କନ୍ଧମାଳର ମ‌ନୋଲୋଭା ଘାଟି

କନ୍ଧମାଳ ଜିଲ୍ଲାକୁ ପ୍ରବେଶ କରିବା ସମୟରେ ବିଭିନ୍ନ ଘାଟିରାସ୍ତା ଦେଇ ଯାତ୍ରା କରୁଥିବାବେଳେ ଶରୀର ଓ ମନରେ ରୋମାଞ୍ଚ ସୃଷ୍ଟି ହୋଇଥାଏ। ଏହି ଘାଟିଗୁଡ଼ିକର ମନୋରମ ଦୃଶ୍ୟ ଏବଂ ଘାଟିର ଉଭୟ ପାର୍ଶ୍ୱରେ ମାଳମାଳ ପାହାଡ଼କୁ ଦେଖିଲେ ମନ ପୂରିଯାଏ। ବର୍ଷା ଋତୁରେ ଏସବୁ ଘାଟିର ଉଭୟ ପାର୍ଶ୍ୱର ସବୁଜ ଘଞ୍ଚ ଜଙ୍ଗଲ ଏବଂ ପାହାଡ଼ର ମଥାନରେ ଲେସି ହୋଇଥିବା ମେଘଖଣ୍ଡକୁ ଦେଖିଲେ ମନ ଓ ହୃଦୟରେ ଚରମ ତୃପ୍ତି ଅନୁଭବ ହୋଇଥାଏ। ସେହିଭଳି ଶୀତଦିନିଆ କୁହୁଡ଼ି ଘେରା ଘାଟି ରାସ୍ତା ମଧ୍ୟ ଦୁଃସାହସିକ ଯାତ୍ରାର ଅନୁଭବ ଦେଇଥାଏ।

YouTube

କନ୍ଧମାଳ ଜିଲ୍ଲାକୁ ପ୍ରବେଶ କରିବାକୁ ହେଲେ ପ୍ରତି ଦିଗରେ ଥିବା ସୁଦୃଶ୍ୟ ଓ ସୁଉଚ୍ଚ ଘାଟିମାନ ଅତିକ୍ରମ କରିବାକୁ ପଡ଼ିଥାଏ। ବୌଦ୍ଧ ଜିଲ୍ଲା ପଟୁ ଆସିଲେ ପ୍ରସିଦ୍ଧ ‘ରାଣୀପଥର ଘାଟି’ ଅତିକ୍ରମ କରିବାକୁ ପଡ଼େ। ଏହି ଘାଟି ପରେ ଫୁଲବାଣୀ ସହର ଉପକଣ୍ଠରେ ପୁଣି ଏକ ଘାଟି ପଡ଼େ, ଯାହାର ନାମ ‘ଭେଟଖୋଲ ଘାଟି’। ଭେଟଖୋଲ ଘାଟିରୁ ଫୁଲବାଣୀ ସହରର ରାତ୍ରୀକାଳୀନ ଦୃଶ୍ୟ ଅତ୍ୟନ୍ତ ମ‌େନାଲୋଭା। ଫୁଲବାଣୀଠାରୁ ବୌଦ୍ଧ-ଚାରିଛକ ରାସ୍ତାରେ ୨୦ କିଲୋମିଟର ଅତିକ୍ରମ କଲାପରେ ରାଣୀପଥର ଘାଟି ପଡ଼ିଥାଏ। ଅଙ୍କାବଙ୍କା ରାଣୀପଥର ଘାଟି ରାସ୍ତା ଦେଇ ଗଲାବେଳେ ଛାତି ଥରିଉଠେ। ଏହି ଘାଟିର ମଧ୍ୟଭାଗରେ ଥିବା ‘ଶୀତଳପାଣି ଝରଣା’ ବଣଭୋଜି ପାଇଁ ଏକ ଉପଯୁକ୍ତ ସ୍ଥାନ। ରାଣୀପଥର ଘାଟିର ଦୈର୍ଘ୍ୟ ୭ କିଲୋମିଟର ଏବଂ ଏହା ଅତ୍ୟନ୍ତ ସର୍ପିଳ, ତୀଖ ଓ ବିପଦପୂର୍ଣ୍ଣ। ଏହି ଘାଟିର ଉଭୟ ପାର୍ଶ୍ୱରେ ମାଳମାଳ ପାହାଡ଼ ମହାସାଗରର ନୀଳ ଢେଉର ଭ୍ରମ ସୃଷ୍ଟି କରିଥାଏ। ବର୍ଷାଦିନେ ଏହି ପାହାଡ଼ର ମଥାରେ ମେଘର ପଣତ ଭାବୁକ ମନକୁ ଚହଲେଇ ଦିଏ। ଶୀତଦିନେ ସମଗ୍ର ଉପତ୍ୟକାଟି ଘନ କୁହୁଡ଼ିରେ ଆଚ୍ଛାଦିତ ଥାଏ।

YouTube

ସେହିଭଳି କନ୍ଧମାଳ ଜିଲ୍ଲାକୁ ବ୍ରହ୍ମପୁର-ଭଞ୍ଜନଗର ପଟୁ ଆସିଲେ ଓଡ଼ିଶାର ସର୍ବବୃହତ୍ ଓ ଦୀର୍ଘତମ ‘କଳିଙ୍ଗା ଘାଟି’ ଅତିକ୍ରମ କରିବାକୁ ପଡ଼ିଥାଏ। ଏହି ଘାଟିର ଦୈର୍ଘ୍ୟ ୧୦ କିଲୋମିଟର। ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାକୁ ବିଭାଜନ କରୁଥିବା ଏହି ଘାଟି ସମୁଦ୍ର ପତ୍ତନଠାରୁ ୨୨୦୦ ଫୁଟ୍‌ ଉଚ୍ଚରେ ଅବସ୍ଥିତ। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ମ‌େନାଲୋଭା। ବର୍ଷାଦିନେ ଏହି ଘାଟିରେ ମେଘସବୁ ପାହାଡ଼ର ମଥାରେ ଝୁଲୁଥିବା ଭଳି ମନେ ହୋଇଥାଏ। ବର୍ଷାକୁ ଉପଭୋଗ କରିବାକୁ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ପର୍ଯ୍ୟଟକମାନେ ଏଠାକୁ ଆସିଥାନ୍ତି। ସେହିଭଳି ଶୀତଦିନେ ଏହି ଘାଟିର ଦୃଶ୍ୟ ଅତ୍ୟନ୍ତ ଉପଭୋଗ୍ୟ। ଘାଟିର ଉଭୟ ପାର୍ଶ୍ୱରେ ଥିବା ରାଶିରାଶି ପାହାଡ଼ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇ ରହିଥାଏ। କଳିଙ୍ଗା ଘାଟିର ମଧ୍ୟସ୍ଥଳରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଉପାସନା ସ୍ଥଳ ‘ଅନ୍ଧାରୀକୁଟି’ ଏବଂ ମା’ ବନଦୁର୍ଗାଙ୍କ ମନ୍ଦିର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏହା ସହିତ କଳିଙ୍ଗା ବଟାନିକାଲ୍‌ ଗାର୍ଡେନ୍ ଏବଂ ପୂର୍ତ୍ତ ବିଭାଗର ଡାକବଙ୍ଗଳା ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ବର୍ଷା ଦିନେ ସ୍ଥାନେ ସ୍ଥାନେ ପାହାଡ଼ ଉପରୁ ଝରଣା ପାଣି ତଳକୁ ବହି ଯାଉଥିବାର ଦୃଶ୍ୟ ପର୍ଯ୍ୟଟକଙ୍କୁ ଆନମନା କରିଥାଏ।

କଳିଙ୍ଗା ଘାଟି ବ୍ରିଟିଶ ଶାସନ କାଳରେ ନିର୍ମିତ। ଏହା ଦକ୍ଷିଣ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶା ମଧ୍ୟରେ ଯୋଗସୂତ୍ର ରକ୍ଷା କରିଥାଏ। ଅତୀତରୁ ଆରମ୍ଭ କରି ଆଜି ଯାଏ, କଳିଙ୍ଗା ଘାଟି ହିଁ କଳା, ସଂସ୍କୃତି, ବ୍ୟବସାୟ, ବାଣିଜ୍ୟ କାରବାରର ମାଧ୍ୟମ ପାଲଟିଥିଲା। ଚୀନ୍ ପରିବ୍ରାଜକ ହୁଏନ୍‌ସାଂ ଦିନେ ଏହି ଘାଟି ରାସ୍ତା ଦେଇ ଦକ୍ଷିଣ କୋଶଳ ଯାଇଥିଲେ ଏବଂ ଡୁଙ୍ଗି ନିକଟରେ ବିଶ୍ରାମ ନେଇଥିଲେ ବୋଲି କୁହାଯାଏ। କଳିଙ୍ଗା ଘାଟି ଭଞ୍ଜନଗର (ଗଞ୍ଜାମ)ର ଦୁର୍ଗାପ୍ରସାଦରୁ ଆରମ୍ଭ ହୋଇ ଘୁ.ଉଦୟଗିରି (କନ୍ଧମାଳ)ର କଳିଙ୍ଗାରେ ଶେଷ ହୋଇଛି। ଏହି ଘାଟିର ମୋଟ ଲମ୍ବ ୧୦ କିଲୋମିଟର।

ଘୁମୁସର ବିଦ୍ରୋହର ସମସ୍ତ ପ୍ରକାର ରଣକୌଶଳ କଳିଙ୍ଗା ଘାଟିରେ ପ୍ରସ୍ତୁତ ହେଉଥିଲା। ଘୁମୁସର ବିଦ୍ରୋହର ନାୟକ ଚକରା ବିଷୋୟୀ ଏହିଠାରେ ରହି ଇଂରେଜ ବିରୋଧରେ ଆନ୍ଦୋଳନ କରୁଥିଲେ। ୧୯୨୦ ମସିହା ବେଳକୁ ଇଂରେଜମାନେ କଳିଙ୍ଗା ଘାଟି ରାସ୍ତା ନିର୍ମାଣ କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ଇଂରେଜ ଅଫିସରମାନେ ହାତୀ ପିଠିରେ ବସି ଏହି ଘାଟି ଦେଇ ଯାତାୟତ କରୁଥିଲେ। ଅନ୍ୟାନ୍ୟ ବ୍ୟବସାୟୀ, ସାଧାରଣ ଯାତ୍ରୀ ଶଗଡ଼ରେ କିମ୍ବା ଚାଲିଚାଲି ଯାତାୟତ କରୁଥିଲେ। ପରବର୍ତ୍ତୀ କାଳରେ ଏହି ଘାଟି ରାସ୍ତାରେ ଅନେକ ପରିବର୍ତ୍ତନ ଘଟିଛି। ଏହା ଏବେ ରାଞ୍ଚି-ବିଜୟୱାଡା କରିଡର ଅନ୍ତର୍ଗତ ୧୫୭ ନମ୍ବର ଜାତୀୟ ରାଜପଥରେ ଅନ୍ତର୍ଭୁକ୍ତ ହୋଇଛି। ଅତୀତରେ ଅତି ସଂକୀର୍ଣ୍ଣ ରାସ୍ତା ଯୋଗୁ ବହୁ ଦୁର୍ଘଟଣା ଘଟୁଥିଲା। ଏବେ ରାସ୍ତା ପ୍ରଶସ୍ତ ହୋଇଯିବା କାରଣରୁ ଦୁର୍ଘଟଣା ହ୍ରାସ ପାଇଛି।

ଚୀନ୍‌ ପରିବ୍ରାଜକ ହୁଏନ୍‌ସାଂ ସପ୍ତମ ଶତାବ୍ଦୀରେ ଦୀର୍ଘ ପନ୍ଦର ବର୍ଷ କାଳ ଭାରତର ବିଭିନ୍ନ ଅଞ୍ଚଳ ଭ୍ରମଣ କରିଥିଲେ। ଖ୍ରୀ.ଅ. ୬୩୮ରେ ହୁଏନ୍‌ସାଂ କଙ୍ଗୋଦ ପରିଦର୍ଶନ କରିଥିଲେ। ଏହାପରେ ସେ କଳିଙ୍ଗ ପରିଭ୍ରମଣରେ ଯାଇଥିଲେ। ଖେମୁଣ୍ଡି ଓ ଘୁମୁସରର ଅରଣ୍ୟ ପଥ (କଳିଙ୍ଗା ଘାଟି) ଦେଇ ସେ କୋଶଳ ଯାଇଥିଲେ। ହୁଏନ୍‌ସାଂ ତାଙ୍କର ଏହି ଯାତ୍ରାର ବିବରଣୀରେ ସମଗ୍ର ଉଚ୍ଚ ପାର୍ବତ୍ୟ ଯାତ୍ରାପଥ ଏବଂ ବନ୍ୟ ପ୍ରକୃତି ବିଷୟ ବର୍ଣ୍ଣନା କରିଛନ୍ତି, ଯାହାକି ଆଧୁନିକ ଭଞ୍ଜନଗର ଓ ଫୁଲବାଣୀ ମଧ୍ୟରେ ଥିବା ‘କଳିଙ୍ଗା ଘାଟି’ ରାସ୍ତା ସହ ତୁଳନୀୟ।

ସେହିଭଳି ଗଞ୍ଜାମ ଜିଲ୍ଲାର ସୋରଡ଼ା ପଟୁ କନ୍ଧମାଳ ଜିଲ୍ଲାକୁ ପ୍ରବେଶ କଲେ ‘ସାତବାଙ୍କିଆ ଘାଟି’ (ଗାଜଲବାଡ଼ି ଘାଟି) ଦେଇ ଆସିବାକୁ ପଡ଼ିଥାଏ। ବ୍ରହ୍ମପୁରରୁ ସୋରଡ଼ା ଓ ଦାରିଂବାଡ଼ି ଦେଇ କନ୍ଧମାଳ ଜିଲ୍ଲାକୁ ପ୍ରବେଶ କରିବାକୁ ହୋଇଥାଏ। ଅଧିକାଂଶ ପର୍ଯ୍ୟଟକ ସାତବାଙ୍କିଆ ଘାଟି ରାସ୍ତା ଦେଇ ଦାରିଙ୍ଗବାଡ଼ିକୁ ଆସିଥାନ୍ତି।

YouTube

ଭୁବନେଶ୍ୱରରୁ ନୟାଗଡ଼, ଦଶପଲ୍ଲା, ମାଧପୁର ଦେଇ କନ୍ଧମାଳ ମଧ୍ୟକୁ ପ୍ରବେଶ କଲାବେଳେ ଖଜୁରୀପଡ଼ାର ‘ଗାଡ଼ିଆପଡ଼ା’ ଘାଟି ଅତିକ୍ରମ କରିବାକୁ ପଡ଼ିଥାଏ। ଏହି ଘାଟିରେ ଅନେକ ସ୍ଥାନରେ ଇଂରାଜି ଅକ୍ଷର ‘ଏସ୍’ ଆକୃତିର ଏବଂ ଉଠାଣି, ଗଡ଼ାଣି ରାସ୍ତା ଥିବାରୁ ଘାଟି ଦେଇ ଯାତ୍ରା କଲାବେଳେ ଛାତି ଥରିଉଠେ। ଏଠାରୁ ତଳକୁ ଚାହିଁଲେ ଦିଗନ୍ତ ବିସ୍ତାରୀ ରାଶିରାଶି ପର୍ବତମାଳା ଓ ପାହାଡ଼ ଉପରେ ମେଘର ଦୃଶ୍ୟ ଅତ୍ୟନ୍ତ ମନୋଲୋଭା ହୋଇଥାଏ। ବର୍ଷାଦିନେ ଏହି ଘାଟିର ଦୃଶ୍ୟ ଖୁବ ରୋମାଞ୍ଚକର।

ସେହିଭଳି ବୌଦ୍ଧ, ସୋନପୁର ଓ କଣ୍ଟାମାଳ ଭାୟା ଘଣ୍ଟପଡ଼ା ଦେଇ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡ ମଧ୍ୟକୁ ପ୍ରବେଶ କରି ହୋଇଥାଏ। କଣ୍ଟାମାଳ-ବାଲିଗୁଡ଼ା ଜଙ୍ଗଲିଆ ଓ ଘାଟି ରାସ୍ତା ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ।

କନ୍ଧମାଳ ଜିଲ୍ଲାକୁ ଆଉ ଏକ ଘାଟି ରାସ୍ତା ଦେଇ ପ୍ରବେଶ କରି ହୋଇଥାଏ। ତାହା ହେଉଛି କଣ୍ଟାମାଳ-ବୁଢ଼ାଖୋଲ-ଗୋଛାପଡ଼ା-ଫୁଲବାଣୀ। ବୌଦ୍ଧ ଜିଲ୍ଲାର କଣ୍ଟାମାଳରୁ ବୁଢ଼ାଖୋଲ-ଗୋଛାପଡ଼ା ଘାଟି ରାସ୍ତା ଦେଇ ଫୁଲବାଣୀକୁ ଆସିଲାବେଳେ ଏଠାକାର ଘଞ୍ଚ ଜଙ୍ଗଲପୂର୍ଣ୍ଣ ଘାଟି ରାସ୍ତା ଖୁବ ରୋମାଞ୍ଚକର ଯାତ୍ରାନୁଭୂତି ପ୍ରଦାନ କରିଥାଏ। ଏହା ବ୍ୟତୀତ ଆହୁରି ଅନେକ ରାସ୍ତା ଦେଇ କନ୍ଧମାଳ ଜିଲ୍ଲା ମଧ୍ୟକୁ ପ୍ରବେଶ କରି ହୋଇଥାଏ। ବଲାଙ୍ଗୀର, କଳାହାଣ୍ଡି ପଟୁ ମଧ୍ୟ କନ୍ଧମାଳ ଜିଲ୍ଲାକୁ ରାସ୍ତା ରହିଛି। ଭବାନୀପାଟଣାରୁ ଏମ୍.ରାମପୁର-ତୁମୁଡ଼ିବନ୍ଧ ରାସ୍ତା ଦେଇ ପ୍ରଥମେ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧରେ ପ୍ରବେଶ କରିବାକୁ ପଡ଼ିଥାଏ। ତୁମୁଡ଼ିବନ୍ଧରୁ ବାଲିଗୁଡ଼ା ଦେଇ ଜିଲ୍ଲା ସଦର ମହକୁମା ଫୁଲବାଣୀକୁ ଆସିବାକୁ ହୋଇଥାଏ। ଏମ୍.ରାମପୁର-ତୁମୁଡ଼ିବନ୍ଧ ରାସ୍ତାରେ ମଧ୍ୟ ଘାଟି ପଡ଼ିଥାଏ।

ବାଲିଗୁଡ଼ାରୁ ବଲାଙ୍ଗୀରକୁ ସଂଯୋଗ କରୁଥିବା ଭାୟା ବାରଖମା ରାସ୍ତାରେ ମଧ୍ୟ ଦୁଇଟି ସୁଉଚ୍ଚ ଘାଟି ‘ସାତକାଟି ଘାଟି’ ଏବଂ ‘ଖମନଖୋଲ ଘାଟି’ ପଡ଼ିଥାଏ। ଏହି ଘାଟିରେ ସାତଗୋଟି ମୋଡ଼ ବା ବୁଲାଣି ଥିବାରୁ ଏହାର ନାମ ‘ସାତକାଟି ଘାଟି’ ହୋଇଛି।

Pinterest

ସେହିଭଳି ଗଜପତି ଜିଲ୍ଲାରୁ କନ୍ଧମାଳ ଜିଲ୍ଲାକୁ ମଧ୍ୟ ସଡ଼କ ପଥରେ ଯୋଗାଯୋଗ ରହିଛି। ପାରଳାଖେମୁଣ୍ଡିରୁ ମୋହନା ଭାୟା ଅଡ଼ବା ଦେଇ କନ୍ଧମାଳ ଜିଲ୍ଲାର ବ୍ରାହ୍ମଣୀଗାଁ ଓ ଦାରିଙ୍ଗବାଡ଼ିରେ ପ୍ରବେଶ କରିବାକୁ ପଡ଼ିଥାଏ। ରାୟଗଡ଼ାର ବିଷମକଟକ, ମୁନିଗୁଡ଼ା ଦେଇ କନ୍ଧମାଳ ଜିଲ୍ଲାର କୋଟଗଡ଼କୁ ପ୍ରବେଶ କରିବାକୁ ପଡ଼ିଥାଏ। ମୁନିଗୁଡ଼ା-କୋଟଗଡ଼ ରାସ୍ତାଟିରେ ଅନେକ ପାହାଡ଼ୀ ଘାଟି ରହିଛି। ଅପରପକ୍ଷେ ନୟାଗଡ଼ରୁ ଦଶପଲ୍ଲା, ବାଣିଗୋଛା ଭାୟା ବଦଲା ଘାଟି ଦେଇ କନ୍ଧମାଳ ଜିଲ୍ଲାର ଚକାପାଦ ମଧ୍ୟକୁ ପ୍ରବେଶ କରିବାକୁ ହୋଇଥାଏ। ଏହି ବଦଲା ଘାଟି ମଧ୍ୟ ଖୁବ୍ ରୋମାଞ୍ଚକର।

ଏସବୁ କନ୍ଧମାଳ ଜିଲ୍ଲାର ପ୍ରବେଶ ଓ ପ୍ରସ୍ଥାନ ପଥରେ ଥିବା ପ୍ରସିଦ୍ଧ ଘାଟିମାନଙ୍କ କଥା। ମାତ୍ର କନ୍ଧମାଳ ଜିଲ୍ଲା ମଧ୍ୟରେ ବିଭିନ୍ନ ବ୍ଲକ୍ ସଦର ମହକୁମାକୁ, ଏପରିକି ବିଭିନ୍ନ ପଞ୍ଚାୟତ କିମ୍ବା ଗ୍ରାମକୁ ଯିବାକୁ ହେଲେ ଅନେକ ଘାଟି ରାସ୍ତା ଦେଇ ଯାତାୟତ କରିବାକୁ ପଡ଼ିଥାଏ। ଜିଲ୍ଲା ସଦର ମହକୁମା ଫୁଲବାଣୀରୁ ଫିରିଙ୍ଗିଆ ଯିବାକୁ ହେଲେ ବାଟରେ ଏକ ଘାଟି ଅତିକ୍ରମ କରିବାକୁ ପଡ଼ିଥାଏ, ଯାହାର ନାମ ‘ସରୁକୋଇ’ ଘାଟି। ସେହିଭଳି ଫିରିଙ୍ଗିଆରୁ ଭାୟା ସାରଙ୍ଗଗଡ଼ ଦେଇ କ.ନୂଆଗାଁ ବ୍ଲକ ସଦର ମହକୁମା ମଧ୍ୟରେ ଏକ ଘାଟି ରାସ୍ତା ପଡ଼ିଥାଏ। ତୁମୁଡ଼ିବନ୍ଧରୁ ବେଲଘର, ଦେଶୁଘାଟି, ଲଙ୍କାଗଡ଼, ଝିରିପାଣି ଯିବାକୁ ହେଲେ ଅତ୍ୟନ୍ତ ତୀଖ ସର୍ପିଳ ଘାଟି ରାସ୍ତା ଅତିକ୍ରମ କରିବାକୁ ପଡ଼ିଥାଏ। ବାଲିଗୁଡ଼ାରୁ ତୁମୁଡ଼ିବନ୍ଧ ମଧ୍ୟରେ ଇର୍ପିଗୁଡ଼ା ଘାଟି ପଡ଼ିଥାଏ। କୋଟଗଡ଼ରୁ ସୁବର୍ଣ୍ଣଗିରି ଓ ଲୁଦୁ ଜଳପ୍ରପାତ ସ୍ଥଳୀକୁ ଯିବାକୁ ହେଲେ ଘାଟି ରାସ୍ତା ଅତିକ୍ରମ କରିବାକୁ ପଡ଼ିଥାଏ। ଲୁଦୁ ଜଳପ୍ରପାତରୁ ରାଣୀପାଙ୍ଗା ଜଳପ୍ରପାତ ମଧ୍ୟରେ ଛାତି ଥରାଇଦେଲା ଭଳି ସୁଦୀର୍ଘ ବଙ୍କାଟଙ୍କା ଘାଟି ରାସ୍ତା ଅତିକ୍ରମ କରିବାକୁ ହୋଇଥାଏ। ଲୁଦୁରୁ ରାଣୀପଙ୍ଗା ଭାୟା ଜାକେଶି ଗ୍ରାମ ଦେଇ ଗଲାପରେ ଯେଉଁ ଘାଟି ରାସ୍ତା ପଡ଼େ ପ୍ରକୃତରେ ତାହା ଖୁବ ରୋମାଞ୍ଚକର ଅନୁଭୂତି ଦେଇଥାଏ। ସେହିଭଳି ଫୁଲବାଣୀ ବ୍ଲକ୍‌ ଅନ୍ତର୍ଗତ କଟ୍ରିଙ୍ଗିଆ-ବିଶିପଡ଼ା ରାସ୍ତାରେ ପଡ଼େ କ୍ରାଣ୍ଡିବାଲି ଘାଟି। ଉର୍ମାଗଡ଼ ଜଳପ୍ରପାତ ସ୍ଥଳକୁ ବୁଲିଯିବାକୁ ହେଲେ ଏକ ଅତି ଭୟଙ୍କର ଘାଟି ରାସ୍ତା ଅତିକ୍ରମ କରିବାକୁ ପଡ଼ିଥାଏ। ଏହା ବ୍ୟତୀତ ବଣ୍ଡାପିପିଳି ଘାଟି, ବ୍ରାହ୍ମଣୀଗାଁ ଘାଟି ରାସ୍ତା ଦେଇ ଗଲାବେଳେ ମନରେ ରୋମାଞ୍ଚ ସୃଷ୍ଟି ହୋଇଥାଏ।

ଫୁଲବାଣୀରୁ ରଞ୍ଜନ ପ୍ରଧାନ

 

ସମ୍ବନ୍ଧିତ ଖବର