ଶୈଳୀ ସହିତ ୨୫୦ ପ୍ରକାର ୱାଲ ହ୍ୟାଙ୍ଗିଙ୍ଗ୍‌ ପାଟ ସୁତାରେ ନିର୍ମାଣ କରିଛନ୍ତି।

ବିଶେଷ ଭାବରେ ବୀରମହାରାଜପୁର ମିନି ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ୱାଲ ହ୍ୟାଙ୍ଗିଙ୍ଗ୍‌ ପ୍ରଦାନ କରିଥିଲେ ଘନଶ୍ୟାମ ମେହେର। ଏହା ଦେଖି ଖୁସି ହୋଇଯାଇଥିଲେ ନବୀନ ପଟ୍ଟନାୟକ।