କଟକ,୧୫/୫(ଇମିସ): କାଗଜପତ୍ରରେ ସ୍କୁଲରେ ଛାତ୍ରଛାତ୍ରୀ ନାମ ଲେଖାଇଥିବା ଦର୍ଶାଯାଇଛି। ନାମ ଲେଖାଇଥିବା ଛାତ୍ରଛାତ୍ରୀ ବାସ୍ତବରେ କିନ୍ତୁ ନାହାନ୍ତି। ଏଭଳି ଭୂତ ଛାତ୍ରଛାତ୍ରୀଙ୍କ ନାଁରେ ମଧ୍ୟାହ୍ନ ଭୋଜନ ଓ ଅନ୍ୟାନ୍ୟ ସୁବିଧା ବାବଦରେ ଆସୁଥିବା ସରକାରୀ ଅର୍ଥ ହଡ଼ପ କରାଯାଉଛି। ଏଭଳି ଅଭିଯୋଗ ଉପରେ ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଜାଲ ସାର୍ଟି‌ଫିକେଟ ବଳରେ ଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ସାନି ସ୍ଥିତି ସଂକ୍ରାନ୍ତରେ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ସଂଜୟ କୁମାର ମହାରଣାଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୨କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ୨୦୨୩ ଜୁଲାଇ ୧୯ ସୁଦ୍ଧା ରହିଥିବା ସ୍ଥିତି ନେଇ ଏକ ସତ୍ୟପାଠ ଗତ ଜୁଲାଇ ୨୧ରେ ଦାଖଲ କରାଯାଇଥିଲା। ଜାଲ ସାର୍ଟିଫିକେଟ ବଳରେ ଶିକ୍ଷକ ନିଯୁକ୍ତି ପାଇଥିବା ୩୮୪କୁ ଚିହ୍ନଟ କରାଯାଇଥିଲା। ଏଭଳି ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରାଯିବା ସହିତ ଅପରାଧିକ ମାମଲା ମଧ୍ୟ ରୁଜୁ ହୋଇଥିଲା। ଏଭଳି ଘଟଣାରେ ୨୩୧ ଜଣଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଜାଲ ସାର୍ଟିଫିକେଟ ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଓ ଚାକିରିରୁ ବହିଷ୍କାର ସଂପର୍କିତ ନୋଟିସ ପାଇବା ପରେ କେତେ ଜଣ ଅଦାଲତରେ ମାମଲା ରୁଜୁ କରିଛନ୍ତି। ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ରହିଥିବା ସ୍ଥିତି ସଂକ୍ରାନ୍ତରେ ସତ୍ୟପାଠରେ ତଥ୍ୟ ରହିଥିଲା। ସାନି ସ୍ଥିତି ସଂକ୍ରାନ୍ତରେ ଅବଗତ କରିବାକୁ ସରକାରଙ୍କ ତରଫରୁ ଅଧିକ ସମୟ ଲୋଡ଼ା ଯାଇଥିଲା। ମାମଲାର ବିବରଣୀରୁ ପ୍ରକାଶ ଯେ ଆନ୍ଧ୍ରପ୍ରଦେଶ, ଜମ୍ମୁ କାଶ୍ମୀର, ରାଜସ୍ଥାନ ଓ ଅନ୍ୟ କେତେକ ରାଜ୍ୟରୁ ଜାଲ ଶିକ୍ଷାଗତ ପ୍ରମାଣପତ୍ର ଆଣି ଓଡ଼ିଶାରେ କେତେକ ଶିକ୍ଷକ ଚାକିରି କରୁଥିବା ଅଭିଯୋଗ ଆଣି ଏହି ମାମଲା ରୁଜୁ ହୋଇଛି। ଏଥି ସହିତ ଜାଲ ସ୍କୁଲ ଓ ଜାଲ୍ ଛାତ୍ରଛାତ୍ରୀଙ୍କ ସଂପର୍କରେ ମଧ୍ୟ ଅଭିଯୋଗ ହୋଇଛି। ଚଞ୍ଚକତା କରି ସରକାରୀ ଅର୍ଥ ହଡପ ପାଇଁ ଏପରି ଜାଲିଆତି କରାଯାଉଛି। ଏହି ଘଟଣାର ଉପଯୁକ୍ତ ତଦନ୍ତ ହେବା ସହିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିବେଦନ କରାଯାଇଛି। ମାମଲାରେ ଆମିକସକ୍ୟୁରୀ ଭାବେ ଆଇନଜୀବୀ ସୁଦର୍ଶନ ନନ୍ଦଙ୍କୁ ହାଇକୋର୍ଟ ନିଯୁକ୍ତି ଦେଇଛନ୍ତି।