ଭୁବନେଶ୍ୱର: ରାଜନୈତିକ ଦଳଗୁଡ଼ିକୁ ବାଦ୍‌ ଦେଇ ଯଦି ଯୋଗ୍ୟତା ଆଧାରରେ ଆମେ ପ୍ରାର୍ଥୀଙ୍କ ଆକଳନ କରିବା ତେବେ ବିଜେଡି ଦେଇଥିବା ମହିଳା ପ୍ରାର୍ଥୀ ସ୍ଥାନୀୟ ବାସିନ୍ଦା ନୁହନ୍ତି। ବିଜେପି ପ୍ରାର୍ଥୀଙ୍କ ବାପା ବିଜେଡି ବିଧାୟକ ଥିଲେ କିନ୍ତୁ ସେ ରାତିଅଧିଆ ଦଳ ଡେଇଁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ଏହି ପ୍ରାର୍ଥୀ ଦ୍ବୟଙ୍କ ସହିତ କଂଗ୍ରେସ ପ୍ରାର୍ଥୀଙ୍କୁ ତୁଳନା କଲେ, ଘାସିରାମ ମାଝୀ ଜଣେ ଉଚ୍ଚ ଶିକ୍ଷିତ, ଆଇନଜୀବୀ, ଆଦିବାସୀ ଶ୍ରେଣୀରୁ ଆସି ଲୋକଙ୍କ ପାଇଁ ସଂଗ୍ରାମ କରିଥିବା ବ୍ୟକ୍ତିତ୍ବ। ସେ ଗତ ଚାରିଥର ନିର୍ବାଚନ ଲଢ଼ିଛନ୍ତି ଏବଂ ପ୍ରତ୍ୟେକ ନିର୍ବାଚନରେ ଭୋଟ ସଂଖ୍ୟା ବୃଦ୍ଧି ପାଇଛି। ଗତ ନିର୍ବାଚନରେ ସେ ସ୍ୱାଧୀନ ଭାବରେ ଲଢେଇ କରି ୫୧ ହଜାର ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିଲେ। ଏଥିରୁ ତାଙ୍କ ଲୋକପ୍ରିୟତା ଅନୁମାନ କରାଯାଇପାରେ। ଘାସିରାମ ମାଝୀ ଜଣେ ଯୋଗ୍ୟତମ ପ୍ରାର୍ଥୀ। ନୂଆପଡାବାସୀ ନିଜ ଚେତନା ଅନୁଯାୟୀ ଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି ଆଶା କରୁଛି ବୋଲି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

Advertisment

ନୂଆପଡ଼ା ଉପନିର୍ବାଚନକୁ ନେଇ ଆଜିଠାରୁ କଂଗ୍ରେସ ଭବନରେ ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ କରିବାକୁ ନିଷ୍ପତ୍ତି ହୋଇଛି। ଆଜି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ନୂଆପଡ଼ାରେ ଯାହା କାମ ହୋଇଛି କଂଗ୍ରେସ ସରକାର ସମୟରେ ହିଁ ହୋଇଛି। ପତୋରା, ତିଖାଲି ଡ୍ୟାମଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତୀକରଣ, ରାସ୍ତାଘାଟ ଏବଂ ଆଦିବାସୀଙ୍କ ଉନ୍ନତି ନିମନ୍ତେ କଂଗ୍ରେସ କାର୍ଯ୍ୟ କରିଛି। କିନ୍ତୁ ୨୪ ବର୍ଷଧରି ବିଜେଡି ଏବଂ ବର୍ତ୍ତମାନର ବିଜେପି ସରକାର ନୂଆପଡ଼ାକୁ କେବଳ ଉପେକ୍ଷା କରିଛନ୍ତି। ନୂଆପଡ଼ା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ସତ୍ତ୍ବେ ଆଜି ପର୍ଯ୍ୟନ୍ତ ଆଇଟିଡିଏ ପାଣ୍ଠି କାର୍ଯକାରୀ ହୋଇପାରିଲାନି। ବିଜେପି ସରକାରକୁ ଆସିଲା ପରେ ଲୋକଙ୍କ ଆଶା ଥିଲା କିଛି ଉନ୍ନତି ହେବ। କିନ୍ତୁ ଏହି ସରକାର କେବଳ ଶହ ଶହ ପ୍ରକଳ୍ପ, ଯୋଜନା ଆଦି ପ୍ରତିଶ୍ରୁତି ବାଣ୍ଟି ଚାଲିଛି, ଗୋଟିଏ ବି କାର୍ଯ୍ୟକାରୀ ହେଉନି। ଅମ୍ବାନୀ, ଅଦାନୀ ଆସୁଛନ୍ତି, ଅନିଲ ଅଗ୍ରୱାଲ ଆସୁଛନ୍ତି କିନ୍ତୁ କାମ ଶୂନ। ନୂଆପଡ଼ାରୁ ଦାଦନ ଖଟିବା ପାଇଁ ୪୦ ହଜାର ଲୋକ ବାହାରକୁ ଯାଆନ୍ତି। ମନରେଗା ବଜେଟ୍‌ ସରକାର ଅହେତୁକ କମାଇ ଦେଇଛନ୍ତି। ଏବେ ଯାହା ବି ଟଙ୍କା ଆସୁଛି ତାକୁ ମଧ୍ୟ ଖର୍ଚ୍ଚ କରିବାକୁ ସମର୍ଥ ନୁହନ୍ତି।

ନୂଆପଡ଼ାବାସୀ ଯଦି ଡବଲ୍‌ ଇଞ୍ଜନ୍‌ ହେଉ କିମ୍ବା ୨୪ ବର୍ଷର ଶାସନ ସହିତ ତୁଳନା କରିବେ ତେବେ ନିଶ୍ଚୟ କଂଗ୍ରେସକୁ ଭୋଟ ଦେବେ। କଂଗ୍ରେସ କେବେ ନୂଆପଡ଼ାବାସୀ, ଆଦିବାସୀ ଦଳିତ କାହାକୁ ଅବହେଳା କରିନି। କଂଗ୍ରେସର ଆଉ ଏକ ବିଶେଷତ୍ୱ ହେଲା ଆମ ପିସିସି ସଭାପତି ଭକ୍ତ ଚରଣ ଦାସ ନୂଆପଡ଼ା, କଳାହାଣ୍ଡି ସଂସଦୀୟ କ୍ଷେତ୍ରର ସାଂସଦ ଥିଲେ। ତାଙ୍କ ସମୟରେ ନୂଆପଡ଼ାରେ ଅନେକ ବିକାଶ ମୂଳକ କାର୍ଯ୍ୟ ହୋଇଛି। ତାଙ୍କ ଲୋକ ସମ୍ପର୍କ ମଜଭୁତ ଅଛି ଓ ସେ ସେଠାରେ ରହି କଠିନ ପରିଶ୍ରମ କରୁଛନ୍ତି। ବିଜେପି ବିଗତ ୧୬ ମାସ ହେଲା କିଛି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି କି ? କେବଳ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। ମୁଖ୍ୟମନ୍ତ୍ରୀ ନିର୍ବାଚନ ଆଚରଣ ବିଧି ଘୋଷଣାର ୧ ଘଣ୍ଟା ପୂର୍ବରୁ ଖରିଆରରୋଡ୍‌କୁ ପୌର ପରିଷଦ ଘୋଷଣା କରିବା ତାହାର ଉଦାହରଣ। 

ଏହାସହ ଶ୍ରୀ ପଟ୍ଟନାୟକ କହିଛନ୍ତି କଂଗ୍ରେସ ଏକଜୁଟ ଅଛି। ଆମେ ସମସ୍ତେ ନୂଆପଡ଼ା ପ୍ରଚାରରେ ଯିବୁ। ଉପକୂଳିଆ ନେତାଙ୍କୁ ବାରଣ କରାଯିବା ଭ୍ରମାତ୍ମକ କଥା। ଅନେକ ନେତା ଗଲେଣି, ଆମେ ମଧ୍ୟ ଯିବୁ। ନୂଆପଡ଼ାବାସୀ ଅନୁଶୀଳନ କରନ୍ତୁ କାହା ସମୟରେ କେତେ କାମ ହୋଇଥିଲା। ସବୁଠୁ ଯୋଗ୍ୟ ପ୍ରାର୍ଥୀ କଂଗ୍ରେସର ଘାସିରାମ ମାଝୀଙ୍କୁ ନୂଆପଡ଼ାବାସୀ ଜିତାଇବା ଦରକାର। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ ଓ ରଜନୀ କୁମାର ମହାନ୍ତି ଉପସ୍ଥିତ ଥିଲେ।