ଆନନ୍ଦପୁର : ଘସିପୁରା ବ୍ଲକ୍‌ର ୨୫ଟି ପଞ୍ଚାୟତର ୩୫୩ ବୁଥ୍‌ରେ ମତଦାନ ଅନୁଷ୍ଠିତ ହୋଇଛି। ଭୋଟ୍‌ବେଳେ କେତେକ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଥିବା ଅଭିଯୋଗ ଆସିଛି। ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ମତଦାନ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ମତଦାନ ଚାଲିଥିବା ଜଣାପଡ଼ିଛି। ସମୟ ଅବଧି ପରେ ମଧ୍ୟ ଅନେକ ମତଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳିଥିଲା।

Advertisment

ଦେଓଗାଁ ପଞ୍ଚାୟତର ୧ ନମ୍ବର ହାତୀଶିଳା ବୁଥ୍‌ରେ ସଂଧ୍ୟା ୬.୧୫ରେ ମତଦାନ ସରିଥିଲା। ସେହିପରି ଏହି ପଞ୍ଚାୟତର ୧୧ ନମ୍ବର ରାଘବପୁର ବୁଥ୍‌ରେ ଗୋଟିଏ ଗୋଷ୍ଠୀ ନିର୍ବାଚନୀ ଚିହ୍ନ ଥିବା ଚିରକୁଟି ପ୍ରଦାନ କରୁଥିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦୁଇଗୋଷ୍ଠୀ ମଧ୍ୟରେ ଏହାକୁ ନେଇ ଠେଲାପେଲା ହୋଇଥିଲା। ଘସିପୁରା ଥାନା ଅଧିକାରୀ ଶ୍ୟାମଘନ ବେହେରା ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

ଗୋହିରା ପଞ୍ଚାୟତର ଇନ୍ଦୁପୁରା ବୁଥ୍‌ରେ ଜଣେ ମହିଳା ଜଣେ ବୃଦ୍ଧାଙ୍କ ଭୋଟ୍‌କୁ ନିଜେ ଦେଉଥିବା ଭିଡିଓ ଭାଇରାଲ ହୋଇଛି। ଏନେଇ ପ୍ରିଜାଇଡିଂ ଅଫିସରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣିନଥିଲେ। ରାମଚନ୍ଦ୍ରପୁର ପଞ୍ଚାୟତର ଏଜେଣ୍ଟ ରାଧାରାଣୀ ସା ଅଭିଯୋଗ କରିଛନ୍ତି, ତାଙ୍କ ଉପସ୍ଥିତିରେ ପ୍ରତିପକ୍ଷ ଏଜେଣ୍ଟ ଭୋଟରମାନଙ୍କୁ ପ୍ରଭାବିତ କରିବା ସହିତ ନିଜେ ଭୋଟ୍ ଦେଉଥିଲେ। ଏନେଇ ସେ ଅଭିଯୋଗ କରିଥିଲେ ମଧ୍ୟ ପ୍ରିଜାଇଡିଂ ଅଫିସର କିଛି ପଦକ୍ଷେପ ନେଇ ନଥିଲେ।