ସାତକୋଶିଆରେ ଘଡ଼ିଆଳ ସଂଖ୍ୟା କମୁଛି

ବନ୍ତଳା : ଅନୁଗୁଳ ଜିଲ୍ଲା ସାତକୋଶିଆ ମହାନଦୀ ଗଣ୍ଡରେ ସ୍ଥାପିତ ଘଡ଼ିଆଳ କୁମ୍ଭୀର ଗବେଷଣା କେନ୍ଦ୍ରରେ ଘଡ଼ିଆଳଙ୍କ ସଂଖ୍ୟା କମିବାରେ ଲାଗିଛି। ତେଣୁ ଏହ‌ି କେନ୍ଦ୍ର ସ୍ଥାପନର ଉଦ୍ଦେଶ୍ୟ ସଫଳ ହୋଇପାରୁନଥିବା ସାଧାରଣରେ ଚର୍ଚ୍ଚା ‌ହେଉଛି।

ସୂଚନା ଅନୁଯାୟୀ, ସାତକୋଶିଆ ଗଣ୍ଡର ପରିବେଶ କୁମ୍ଭୀରଙ୍କ ପାଇଁ ବେଶ୍‌ ଅନୁକୂଳ। ଏହାକୁ ଦୃଷ୍ଟିରେ ରଖି ଅନୁଗୁଳ ବ୍ଲକ୍‌ ଟିକରପଡ଼ାସ୍ଥିତ ସାତକୋଶିଆ ଗଣ୍ଡରେ ବହୁବର୍ଷ ପୂର୍ବେ ଜଣେ ବିଦେଶୀ ଆର୍‌. ବ୍ରଷ୍ଟ୍ରାକ୍‌ ଘଡ଼ିଆଳ କୁମ୍ଭୀର ଉପରେ ଗବେଷଣା ଆରମ୍ଭ କରିଥିଲେ। ସେ ସୁଦୂର ନେପାଳରୁ ଗୋଟିଏ କୁମ୍ଭୀର ଅଣ୍ଡା ଆଣି ପରୀକ୍ଷା ଆରମ୍ଭ କରିଥ‌ିଲେ। ତାହା ସଫଳ ହେବା ପରେ ଘଡ଼ିଆଳ ବଂଶ ବୃଦ୍ଧି ପାଇଁ ଏହା ପ୍ରକୃଷ୍ଟ ସ୍ଥାନ ବୋଲି ଜାଣିବାରୁ ନେପାଳରୁ ପୁନର୍ବାର ୪୦ଟି ଅଣ୍ଡା ଆଣି କୃତ୍ରିମ ଉପାୟରେ ଛୁଆ ଫୁଟାଇଥିଲେ। ପରେ ଆର୍‌. ବ୍ରଷ୍ଟ୍ରାକଙ୍କ ସହଯୋଗୀ ଏ.କେ.ସିଂହ ଏଠାରେ ଗବେଷଣାକରି ଘଡ଼ିଆଳ କୁମ୍ଭୀର ସଂଖ୍ୟା ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ନେଇଥିଲେ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୯୭୫ ମସିହାରେ ଟିକରପଡ଼ାସ୍ଥିତ ସାତକୋଶିଆ ଗଣ୍ଡ ଘଡ଼ିଆଳ କୁମ୍ଭୀର ଗବେଷଣା ଓ ପ୍ରଜନନ କେନ୍ଦ୍ର ରୂପେ ଘୋଷଣା କରାଗଲା। ୨୦୦୦ ମସିହା ସୁଦ୍ଧା ଏଠାରେ ପ୍ରାୟ ୧୦୦ଟି ଘଡ଼ିଆଳ ଥିଲେ। କିନ୍ତୁ, ଗତ ୨୦ ବର୍ଷ ମଧ୍ୟରେ ଏଠା‌ରେ ଘଡ଼ିଆଳ ସଂଖ୍ୟା କ୍ରମଶଃ କମିବାରେ ଲାଗିଛି।

ଏବେ ସାତକୋଶିଆ ଗଣ୍ଡରେ ୮ଟି ଓ ଗବେଷଣାଗାର ୭ଟି, ଏହିପରି ମୋଟ ୧୫ଟି ଘଡ଼ିଆଳ କୁମ୍ଭୀର ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ମଗରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗଣ୍ଡରେ ଏବେ ୧୧୩ଟି ଓ ଗବେଷଣାଗାରରେ ୪ଟି ମଗରକୁ ମିଶାଇ ଏମାନଙ୍କ ସଂଖ୍ୟା ୧୧୭ରେ ପହଂଚିଛି। ଗବେଷଣା କେନ୍ଦ୍ରରେ ବୈଜ୍ଞାନିକ ନାହାନ୍ତି। ଜଣେ ପ୍ରାଣୀ ଚିକିତ୍ସକଙ୍କ ଭରସାରେ କାମ ଚାଲିଛି। ଗବେଷଣା ପାଇଁ ଦୃଷ୍ଟି ଦିଆଯାଉ ନଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ କୁମ୍ଭୀର ସଂରକ୍ଷଣ ପାଇଁ ଅନେକ କାର୍ଯ୍ୟ ହାତକୁ ନିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ୧୦ ଜଣିଆ ଟିମ୍‌ ୨ଟି ଗଠନ କରାଯାଇ ମହାନଦୀରେ ପାଟ୍ରୋଲିଂ କରାଯାଉଛି। ଏହି ଦଳ ମହାନଦୀରେ କୁମ୍ଭୀରମାନଙ୍କ ସୁରକ୍ଷା ଉପରେ ନଜର ରଖୁଛି। ସାତକୋଶିଆ ଗଣ୍ଡରେ ଘଡ଼ିଆଳଙ୍କ ବାସସ୍ଥାନ କୁହାଯାଉଥିବା ବଳଦମରାଠାରୁ ମଝିପଡ଼ା ଘାଟ ଓ ନଇଲାଖାଇଠାରୁ ମାଳିସାହି ଯାଏଁ ୧୧ କି.ମି. ପର୍ଯ୍ୟନ୍ତ ମାଛ ଧରିବା ସଂପୂର୍ଣ୍ଣ ନିଷେଧ କରାଯାଇଛି। ନଦୀକୂଳରେ କୁମ୍ଭୀରମାନଙ୍କ ବାସସ୍ଥାନ ଚିହ୍ନଟକରି ସେ ଅଞ୍ଚଳକୁ ସୁରକ୍ଷା ଦିଆଯାଉଥିବା କୁହାଯାଇଛି।

ସମ୍ବନ୍ଧିତ ଖବର