ବ୍ରହ୍ମପୁର : ରାଜ୍ୟସଭା ବିରୋଧୀ ଦଳ ନେତା ଗୁଲାମ୍‌ ନବୀ ଆଜାଦ୍‌ ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ରାମଚନ୍ଦ୍ର ରଥଙ୍କୁ ତାଙ୍କ ବ୍ରହ୍ମପୁରସ୍ଥିତ ବାସଭବନରେ ସାକ୍ଷାତ କରିଛନ୍ତି। ଗୁଲାମ୍‌ଙ୍କ ଏଭଳି ଅଚାନକ ଗସ୍ତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଆଜି ସକାଳ ପ୍ରାୟ ୧୧ଟାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗୁଲାମ୍‌ଙ୍କ କାର୍‌ ଦଳୁଆ ସାହି ସ୍ଥିତ ରାମଚନ୍ଦ୍ରଙ୍କ ବାସଭବନ ନିକଟରେ ପହଞ୍ଚିଥିଲା। ପ୍ରାୟ ଅଧଘଣ୍ଟାରୁ ସମୟ ଅଧିକ ଧରି ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି ଏନେଇ କିଛି ସ୍ପଷ୍ଟ ହୋଇପାରିନି। ଖୋଦ୍‌ ଜିଲ୍ଲା ସଭାପତି ତଥା ଦଳର ଅନ୍ୟ ନେତା ମାନେ ଗୁଲାମ୍‌ଙ୍କ ଗସ୍ତ ବିଷୟରେ କୌଣସି ସୂଚନା ପାଇ ନଥିଲେ ବୋଲି କହିଛନ୍ତି।

Advertisment

ତେବେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି କୁହାଯାଉଥିଲେ ବି ରାଜନୈତିକ ସମୀକ୍ଷକ ମାନେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ରଖିବା ଆରମ୍ଭ କରିଛନ୍ତି। କାରଣ ଦୀର୍ଘ ୧୮ ବର୍ଷ ଧରି କ୍ଷମତାରୁ ଦୂରେଇ ରହିଥିବା ରାଜ୍ୟ କଂଗ୍ରେସର ଦୟନୀୟ ଅବସ୍ଥା ଜିଲ୍ଲାରେ ଦଳର ବହୁ ହେଭିେଓ୍ଵଟ ନେତାଙ୍କୁ ବିଚଳିତ କରିଛି। ଫଳରେ ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଦଳକୁ ସାଂଗଠନିକ ସ୍ଥିତିରେ ସୁଦୃଢ କରିବାକୁ କେନ୍ଦ୍ରୀୟ ନେତା ମାନେ ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ଅଭିଜ୍ଞତାକୁ ପାଥେୟ କରିଛି ଦଳ। ଦଳଠୁ ଦୂରେଇ ଯାଇଥିବା ବରିଷ୍ଠ ନେତାଙ୍କ ଘରବାହୁଡ଼ା ପାଇଁ ପ୍ରୟାସ ଆରମ୍ଭ କରାଯାଉଥିବା ଚର୍ଚ୍ଚା ହେଉଛି।