ବୀରୋତ୍ତମ ସାହୁ
ବ୍ରହ୍ମପୁର: ଜଳବାୟୁ ପରିବର୍ତ୍ତନର ଜ୍ବଳନ୍ତ ନମୁନା। ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ୍ ଚାଷୀଙ୍କ ଜୀବନରେଖା ଘୋଡ଼ାହାଡ଼ ଡ୍ୟାମ୍ ଆଜି ଶ୍ରୀହୀନ ପାଲଟିଯାଇଛି। ଚଳିତବର୍ଷ ପର୍ଯ୍ୟାପ୍ତ ବର୍ଷାଭାବ କାରଣରୁ ଡ୍ୟାମ୍ର ସିଂହଭାଗ ଶୁଖିଯାଇଛି। ସ୍ଥିତି ଏମିତି ହୋଇଛି ଯେ, ଦିନେ ପାଣିରେ ଉଛୁଳୁଥିବା ଏହି ବିସ୍ତୀର୍ଣ୍ଣ ଜଳଭଣ୍ଡାର ଆଜି ଖେଳପଡ଼ିଆ ପାଲଟିଛି। ଯେଉଁଠି ପିଲାମାନେ ଦିନସାରା କ୍ରିକେଟ୍ ଓ ଅନ୍ୟ ଖେଳ ଖେଳୁଛନ୍ତି। କେବଳ ଏତିକି ନୁହେଁ, ପୂର୍ବରୁ ଏଠାରେ ପାଣି ଭର୍ତ୍ତି ହୋଇ ରହୁଥିବା ବେଳେ ଖେମୁଣ୍ଡି ରାଜାଙ୍କ ଦ୍ବାରା ନିର୍ମିତ ପୁରାତନ ଜଗନ୍ନାଥ ମନ୍ଦିରର ଉପରଭାଗ କେବଳ ଦୃଶ୍ୟମାନ ହେଉଥିଲା। ଆଉ ପର୍ଯ୍ୟଟକମାନେ ଲଞ୍ଚ୍ ଓ ଡଙ୍ଗାରେ ଆସି ଏହାକୁ ଦର୍ଶନ କରିପାରୁ ନଥିଲେ। କିନ୍ତୁ ବର୍ତ୍ତମାନ ଚିତ୍ର ବଦଳିଯାଇଛି। ଲୋକେ ପାଦଚଲା ରାସ୍ତାରେ ଆସି ପୂରା ମନ୍ଦିରଟିକୁ ଦେଖୁଛନ୍ତି। ଡ୍ୟାମ୍ର ଏଭଳି ସ୍ଥିତିକୁ ନେଇ ପରିବେଶବିତ୍ ଚିନ୍ତା ପ୍ରକଟ କରିଛନ୍ତି। ୧୯୭୬ ମସିହାରେ ଡ୍ୟାମ୍ ନିର୍ମାଣ ହେବା ପରଠୁ କେବେବି ଏଭଳି ସ୍ଥିତି ଦେଖିବାକୁ ମିଳି ନଥିଲା ବୋଲି କିଛି ବରିଷ୍ଠ ନାଗରିକ ଓ ଚାଷୀ ଆଲୋଚନା ବେଳେ କହିଛନ୍ତି।
ତେବେ ଡ୍ୟାମ୍ ଶୁଖିବା ପଛରେ ପ୍ରକୃତ କାରଣ ମନୁଷ୍ୟକୃତ ନା ପ୍ରାକୃତିକ ଏହାକୁ ନେଇ ଆତ୍ମଚିନ୍ତନ କରିବାର ସମୟ ଆସିଛି ବୋଲି ପରିବେଶବିତ୍ ମତ ରଖିଛନ୍ତି। ୧୯୭୬ ମସିହାରେ ତିଆରି ଏହି ଡ୍ୟାମ୍ରୁ କେନାଲ ଯୋଗେ ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ୍ର ବହୁ ପଞ୍ଚାୟତକୁ ଜଳସେଚନ ହୋଇପାରୁଥିଲା। ଜଳାଭାବ ସମୟରେ ଏହି ଡ୍ୟାମ୍ ଚାଷୀଙ୍କ ପାଇଁ ଏକମାତ୍ର ସାହାଭରସା ଥିଲା। କିନ୍ତୁ ଚଳିତବର୍ଷ ଡ୍ୟାମ୍ ସଂପୂର୍ଣ୍ଣ ଭାବେ ଶୁଖିଯିବା କାରଣରୁ ଜମିକୁ ବୁନ୍ଦାଏ ବି ପାଣି ମିଳୁନି। ସହସ୍ରାଧିକ ଏକର ଚାଷଜମି ଫାଟି ଆଁ କରିସାରିଛି। ଖରିଫ୍ ଚାଷ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଆଉ ଧାରକରଜ କରିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ମରୁଡ଼ି ଘୋଷଣା ସହିତ କ୍ଷତିପୂରଣ ପ୍ରଦାନ ଛଡ଼ା ଆଉ କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ। ତେବେ ଡ୍ୟାମ୍ ଶୁଖିବା ପଛରେ ବିଭାଗୀୟ ଅଧିକାରୀଙ୍କୁ ବିଭିନ୍ନ କୃଷକ ସଂଗଠନ ଦାୟୀ କରିଛନ୍ତି। ପାଣି ଜଳସେଚନ ପାଇଁ ଉଦ୍ଦିଷ୍ଟ ରହିଥିଲେ ହେଁ, ବେପରୁଆ ଭାବେ ଯାତ୍ରା ଓ ନାଟକ ସମୟରେ ଡ୍ୟାମ୍ରୁ ପାଣି ଛଡ଼ାଯାଉଥିଲା। ଏବେ ସେହି ପାଣି ବୁନ୍ଦାଏ ପାଇଁ ଜମି ଶୁଖିଲା ପଡ଼ିଥିବା ଅଭିଯୋଗ ହୋଇଛି।
ଅନ୍ୟପକ୍ଷରେ ଡ୍ୟାମ୍କଡ଼ରେ ପର୍ଯ୍ୟଟକଙ୍କ ପାଇଁ ଇକୋ ଟୁରିଷ୍ଟ୍ ସ୍ପଟ୍ ନିର୍ମାଣ ହୋଇଛି। ବୋଟିଂ ପାଇଁ ୧୦ଟି ଲଞ୍ଚ୍ ବ୍ୟବସ୍ଥା ହୋଇଥିବା ବେଳେ ଏକ କାଫେ ଓ ହୋଟେଲ୍ ଖୋଲାଯାଇଛି। ଏହାର ତଦାରଖ ଓ ରକ୍ଷଣାବେକ୍ଷଣ ଦାୟିତ୍ବ ଦୁଇଟି ମିସନ୍ ଶକ୍ତି ମହିଳା ଗ୍ରୁପ୍କୁ ନ୍ୟସ୍ତ କରାଯାଇଛି। ଫଳରେ ସେମାନେ ସ୍ବାବଲମ୍ବୀ ହୋଇପାରୁଛନ୍ତି। କିନ୍ତୁ ବର୍ତ୍ତମାନ ପାଣି ଶୁଖିଯାଇଥିବାରୁ ଚଳିତବର୍ଷ ପର୍ଯ୍ୟଟକଙ୍କ ଦେଖା ମିଳୁନି। ସେହିପରି ଡ୍ୟାମ୍ରେ ରହୁଥିବା କୁମ୍ଭୀର ମଧ୍ୟ ନିକଟସ୍ଥ ଗାଁ ଗୁଡ଼ିକର ବିଭିନ୍ନ ଜଳାଶୟକୁ ଚାଲିଯାଇଛନ୍ତି। ଚଳିତବର୍ଷ ଜାନୁଆରି ମାସରେ ଗଣନା ବେଳେ ଏଠାରେ ୬୪ଟି କୁମ୍ଭୀର ରହିଥିଲେ। କିନ୍ତୁ ବର୍ତ୍ତମାନ ପାଣି ଶୁଖିଯାଇଥିବାରୁ କୁମ୍ଭୀର ଗୁଡ଼ିକ ଜଳାଶୟକୁ ପଳାଇ ବେଳେବେଳେ ଜନବସତିମୁହାଁ ହେଉଛନ୍ତି। ଫଳରେ ଲୋକଙ୍କ ଜୀବନ ଏବେ ବିପଦରେ ପଡ଼ିଛି। ବିଗତ କିଛିମାସ ମଧ୍ୟରେ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି। ଗତ ଜୁଲାଇ ୨୦ ତାରିଖରେ ଗୌଡ଼ଗାଁ ପଞ୍ଚାୟତ ଦାଉଣି ଗ୍ରାମରେ ଟୁକୁନା ବେହେରା ନାମକ ଜଣେ ଯୁବକ କୁମ୍ଭୀର ଆକ୍ରମଣରେ ଗୁରୁତର ହୋଇଥିଲେ। ଜୁନ୍ ୨୬ ତାରିଖରେ ଟିକରପଡ଼ା ଗ୍ରାମରେ ଜଣେ ନାବାଳକ କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଥିଲେ।