ଭୂତ ରାସନ କାର୍ଡ ହିତାଧିକାରୀ ପ୍ରସଙ୍ଗ: ବର୍ଷକୁ ୫ କୋଟିର ସାମଗ୍ରୀ ଲୁଟ୍‌ ଅଭିଯୋଗ

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ୩୦୮୬ ଭୂତ ରାସନ କାର୍ଡ ହିତାଧିକାରୀଙ୍କ ନାମ‌ରେ କୋଟି କୋଟି ଟଙ୍କାର ଚାଉଳ, ଗହମ ଦୁର୍ନୀତି ହେଉଥିବା ଅଭିଯୋଗ ଆସିଛି। ଏସବୁର ତଦନ୍ତ ପ୍ରାର୍ଥନା କରି ଲୋକୟୁକ୍ତଙ୍କ ଅଦାଲତରେ ରାଜ୍ୟ ଯୋଗାଣ ମନ୍ତ୍ରୀ, ଯୋଗାଣ ସଚିବ, ନୟାଗଡ଼ ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକ୍‌, ଏନ୍‌ଏସି, ମ୍ୟୁନିସିପାଲିଟିର ମାର୍କେଟିଙ୍ଗ ଇନ୍ସପେକ୍ଟର(ଏମ୍‌ଆଇ)ଙ୍କୁ ପକ୍ଷଭୁକ୍ତ କରି ନୟାଗଡ଼ର ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ମାମଲା ଦାଏର କରିଛନ୍ତି। ରାସନ୍‌ କାର୍ଡ ହିତାଧିକାରୀଙ୍କୁ ରାଜ୍ୟ ସରକାର ମହାମାରୀ କରୋନା ସମୟରେ ଏକ ହଜାର ଟଙ୍କା ଲେଖାଏ ସହାୟତା ଅର୍ଥରାଶି ପ୍ରଦାନ କରିଥିଲେ। ଜିଲ୍ଲାର ସମସ୍ତ ରାସନ୍‌ କାର୍ଡ ହିତାଧିକାରୀ ସେମାନଙ୍କର ପ୍ରାପ୍ୟ ନେଇଯିବା ପରେ ୩୦୮୬ ହିତାଧିକାରୀ ଏହି ଟଙ୍କା ନେଇ ନ ଥିଲେ। ଯଦି ପ୍ରତି ମାସରେ ଏମାନେ ଚାଉଳ, ଗହମ ନେଉଥିଲେ ଅଥବା ଏମାନଙ୍କ ପାଇଁ ଆଉ କିଏ ନେଉଥିଲେ, ତେବେ ସିଧାସଳଖ ଟଙ୍କା ନେବାବେଳକୁ ଏମାନେ କୁଆ‌ଡ଼େ ଗଲେ ବୋଲି ପ୍ରଶ୍ନ ଉଠିଛି।

ବର୍ଷକୁ ୫ କୋଟିର ସାମଗ୍ରୀ ଲୁଟ୍‌ ଅଭିଯୋଗ
ଜିଲ୍ଲାପାଳ, ଏମ୍‌ଆଇଙ୍କୁ ପକ୍ଷଭୁକ୍ତ କରି ଲୋକାୟୁକ୍ତରେ ମାମଲା

ରଣପୁର ବ୍ଲକ୍‌ରେ କେତେ ହିତାଧିକାରୀ ଟଙ୍କା ନେଇ ନଥିଲେ, ତାହାର ତଥ୍ୟ ଏପର୍ଯ୍ୟନ୍ତ ବ୍ଲକ୍‌ ପ୍ରଶାସନ ଜିଲ୍ଲା ଯୋଗାଣ ବିଭାଗକୁ ଦେଇପାରିନାହିଁ। ତେଣୁ ରଣପୁର ବ୍ଲକ୍‌ ଓ ଏନ୍‌ଏସିକୁ ମିଶାଇଲେ ଏଭଳି ଭୂତ ହିତାଧିକାରୀଙ୍କ ସଂଖ୍ୟା ଜିଲ୍ଲାରେ ପାଞ୍ଚ ହଜାର ଟପିବାର ଆଶଙ୍କା ଥିବା ଆଇନଜୀବୀ ଶ୍ରୀ ଦାଶ ଦର୍ଶାଇଛନ୍ତି। ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ୨୦୧୩ ପରଠାରୁ ପ୍ରତ୍ୟେକ ଗରିବ ପରିବାର ସଭ୍ୟମାନଙ୍କୁ ପ୍ରତି ମାସରେ ପାଞ୍ଚ କେଜି ଚାଉଳ, ଗହମ କିଲୋ ପିଛା ୧ ଟଙ୍କାରେ ଯୋଗାଇ ଦିଆଯାଉଛି। ଯଦି ଜିଲ୍ଲାରେ ପାଞ୍ଚ ହଜାର ଭୂତ ରାସନ କାର୍ଡ ହିତାଧିକାରୀମାନଙ୍କ ନାଁରେ ଚାଉଳ, ଗହମ ପ୍ରତି କାର୍ଡ ପିଛା ଅନୂନ୍ୟ କୋଡ଼ିଏ ପଚିଶ କେଜି ହଡ଼ପ ହେଉଥାଏ, ତେବେ କାର୍ଡ ପିଛା ମାସିକ ୭୫୦ ଟଙ୍କା ଏବଂ ପାଞ୍ଚ ହଜାର କାର୍ଡରେ ମାସକୁ ୩୭,୫୦,୦୦ ହିସାବରେ ବର୍ଷକୁ ଚାରି କୋଟି ପଚାଶ ଲକ୍ଷ ଟଙ୍କା ହଡ଼ପ ହେଉଥିବା ଆଇନଜୀବୀ ଶ୍ରୀ ଦାଶ କହିଛନ୍ତି। କେତେବର୍ଷ ହେଲାଣି ଏମିତି ଭୂତ କାର୍ଡରେ ଚାଉଳ ଗହମ ହଡପ ହେଉଛି ତାହା ତଦନ୍ତ ହେଲେ ଜଣାପଡ଼ିବ। ଏହାର ତଦନ୍ତ ପାଇଁ ଆଇନଜୀବୀ ଶ୍ରୀ ଦାଶ ଲୋକାୟୁକ୍ତଙ୍କ ମାମଲା ଜରିଆରେ ନିବେଦନ କରିଛନ୍ତି।

ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ସତ୍ତ୍ବେ ରିପୋର୍ଟ ମିଳିନି

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଭୂତ ରାସନ୍‌ କାର୍ଡ ହିତାଧିକାରୀ ସନ୍ଦେହ ପ୍ରସଙ୍ଗରେ ‘ସମ୍ବାଦ’ରେ ଗତ ଜୁଲାଇ ୧୭ ଓ ୨୦ ତାରିଖରେ ଖବର ପ୍ରକାଶ ପାଇଥିଲା। ଏହା ପରେ ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ୨୨ ତାରିଖ‌ରେ ସହକାରୀ ଯୋଗାଣ ଅଧିକାରୀ(ଏସିଏସ୍‌ଓ) ତିଳୋତ୍ତମା ପ୍ରଧାନଙ୍କୁ ପ୍ରଦାନ କରିଥିଲେ। ୭ ଦିନ ମଧ୍ୟରେ ଅର୍ଥାତ୍‌ ୨୯ ତାରିଖ ସୁଦ୍ଧା ଏ ନେଇ ଜିଲ୍ଲାପାଳଙ୍କୁ ଏସିଏସ୍‌ଓ ଶ୍ରୀମତୀ ପ୍ରଧାନ ରିପୋର୍ଟ ଦେବା କଥା। କିନ୍ତୁ ୨୯ ତାରିଖ ସୁଦ୍ଧା ଏସିଏସ୍‌ଓ ରିପୋର୍ଟ ଦାଖଲ କରି ନଥି‌ଲେ। ଫଳରେ ପ୍ରକାଶିତ ସମସ୍ତ ଘଟଣାକୁ ଆଧାର କରି ଆଇନଜୀବୀ ରଣଜିତ ଦାଶ ଲୋକାୟୁକ୍ତରେ ମାମଲା ଦାଏର କରିଛନ୍ତି। ବ୍ଲକ୍‌ କର୍ତ୍ତୃପକ୍ଷଙ୍କୁ ଗଣମାଧ୍ୟମ ତଥ୍ୟ ମାଗିଲେ ସେମାନେ ତଥ୍ୟ ପ୍ରଦାନ ନ କରିବ‌ା, ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ପରେ ବ୍ଲକ୍‌ କର୍ତ୍ତୃପକ୍ଷ ରିପୋର୍ଟ ନ ଦେବା କାରଣରୁ ଦୁର୍ନୀତି ହୋଇଥିବା ନେଇ ସନ୍ଦେହ ବଢାଉଥିବା ଆଇନଜୀବୀ ଶ୍ରୀ ଦାଶ କହିଛନ୍ତି। ୭ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ଜୁଲାଇ ୧ ସୁଦ୍ଧା ଏସିଏସ୍‌ଓ ରି ପୋର୍ଟ ଦାଖଲ କରିନାହାନ୍ତି। ୩ ଗୋଟି ବ୍ଲକ୍‌ ଏବେବି ତଥ୍ୟ ପ୍ରଦାନ କରି ନଥିବା ଏସିଏସ୍‌ଓ ଶ୍ରମତୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର