ଭଞ୍ଜନଗର (ବିଶ୍ବମ୍ବର ଜେନା): ଗତ ଦୁଇବର୍ଷ ଧରି କରୋନା ମହାମାରୀର ପ୍ରାଦୁର୍ଭାବ ସାରା ବିଶ୍ବକୁ ହୋହଲାଇ ଦେଇଥିଲା। ଲକ୍ଷାଧିକ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଗୁରୁତର ଭାବେ ସଂକ୍ରମିତ ହେଲେ। ଆଉ ଅମ୍ଳଜାନ ଅଭାବରୁ ଅଧିକାଂଶ ସଂକ୍ରମିତଙ୍କ ଜୀବନଦୀପ ଲିଭିଯିବା ଭଳି ଅନେକ ଘଟଣା ସାମ୍ନାକୁ ଆସିଥିଲା। ଫଳରେ ପ୍ରକୃତିରୁ ମିଳୁଥିବା ଅମ୍ଳଜାନ ସମସ୍ତଙ୍କ ପାଇଁ କେତେ ମହଙ୍ଗା ଏବଂ ସ୍ବଚ୍ଛ ପରିବେଶ ଓ ବୃକ୍ଷରୋପଣର କେତେମାତ୍ରାରେ ଗୁରୁତ୍ବ ରହିଛି ଏହାକୁ ମାନବସମାଜ ହୃଦୟଙ୍ଗମ କରିସାରିଥିଲା। ଏହାମଧ୍ୟରେ କରୋନା ମହାମାରୀର ପ୍ରାଦୁର୍ଭାବ ଯଥେଷ୍ଟ ହ୍ରାସ ପାଇବା ସହ ଜନଜୀବନ ସ୍ବାଭାବିକ ହୋଇପାରିଛି। ତଥାପି ପ୍ରକୃତିର ସୁରକ୍ଷା ପାଇଁ କେହିବି ଯତ୍ନବାନ୍ ହେଉ ନଥିବା ମନେ ହେଉଛି। ପ୍ରକୃତିକୁ ନିଜ କରାୟତ୍ତ କରିବା ଲକ୍ଷ୍ୟରେ ମଣିଷ ନିଜ ହିତାହିତ ଜ୍ଞାନ ଭୁଲିଯାଇଛି। ବିକାଶ ନାଁରେ ଜଙ୍ଗଲର ବିନାଶ ହେଉଥିବା ବେଳେ ବନ୍ୟଜନ୍ତୁଙ୍କ ଜୀବନ ଓ ଜଙ୍ଗଲ ସଂପଦ ସଂକଟରେ ପଡ଼ିଛି। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି, ରାଜ୍ୟର ଅନ୍ୟତମ ବୃହତ୍ ବନଖଣ୍ଡ ଘୁମୁସରରେ।
ଗତବର୍ଷ ପ୍ରସ୍ତୁତ ହୋଇଥିଲା ୭୦.୫୬ ଲକ୍ଷ ଚାରା, ବଣ୍ଟାଯାଇଥିଲା ୧୮ ଲକ୍ଷ
ତଦାରଖ କି, ଅନୁଧ୍ୟାନ ହୋଇପାରିଲାନି
ଦିନ ଥିଲା, ଘୁମୁସର ଜଙ୍ଗଲ ନିଘଞ୍ଚ ଏବଂ ବିସ୍ତୀର୍ଣ୍ଣ ଇଲାକା ଭାବେ ପରିଚୟ ସୃଷ୍ଟି କରିପାରିଥିଲା। ଫଳରେ ହାତୀ ସମେତ ବିଭିନ୍ନ ବନ୍ୟଜନ୍ତୁ ଏହି ଜଙ୍ଗଲକୁ ସୁରକ୍ଷିତ ଇଲାକା ଭାବେ ବାଛି ନେଇଥିଲେ। କିନ୍ତୁ ଗତ ଦୁଇବର୍ଷ ଧରି ଘୁମୁସର ଜଙ୍ଗଲର ବ୍ୟାପକ ଇଲାକା ନିଆଁର ଆଁରେ ଲୋପ ପାଇଛି କହିଲେ ଅତ୍ୟୁକ୍ତି ହେବନି। ବହୁ ମୂଲ୍ୟବାନ୍ ଗଛ ପୋଡ଼ିଯାଇଥିବା ସାଙ୍ଗକୁ ପ୍ରାକୃତିକ ଜଳାଶୟ ବି ଶୁଖିସାରିଛି। ଅନେକ ଜଳଉତ୍ସ ଉଭାନ୍ ହୋଇସାରିଲାଣି। ଫଳରେ ହାତୀ ସମେତ ବିଭିନ୍ନ ବନ୍ୟଜନ୍ତୁ ଜନବସତିମୁହାଁ ହେଉଥିବାର ଅନେକ ନଜିର୍ ରହିଛି।
ମୁଜାଗଡ଼ ବନାଞ୍ଚଳର କାନବିନ୍ଧା, ଦରପଙ୍ଗିଆ ସମେତ ସାଧୁଗାଁ ଓ ପଇତା ଗାଁ ଭଳି ଜଙ୍ଗଲ ଇଲାକାରେ ହାତୀମାନଙ୍କ ପାଇଁ ଭଲ ଆହାର ରହିଛି। ଏହାସହ ବୁଦୁଲି, କାନବିନ୍ଧା, ବିରିକୋଟ ଓ ବାଇବାଲି ଭଳି ଜଙ୍ଗଲରେ ଭଲ ବାଉଁଶ ଗଛ ଥିବାରୁ ଏହି ଇଲାକାକୁ ହାତୀମାନେ ସେମାନଙ୍କ ସୁରକ୍ଷିତସ୍ଥଳ ଭାବେ ବାଛିନିଅନ୍ତି। ଏଥିସହ କାନବିନ୍ଧା ଓ ବିରିକୋଟ ମଝିରେ ଥିବା ଅଠର ନଳିଆରେ ପ୍ରଚୁର ପାଣି ରହୁଥିବାରୁ ଏହି ସ୍ଥାନକୁ ଛାଡ଼ି ଯାଇ ନଥାନ୍ତି। କିନ୍ତୁ ବର୍ତ୍ତମାନ ସବୁ ନାଳ ଶୁଖିଲା ପଡ଼ିଥିବା ସହ ଖାଦ୍ୟର ମଧ୍ୟ ଅଭାବ ରହିଛି। ତାରସିଂ ବନାଞ୍ଚଳର ଚନ୍ଦ୍ରଗିରି ଜଙ୍ଗଲରେ ମଧ୍ୟ ଅନେକ ଜଳଉତ୍ସ ଶୁଖିଲା ପଡ଼ିଥିବାରୁ ହାତୀ ଏବଂ ବନ୍ୟଜନ୍ତୁ ଜନବସତି ଆଡ଼କୁ ମାଡ଼ିଆସୁଛନ୍ତି। ଅନେକ ସ୍ଥାନରେ ବେଧଡ଼କ୍ ଭାବେ ଗଛ କଟାଯାଉଛି।
/sambad/media/post_attachments/wp-content/uploads/2022/06/17-3.jpg)
ଅନ୍ୟପକ୍ଷରେ ଜଙ୍ଗଲ ପୋଡ଼ି କ୍ଷତି ଭରଣା ପାଇଁ ପର୍ଯ୍ୟାପ୍ତ ଚାରାରୋପଣକୁ ଗୁରୁତ୍ବ ଦିଆଯାଉଛି। ଗତବର୍ଷ ଦକ୍ଷିଣ ଘୁମୁସର ଓ ଉତ୍ତର ଘୁମୁସର ବନଖଣ୍ଡର ୧୭୯ଟି ସ୍ଥାନରେ ୭୦ ଲକ୍ଷ ୫୬ହଜାର ୭୨୨ ବିଭିନ୍ନ କିସମର ଚାରା ପ୍ରସ୍ତୁତ ହୋଇଥିଲା। ତନ୍ମଧ୍ୟରୁ ୧୮ ଲକ୍ଷ ଚାରା ବଣ୍ଟାଯାଇଥିଲା। ଏଥିସହ ସହରାଞ୍ଚଳ ବନୀକରଣକୁ ପ୍ରାଧାନ୍ୟ ଦିଆଗଲା। ବିଶ୍ବ ପରିବେଶ ଦିବସରେ ରାସ୍ତାଘାଟଠୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚାରାରୋପଣ ହେଲା। ହେଲେ କେବଳ ଫଟୋ ଉଠାଇ ଅଧିକାରୀମାନେ କେବଳ ବାହାବା ନେଲେ। ସ୍ବେଚ୍ଛାସେବୀମାନେ ବି ଏହି ଅଭିଯାନରେ ସାମିଲ ହେଲେ। କିନ୍ତୁ ଗଛ ବଞ୍ଚିଲା କି ନାହିଁ, ଏହାର ତଦାରଖକୁ ଗୁରୁତ୍ବ ଦିଆଗଲାନି। ଫଳରେ ସବୁଠି କେବଳ ଟାଙ୍ଗରା ଦିଶୁଛି। ଅନେକ ଗଛ ଜଙ୍ଗଲରେ ହିଁ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। ଆଜି ଘୁମୁସର ବନଖଣ୍ଡର ଅର୍ଦ୍ଧାଧିକ ଇଲାକା ଗଛ ଶୂନ୍ୟ ପାଲଟିଛି। ଯାହାଫଳରେ ବିଶ୍ବ ପରିବେଶ ଦିବସ ପାଳନର ମୂଳ ଉଦ୍ଦେଶ୍ୟ ସାଧିତ ହୋଇପାରିନି ବୋଲି ମତପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/16-3.jpg)