ଆମେ କ’ଣ ଭୂତ!

କମିସନରେଟ୍‌ ପୁଲିସର ଟ୍ବିଟ୍‌ରେ ଏକ ପୋଷ୍ଟରରେ ଥିବା ଭୂତର କାଳ୍ପନିକ ଚିତ୍ର‌କୁ ନେଇ ଚର୍ଚା

ଭୁବନେଶ୍ବର : କୋଭିଡ୍‌-୧୯ ମୁକାବିଲା ପାଇଁ ଜୀବନକୁ ବିପନ୍ନ କରି ଜରୁରିକାଳୀନ ସେବାରେ ଥିବା କର୍ମଚାରୀ ତଥା ଅଧିକାରୀମାନଙ୍କୁ ସରକାର ପ୍ରଶଂସା କରିଛନ୍ତି। ଏହି ତାଲିକାରେ ଡାକ୍ତର, ନର୍ସ, ପୁଲିସ, ଅଗ୍ନିଶମ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ରହିଛନ୍ତି। ଯାହାଙ୍କୁ ସରକାର କରୋନା ଯୋଦ୍ଧା ଭାବରେ ନାମିତ କରିଛନ୍ତି। ନିଜ ଜୀବନକୁ ବିପନ୍ନ କରି ଏମାନେ କାମରେ ଲାଗିପଡ଼ିଥିବା ବେଳେ କମିସନରେଟ୍‌ ପୁଲିସର ଏକ ଟ୍ବିଟ୍‌ ସମସ୍ତଙ୍କୁ ଆଚମ୍ବିତ କରିଛି। ଏକ ଟ୍ବିଟ୍‌ରେ କମିସନରେଟ୍‌ ପୁଲିସ ଲେଖିଛି କି, ସନ୍ଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ ଭୂତ ବୁଲନ୍ତି। ଟ୍ବିଟ୍‌ରେ ଏକ ପୋଷ୍ଟର ମଧ୍ୟ ରହିଛି ଯେଉଁଥିରେ ଭୂତର କାଳ୍ପନିକ ଚିତ୍ର ରହିଛି। ତେବେ କମିସନରେଟ୍‌ ପୁଲିସ ଆଖିରେ ଭୂତ କିଏ? ତାହାକୁ ନେଇ ଏବେ ଚର୍ଚା ଚାଲିଛି। ଅନେକ କରୋନା ଯୋଦ୍ଧା ଏହାକୁ ଗ୍ରହଣ କରିପାରି ନାହାନ୍ତି।

ଗତ ରାତିରେ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ରଞ୍ଜନ ମଙ୍ଗରାଜ ବୈଠକ ସାରି ସଚିବାଳୟରୁ ଫେରୁଥିଲେ। ଏଜି ଛକରେ ପୁଲିସ ଅଫିସର ନିର୍ମଳ ଶତପଥୀ ତାଙ୍କୁ ଅଟକାଇ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ସରକାରୀ ଗାଡ଼ିକୁ ପୁଲିସ ଚିହ୍ନି ନ ପାରିବା ଓ ଓଲଟାର ଦୁର୍ବ୍ୟବହାର କରିବା ଘଟଣାକୁ ନେଇ ଆଜି ଦିନ ତମାମ୍‌ ଉପର ମହଲାରେ ତମ୍ବି ତୋଫାନ ହୋଇଥିଲା। ସେଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିରେ କରୋନା ଯୋଦ୍ଧାଙ୍କୁ କମିସନରେଟ୍‌ ପୁଲିସର ଭୂତ ବୋଲି ସମ୍ବୋଧନ କରିବା ପ୍ରସଙ୍ଗ ପୁଣି ଥରେ ପୁଲିସକୁ ଚର୍ଚ୍ଚାକୁ ଆଣିଛି।

ତେବେ କେବଳ ଏହି ପ୍ରସଙ୍ଗ ନୁହେଁ, ବରଂ ରାତିରେ ଭୂତ ବୁଲିବା କହି କମିସନରେଟ୍‌ ପୁଲିସ ଅନ୍ଧବିଶ୍ବାସକୁ ପ୍ରୋତ୍ସାହନ ଦେଇଛି ବୋଲି କେତେକ ସାମାଜିକ କର୍ମୀ ଅଭିଯୋଗ କରିଛନ୍ତି। ସମାଜରୁ ଅନ୍ଧବିଶ୍ବାସ ଦୂର କରିବା ପାଇଁ ସରକାର ଉଦ୍ୟମ ଜାରି ରଖିଥିବା ବେଳେ କମିସନରେଟ୍‌ ପୁଲିସର ଏଭଳି ଟ୍ବିଟ୍‌ ଅନେକଙ୍କୁ ଆଚମ୍ବିତ କରିଛି।

ସୂଚନାଯୋଗ୍ୟ, କୋଭିଡ୍‌-୧୯ ମୁକାବିଲା ପାଇଁ ତାଲାବନ୍ଦ ପ୍ରକ୍ରିୟା ଜାରି ରହିଛି। ସେତିକିବେଳେ ସନ୍ଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ କର୍ଫ୍ୟୁ ଭଳି କଟକଣା ଜାରି ହୋଇଛି। କେବଳ ଜରୁରିକାଳୀନ ବ୍ୟବସ୍ଥାରେ ଥିବା କର୍ମଚାରୀଙ୍କୁ ଛାଡ଼ିଦେଲେ ଆଉ କେହି ବାହରକୁ ବାହାରିବେ ନାହିଁ। ସରକାରଙ୍କ ଗୃହ ବିଭାଗର ଏହି ଆଦେଶକୁ ଆଧାର କରି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ବିଜ୍ଞପ୍ତି ଜାରି କରିବା ସହ କଟକଣା କଡ଼ାକଡ଼ି କରିଛନ୍ତି। ତେବେ ଆଜି ଏ ନେଇ ସଚେତନତା ସୃଷ୍ଟି କରିବା ଅବସରରେ ଆଜି କମିସନରେଟ୍‌ ପୁଲିସର ଏହି ଟ୍ବିଟ୍‌ କରୋନା ଯୋଦ୍ଧାଙ୍କୁ ଆଘାତ ଦେଇଛି। ଟ୍ବିଟ୍‌ରରେ ମଧ୍ୟ ଅନେକେ ପୁଲିସ ଉପରକୁ ଅଙ୍ଗୁଳି ଉଠାଇବା ସହ କାହାକୁ ଭୂତ କୁହାଯାଉଛି ବୋଲି ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର