ଘଟଗାଁରେ ୯ ଟ୍ରକ୍‌ ମାଲିକ ସଂଘର ବୈଠକ : ଲୁହାପଥର ପରିବହନ ବିବାଦର ସମାଧାନ

ତଦାରଖ କରିବେ ଷ୍ଟିୟରିଂ କମିଟି, ୩ ଜାଗାରେ ଲାଗିବ ସିସି କ୍ୟାମେରା

ଘଟଗାଁ : ଲୁହାପଥର ପରିବହନ ବିବାଦର ସମାଧାନ ପାଇଁ ଆଜି କେନ୍ଦୁଝର ଜିଲ୍ଲାର ଘଟଗାଁଠାରେ ୯ଟି ଟ୍ରକ୍ ମାଲିକ ସଂଘ କର୍ମକର୍ତ୍ତା ଏକାଠି ହୋଇ ମାନସମନ୍ଥନ କରିଛନ୍ତି। ଲୁହାପଥର ପରିବହନ ଓ ଟ୍ରକ ଚଳାଚଳକୁ ନେଇ ଗତ ଦୁଇସପ୍ତାହ ଧରି ଲାଗି ରହିଥିବା ଅଚଳାବସ୍ଥାର ଅବସାନ ଘଟିଛି।

ପାରାଦୀପ ଓ ଜଗତସିଂହପୁର ଟ୍ରକ ମାଲିକମାନେ ସିରିଏଲ୍‌ ଭାଙ୍ଗି ବନ୍ଦରରେ ଆଗ ଅନଲୋଡିଂ କରିବାରୁ ବିବାଦ ଉପୁଜିଥିଲା। ଏପରି କରି ସେମାନେ ମାତ୍ର ଦୁଇଦିନରେ ଗୋଟିଏ ଟ୍ରିପ୍‌ କରି ଲାଭବାନ ହୋଇଥିଲେ। ଅନ୍ୟପଟେ କେନ୍ଦୁଝରର ଟ୍ରକଗୁଡ଼ିକ ଗୋଟିଏ ଟ୍ରିପ୍‌ କରିବାକୁ ୭ରୁ ୧୫ ଦିନ ଲାଗି ଯାଉଥିଲା, ଯାହାଦ୍ବାରା ମାଲିକମାନେ କ୍ଷତି ସହୁଥିଲେ। ଏହାର ପ୍ରତିବାଦରେ କେନ୍ଦୁଝର ସଂଘ ପକ୍ଷରୁ ଅନ୍ୟ ଅଞ୍ଚଳର ଟ୍ରକଗୁଡ଼ିକୁ ଗତ ୩ ଦିନ ଧରି ଅଟକ ରଖାଯାଇଥିଲା। ଏହାର ସମାଧାନ ପାଇଁ କେନ୍ଦୁଝର ମାଲିକ ସଂଘର ଆହ୍ବାନକ୍ରମେ ଘଟଗାଁର ହୋଟେଲ ବୃନ୍ଦାବନ‌ରେ ବୈଠକ ବସିଥିଲା। ଏଥିରେ ୯ଟି ସଂଘର ସଭାପତି, ସଂପାଦକଙ୍କ ସମେତ ଜଣେ/ଦୁଇଜଣ ସଦସ୍ୟଙ୍କୁ ନେଇ କମିଟି ଗଠିତ ହୋଇଥିଲା। ଏହି କମିଟି ସଦସ୍ୟମାନେ ଟ୍ରକଗୁଡ଼ିକ କିପରି ସିରିଏଲ୍‌ରେ ଅନ୍‌ଲୋଡିଂ କରିବେ ତାହା ନିରୀକ୍ଷଣ କରିବେ। ପାରାଦୀପ, ଜଗତସିଂହପୁର ଓ ଜଗନ୍ନାଥ ଟ୍ରକ ମାଲିକ ସଂଘର କାର୍ଯ୍ୟକର୍ତ୍ତାଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ଏଥିରେ ଖିଲାପ କଲେ ଷ୍ଟିୟରିଂ କମିଟି ଡକାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି କୌଣସି ଟ୍ରକ ନିୟମ ଭଙ୍ଗ କରନ୍ତି ତେବେ ତାକୁ କଳା ତାଲିକାଭୁକ୍ତ କରାଯିବ। ଆଇନଗତ ପଦକ୍ଷେପ ମଧ୍ୟ ନିଆଯିବ। କମିଟିର ମୁଖ୍ୟ ଭାବେ ଜାତୀୟ ମୋଟର କଂଗ୍ରେସର ଉପସଭାପତି ରବିନାରାୟଣ ଶତପଥୀଙ୍କୁ ଚୟନ କରାଯାଇଛି।

କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ସଭାପତି ରମାକାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକକୁ ସଂପାଦକ ସୂର୍ଯ୍ୟନାରାୟଣ କର ପରିଚାଳନା କରିଥିଲେ। କେନ୍ଦୁଝରର ଯୁଗ୍ମ ସଂପାଦକ ଦେବୁ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିଲେ। ପାରାଦୀପ ଟ୍ରକ ମାଲିକ ସଂଘ ସଂପାଦକ ଆଲୋକ ପରିଡ଼ା, ଜଗତସିଂହପୁରର ସଲିଳ କୁମାର ଦାସ, ରଂଜିତ ବେହେରା, ଯାଜପୁରରୋଡ୍‌ରୁ କିଶୋରୀ କୁମାର ରାଉତ, ବ୍ରଜକିଶୋର ରାଉତ, ଚଣ୍ଡିଖୋଲର ସନ୍ତୋଷ କୁମାର ରାଉତ, ଜଗନ୍ନାଥ ଟ୍ରକ ମାଲିକ ସଂଘର ଛଇଳ ଚନ୍ଦ୍ର ଜେନା, ମନୋଜ କୁମାର ସ୍ବାଇଁ, ଯୋଡ଼ା ସଂଘର ସଭାପତି ଭକ୍ତବନ୍ଧୁ ମହାନ୍ତ, ସଂପାଦକ ରବି ଦାସ, ବଡ଼ବିଲରୁ ରଂଜନ ପଣ୍ଡା ଓ ବୁଲା ମହାପାତ୍ରଙ୍କ ସମେତ କୋଇଡ଼ା ସଂଘର କାର୍ଯ୍ୟକର୍ତ୍ତା ଯୋଗଦେଇ ଆଲୋଚନା କରିଥିଲେ। ବୈଠକକୁ ଆନନ୍ଦପୁର ଜୋନ୍‌ ଉପସଭାପତି ପଦ୍ମଲୋଚନ ସାହୁ, କାର୍ଯ୍ୟନିର୍ବାହୀ ସଦସ୍ୟ ଭଗବାନ ସାହୁ, କେନ୍ଦୁଝର ଜୋନ୍‌ ଉପସଭାପତି ଦିଲୀପ ପଣ୍ଡା, ଯୁଗ୍ମ ସଂପାଦକ ଦେବାଶିଷ ପଟ୍ଟନାୟକ, ସଂଜୟ ସିଂହ, ଢେଙ୍କିକୋଟର କାର୍ଯ୍ୟନିର୍ବାହୀ ସଦସ୍ୟ ବିଜୟ ସାହୁ, ଘଟଗାଁର ଅଜୟ ସାହୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର