ସମ୍ବଲପୁର : ଗାଁ ହେଉକି ସହର, ମଣିଷ ଜୀବନର ଏକ ଅଂଶ ଥିଲା ଘରଚଟିଆ। ସକାଳୁ ଘରଚଟିଆଙ୍କ କିଚିରିମିଚିରିରୁ ଆରମ୍ଭ ହେଉଥିଲା ଦିନ। ଘରେ ଉଭୟ ଚଟିଆ ଓ ମଣିଷଙ୍କ ଉପସ୍ଥିତି ପରସ୍ପର ପାଇଁ ଦେହସୁହା ଥିଲା। ସ୍କାଏଲାଇଟ୍‌ ବା ଚାଳଘର କାନ୍ଥର ଖୋଲଥିଲା ଚଟିଆଙ୍କ ଆଶ୍ରୟସ୍ଥଳ। ସେଠି ସେମାନେ କୁଟାକାଟି ଜମା କରି ବସା ବାନ୍ଧୁଥିଲେ ଓ ବଂଶବିସ୍ତାର ବି କରୁଥିଲେ। କିନ୍ତୁ ଦୁଇ ଦଶନ୍ଧି ହେବ ଘରଚଟିଆ ଏକପ୍ରକାର ଅଦୃଶ୍ୟ ହୋଇଗଲେଣି। ସହର ତ ଦୂର ଗ୍ରାମାଞ୍ଚଳରେ ବି ଏହି କ୍ଷୁଦ୍ର ସାମାଜିକ ପକ୍ଷୀ ଆଉ ଦେଖିବାକୁ ମିଳୁ ନାହାନ୍ତି। ତେବେ ଘରଚଟିଆ ଯେ ସଂପୂର୍ଣ୍ଣ ବିଲୁପ୍ତ ହୋଇ ନାହାନ୍ତି ଓ ମଣିଷ ସାମାନ୍ୟ ଯତ୍ନଶୀଳ ହେଲେ ସେମାନେ ପୁଣି ଆମ ଘରକୁ ଫେରି ଆସିବେ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ସମ୍ବଲପୁର ସହରର ପ୍ରକୃତିପ୍ରେମୀ ଯୁବକ ସୁବ୍ରତ ନାଥ। ଗଛଲତା ଓ ପଶୁପକ୍ଷୀଙ୍କୁ ଜୀବନଠୁ ଅଧିକ ଭଲ ପାଉଥିବା ସୁବ୍ରତ ବୁଢ଼ାରଜା କଲ୍ୟାଣନଗରସ୍ଥିତ ନିଜ ଘର ‘ଗ୍ରିନ୍‌ ନେଷ୍ଟ’କୁ ଏକ ମିନି ଉଦ୍ୟାନର ରୂପ ଦେଇଛନ୍ତି। ଏହି ଘରକୁ କେମିତି ଘର ଚଟିଆ ଆସିବେ ସେ ନେଇ ପ୍ରାୟ ବର୍ଷେ ତଳୁ ଉଦ୍ୟମ କରି ସଫଳ ହୋଇଛନ୍ତି।

Advertisment

ଗତ ମାର୍ଚ୍ଚ ମାସରେ ବଜାରରୁ ଏକ ପକ୍ଷୀ ବସା କିଣି ଆଣି ନିଜ ଘର ବାଲ୍‌କୋନିରେ ଲଗାଇଥିଲେ। ଉକ୍ତ ବସାରେ କୁଟାକାଠି ରଖି ଚଟିଆଙ୍କ ପାଇଁ ଆଦର୍ଶ ପରିବେଶ ସୃଷ୍ଟି କରିଥିଲେ। ଆଖପାଖରେ ଧାନକେଣ୍ଡା ଝୁଲାଇଥିଲେ ଓ ପିଇବା ପାଇଁ ପାଣି ବି ରଖିଥିଲେ। ଚଟିଆଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ନିମନ୍ତେ ବାଲ୍‌କୋନିରେ ଅଧିକ, ଗଛ, ଲତା ଆଦି ରଖିଥିଲେ। ପ୍ର‌ାୟ ମାସେ ପରେ ଏକ ପୁରୁଷ ଘରଚଟିଆକୁ ସେଠାରେ ଦେଖିବାକୁ ମିଳିଥିଲା। ଚଟିଆକୁ ଦେଖି ଉତ୍ସାହିତ ସୁବ୍ରତ ତାର ଗତିବିଧି ଉପରେ ନଜର ରଖିଲେ। ପ୍ରାୟ ୧୦-୧୨ ଦିନ ଧରି ଚଟିଆଟି ସେଠାକୁ ଆସି ଯାଞ୍ଚ କରିଥିଲା। ତାପରେ ତା ସାଥିରେ ଏକ ମାଇ ଚଟିଆ ଆସିଲା। ସେମାନେ ସେଠାରେ ଧାନ ଖାଇଲେ, ପାଣି ପିଇଲେ, କିଚିରିମିଚିରି କଲେ। ଏହା ଦେଖି ସୁବ୍ରତ ନିଜ ଘର ଚାରିପଟେ ୧୦ଟି ବସା ଲଗାଇଲେ। ଧାନକେଣ୍ଡା, ଖୁଦ, ମାଣ୍ଡିଆ ଦାନା ଆଦି ଖାଦ୍ୟ ଦେଲେ। ଏବେ ୬ ମାସ ପରେ ସେଠାକୁ ପ୍ରାୟ ୨୦ରୁ ୨୫ଟି ଘରଚଟିଆ ଆସୁଛନ୍ତି। ସେମାନଙ୍କ ସହ ସନ୍‌ବାର୍ଡ, ଟେଲର୍ ବାର୍ଡ, ବୁଲବୁଲ, ସ୍କାଲିବ୍ରେଷ୍ଟେଡ୍ ମୁନିଆ, ଦେଶୀ ମଇନା, ବ୍ରାହ୍ମିଣୀ ଷ୍ଟର୍ଲିଂ ଆଦି ଚଢ଼େଇ ଆସି ମେଳା ଲଗାଉଛନ୍ତି।

ସୁବ୍ରତ ଘରଚଟିଆ ସଂପର୍କିତ ନିଜ କାହାଣୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ପରେ ଅନେକ ପ୍ରକୃତିପ୍ରେମୀ ତାଙ୍କ ପ୍ରଶଂସା କରିବା ସହ ବହୁ ଲୋକ ନିଜ ଘରେ ବି ଏଭଳି ଚଟିଆ ବସା ଲଗାଇବାକୁ ଚାହିଁଲେ। ସୁବ୍ରତ ନିଜେ ବସା ନେଇ ସମ୍ବଲପୁର ସହରର ୧୦-୧୨ ଜଣ ବନ୍ଧୁ ଓ ପଡ଼ୋଶୀଙ୍କ ଘରେ ଲଗାଇ ଆସିଛନ୍ତି। ସେଠାକୁ ବି ଚଟିଆଙ୍କ ଆଗମନ ଆରମ୍ଭ ହେଲାଣି। ସୁବ୍ରତଙ୍କ କହିବା ହେଲା, କଂକ୍ରିଟ୍ ଜଙ୍ଗଲ ବୃଦ୍ଧି କାରଣରୁ ଚଟିଆ ବଂଶ ଲୋପ ପାଇବାକୁ ବସିଛି। ହେଲେ ଏହି କଂକ୍ରିଟ୍ ଭିତରେ ବି ଯଦି ପକ୍ଷୀମାନଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଯିବ ତାହେଲେ ଘରଚଟିଆମାନେ ଘର ଛାଡ଼ି ଯିବେନି, ଯାଇଥିଲେ ବି ପୁଣି ବାହୁଡ଼ି ଆସିବେ।