ଘସିପୁରା ରାଜନୀତି: ପ୍ରତିଥର ପ୍ରାର୍ଥୀ ବଦଳାଉଛି ବିଜେପି

ଆନନ୍ଦପୁର,(ଶତ୍ରୁଘ୍ନ ସାହୁ) : କେନ୍ଦ୍ରରେ ୨୦୧୪ରୁ ଶାସନ କରୁଥିବା ଭାରତୀୟ ଜନତା ପାର୍ଟି (ବିଜେପି)କୁ ଓଡ଼ିଶାରେ ଅଦ୍ୟାବଧି ସଫଳତା ମିଳିପାରି ନାହିଁ। କେନ୍ଦୁଝର ଜିଲ୍ଲାର ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ଘସିପୁରାରେ ଦଳୀୟ ଅନ୍ତର୍ଦ୍ବନ୍ଦ୍ବ ‌ଯୋଗୁଁ ବିଜେପି ଆଗକୁ ବଢ଼ିପାରୁନି। ଏଠାରେ ପ୍ରତି ନିର୍ବାଚନରେ ବିଜେପି ପ୍ରାର୍ଥୀ ବଦଳାଉଛି।

୧୯୯୦ ମସିହା ଆଗରୁ ରାମଚନ୍ଦ୍ରପୁର ଓ ବର୍ତ୍ତମାନର ଘସିପୁରା ନିର୍ବାଚନମଣ୍ଡଳୀରେ ପ୍ରତି ନିର୍ବାଚନ‌ରେ ନୂଆମୁହଁକୁ ପ୍ରାର୍ଥୀ କରାଯାଉଥିବାରୁ ବିଜେପିର ସାଂଗଠନିକ ସ୍ଥିତି ସୁଦୃଢ଼ ହୋଇପାରୁ ନାହିଁ। ଟିକଟ ଆଶାୟୀମାନେ ପୃଥକ ଭା‌ବେ ଦଳୀୟ କାର୍ଯ୍ୟକ୍ରମ କରୁଥିବାରୁ ଏଠାରେ କର୍ମୀମାନେ ମଧ୍ୟ ଭାଗଭାଗ ହୋଇଯାଇଛନ୍ତି। ଏଠାରେ ବିଜେଡିରୁ ବଦ୍ରିନ‌ାରାୟଣ ପାତ୍ର ଓ କଂଗ୍ରେସରୁ ନିରଞ୍ଜନ ପଟ୍ଟନାୟକଙ୍କ ଭଳି ଦୁଇ ହେଭିୱେଟ୍ ନିର୍ବାଚନ ଲଢ଼ୁଥିବାରୁ ବିଜେପିର ସଂଗଠନ ଆଗେଇ ପାରୁନଥିବା କୁହାଯାଉଛି। ଅଧିକାଂଶ ନିର୍ବାଚନରେ ଦଳ ତୃତୀୟ ସ୍ଥାନରେ ରହୁଥିବା ବେଳେ ୨୦୨୪ରେ ଦଳ ପକ୍ଷରୁ ପ୍ରାର୍ଥୀ ହେବାପାଇଁ ଆଶାୟୀଙ୍କ ତାଲିକା ଲମ୍ବିବାରେ ଲାଗିଛି।

ପୂର୍ବରୁ ଘସିପୁରା ବ୍ଲକ୍‌, ହରିଚନ୍ଦନପୁର ବ୍ଲକ୍‌, ଆନନ୍ଦପୁର ବ୍ଲକ୍‌ର ୫ଟି ପଞ୍ଚାୟତ ଓ ପୌରାଞ୍ଚଳର ୫ଟି ୱାର୍ଡକୁ ନେଇ ଗଠିତ ହୋଇଥିଲା ରାମଚନ୍ଦ୍ରପୁର ନିର୍ବାଚନମଣ୍ଡଳୀ। ୧୯୯୦ ନିର୍ବାଚନରେ ଏଠାରୁ ଭଗବାନ ସାହୁ ବିଜେପି ପ୍ରାର୍ଥୀ ହୋଇଥିଲେ। ୧୯୯୫ରେ କ୍ଷୀରୋଦ ପ୍ରସାଦ ସ୍ବାଇଁ, ୨୦୦୦ରେ ବିଜେପି-ବିଜେଡି ମେଣ୍ଟ ପ୍ରାର୍ଥୀଭାବେ ସ୍ବର୍ଗତ ଅକ୍ଷୟ ମିଶ୍ର, ୨୦୦୪ରେ ବିଜେଡି-ବିଜେପି ମେଣ୍ଟରୁ ପ୍ରାର୍ଥୀ ହୋଇଥିଲେ ଦେବେନ୍ଦ୍ର ଜେନା। ଅନ୍ୟପକ୍ଷରେ ବଦ୍ରି ନାରାୟଣ ପାତ୍ର ସ୍ବାଧୀନ ପ୍ରାର୍ଥୀଭାବେ ଉଡ଼ାଜାହାଜ ଚିହ୍ନରେ ଲଢ଼ିଥିଲେ। ଏହି ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ନିରଞ୍ଜନ ପଟ୍ଟନାୟକ ୪୮୨ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। ବଦ୍ରିନାରାୟଣ ପାତ୍ର ଦ୍ବିତୀୟ ସ୍ଥାନରେ ରହିଥିଲେ। ବିଜେପି-ବିଜେଡି ମେଣ୍ଟ ପ୍ରାର୍ଥୀ ଦେବେନ୍ଦ୍ର ଜେନା ୧୫ ହଜାର ୨୭୦ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।

India Today

୨୦୦୯ରେ ସୀମା ନିର୍ଦ୍ଧାରଣ କରାଯାଇ ଏହା ଘସିପୁରା ନିର୍ବାଚନମଣ୍ଡଳୀରେ ପରିଣତ ହୋଇଥିଲା। ଘସିପୁରା, ଘଟଗାଁ ବ୍ଲକ୍‌ ସମେତ ଆନନ୍ଦପୁର ବ୍ଲକ୍‌ର ଧ‌କୋଠା, କୋଳିମାଟି ଓ ବୁଢ଼ୀକୁଦ ପଞ୍ଚାୟତକୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠିତ ହୋଇଥିଲା। ୨୦୦୯ ନିର୍ବାଚନରେ ବିଜେପିର ପ୍ରାର୍ଥୀ ହୋଇଥିଲେ ମୁମ୍ବାଇରେ ରହୁଥିବା ସନ୍ତୋଷ ରାଉତ। ସେ ପରାଜିତ ହେବା ସହ ତୃତୀୟ ସ୍ଥାନରେ ରହିଥିଲେ। ୨୦୧୪ରେ ବିଜେପିର ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଦଳୀୟ ପ୍ରାର୍ଥୀ ହୋଇଥିଲେ। ଏଥର କଂଗ୍ରେସରୁ ନିରଞ୍ଜନ ପଟ୍ଟନାୟକ ପ୍ରାର୍ଥୀ ହୋଇନଥିଲେ। ବିଜେପି ପ୍ରାର୍ଥୀ ଶ୍ରୀ ପଣ୍ଡା ୨୦ ହଜାର ୨୯୮ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନ ଦଖଲ କରିଥିଲେ। କଂଗ୍ରେସ ପ୍ରାର୍ଥୀ ପୃଥ୍ବୀରାଜ କୁଅଁର ୧୨ ହଜାର ୧୮ଖଣ୍ଡ ଭୋଟ ପାଇଥିଲେ। ୨୦୧୯ ନିର୍ବାଚନରେ ବଦ୍ରି ଓ ନିରଞ୍ଜନଙ୍କ ମଧ୍ୟ‌ରେ ମୁକାବିଲା ହୋଇଥିଲା। ବିଜେପି ପୁଣି ତୃତୀୟ ସ୍ଥାନକୁ ଚାଲି ଯାଇଥିଲା। ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିଜେପିର ପ୍ରଦର୍ଶନ ନିରାଶାଜନକ ଥିଲା।

ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହେବାକୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ବୀରାଜ କୁଅଁର, ଚାକିରିରୁ ଅବସର ପରେ ରାଜନୀତିକୁ ଆସିଥିବା ଡ. ଶମ୍ଭୁନାଥ ରାଉତ, ବରିଷ୍ଠ ନେତା ଭଗବାନ ସାହୁ, ଦେବେନ୍ଦ୍ର ଜେନା, ସନ୍ତୋଷ ରାଉତ, ସତ୍ୟବ୍ରତ ପଣ୍ଡାଙ୍କ ସମେତ ଘଟଗାଁରୁ ମମତା ସିଂହ ଆଗଭର ଅଛନ୍ତି। ଦଳୀୟ ଯୁବ ସଂଗଠନ ସହ ଜଡ଼ିତ ଥିବା ବିଚିତ୍ର ଚକ୍ର, ବିଜେପି ଜିଲ୍ଲା ସମ୍ପାଦକ ଇଂ ଦୀପକ ଜେନା, ସମ୍ପ‌ାଦିକା ଯଶସ୍ବିନୀ ବଳ ମଧ୍ୟ ନିଜ ଲବି ଚଳାଇଛନ୍ତି। ସେହିପରି ଘସିପୁରା ନିର୍ବାଚନମମଣ୍ଡଳୀରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସାମିଲ ହେଉଥିବା କେନ୍ଦୁଝର ରାଣୀ ସୁନନ୍ଦିନୀ ଦେବୀ ମଧ୍ୟ ବିଧାୟକ ପ୍ରାର୍ଥୀ ହୋଇପାରନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏପଟେ ବିଧାୟକ ବଦ୍ରିନାରାୟଣ ପାତ୍ର ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିବା ବେଳେ ତାଙ୍କ ପୁଅ ଦେବାଶିଷ ବିଜେଡିରୁ ପ୍ରାର୍ଥୀ ହେବାପାଇଁ ଅଣ୍ଟା ଭିଡ଼ିଛନ୍ତି। ରାଜ୍ୟ ଯୁବ ବିଜେଡି ଉପସଭାପତି ରାଜା ଚକ୍ର ତା‌ଙ୍କ ରାସ୍ତାରେ କଣ୍ଟା ହୋଇଛନ୍ତି। ବିଜେଡି ଶେଷ ମୁହୂର୍ତ୍ତରେ ଏଠାରୁ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବା ନେଇ ଆଲୋଚନା ହେଉଛି। ଏଭଳି ହେଲେ ଦେବାଶିଷ ମଧ୍ୟ ଶେଷ ମୁହୂର୍ତ୍ତରେ ବିଜେପି ଟିକଟରେ ଘସିପୁରାରୁ ବିଧାୟକ ପ୍ରାର୍ଥୀ ହେବାର ସମ୍ଭାବନା ସୃଷ୍ଟି ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର