ପୁରୀ: ମହାପ୍ରଭୁଙ୍କ ମାନବୀୟ ଲୀଳାରେ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲାର ସମ୍ପୃକ୍ତି ଶେଷରେ ‘ଓଡ଼ିଶା ରସଗୋଲା’କୁ ଜିଆଇ ମାନ୍ୟତାର ଅନ୍ୟତମ ପ୍ରମୁଖ ଆଧାର ପାଲଟିଲା। ସଂସ୍କୃତି ପ୍ରେମୀ ଓ ଗବେଷକଙ୍କ ଉଦ୍ୟମରେ ୨୦୧୯ ଜୁଲାଇ ୨୯ ତାରିଖରେ ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିଲା। ଭାରତ ସରକାରଙ୍କ ଜିଆଇ ଜର୍ଣ୍ଣାଲ ନଂ-୧୧୬ରେ ପ୍ରକାଶ ପାଇଲା। ରସଗୋଲାର ଭୌଗଳିକ ଉତ୍ପତ୍ତି ଯେ ଓଡ଼ିଶାର ଏହା ପ୍ରମାଣିତ ମଧ୍ୟ ହେଲା। ମହାପ୍ରଭୁ ଶ୍ରୀଜଗନ୍ନାଥ ରଥଯାତ୍ରାରେ ବଡ଼ଭାଇ ଶ୍ରୀବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରାଙ୍କୁ ନେଇ ଜନ୍ମବେଦୀ ଅଭିମୁଖେ ଯାଇଥିଲେ ହେଁ ମହାଲକ୍ଷ୍ମୀଙ୍କୁ ସାଥିରେ ନନେବାରୁ ଅଭିମାନ କରିଥିଲେ। ଏହି ଅଭିମାନକୁ ଭଞ୍ଜନ କରିବା ପାଇଁ ରସଗୋଲା ଭୋଗର ଉତ୍ପତ୍ତି ହୋଇଥିବା ଗବେଷକମାନେ ମତ ଦେଲେ। ୨୦୧୫ ମସିହା ପର୍ଯ୍ୟନ୍ତ ରସଗୋଲାକୁ ନେଇ କେବେ ବି ସ୍ବତନ୍ତ୍ର ଦିବସ ପାଳିତ ହୋଇନଥିଲା। ମାତ୍ର ରସଗୋଲାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଯେତେବେଳେ କଳିର ସୂତ୍ରପାତ ହେଲା, ସେତେବେଳେ ଶ୍ରୀଜଗନ୍ନାଥଙ୍କ ଉପରେ ଗବେଷଣା କରୁଥିବା ଓ ନିୟମିତ ସ୍ତମ୍ଭ ଲେଖି ଆସୁଥିବା ଅସିତ ମହାନ୍ତି ତଥ୍ୟ ଯୋଗାଡ଼ କରି ରସଗୋଲା ଓଡ଼ିଶାର ବୋଲି ପ୍ରମାଣିତ କଲେ। ଗବେଷଣାର ମୂଳ ଭିତ୍ତି ଥିଲା ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲା ଭୋଗ।

Advertisment

ଏହାପରେ ୨୦୧୮ ଫେବ୍ରୁଆରି ୨୩ ତାରିଖରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଏବଂ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ପକ୍ଷରୁ ‘ଓଡ଼ିଶା ରସଗୋଲା’ର ଜିଆଇ ମାନ୍ୟତା ଲାଗି ଆବେଦନ କରାଯାଇଥିଲା। ଜିଆଇ ରେଜିଷ୍ଟ୍ରି ପକ୍ଷରୁ ୧୩ଟି ପ୍ରସଙ୍ଗ ଉପରେ ସ୍ପଷ୍ଟୀକରଣ ମଗାଯାଇଥିଲା। ଓଡ଼ିଶା ପକ୍ଷରୁ ତଥ୍ୟ ପ୍ରମାଣ ସହ ରସଗୋଲାର ଉତ୍ପତ୍ତି ଓଡ଼ିଶାରୁ ବୋଲି ସ୍ପଷ୍ଟ କରାଯାଇଥିଲା। ୨୦୧୯ ମସିହା ମାର୍ଚ୍ଚ ୨୭ ତାରିଖରେ ଜିଆଇ ରେଜିଷ୍ଟ୍ରି ପକ୍ଷରୁ ଜର୍ଣ୍ଣାଲରେ ଜନସାଧାରରଙ୍କ ଅବଗତି ଓ ଆପତ୍ତି ନିମିତ୍ତ ପ୍ରକାଶ କରାଗଲା। ମାତ୍ର ରସଗୋଲା ଯେ ଓଡ଼ିଶାରୁ ଉତ୍ପତ୍ତି ଏନେଇ ଅକାଟ୍ୟ ପ୍ରମାଣ ଶେଷରେ ରସଗୋଲାକୁ ଜିଆଇ ମାନ୍ୟତାରେ ସ୍ଥାନିତ ହେବାରେ ସହାୟ ହେଲା। ଏନେଇ ସଂସ୍କୃତି ଓ ଜିଆଇ ଗବେଷକ ତଥା ‘ଓଡ଼ିତ’ ଟ୍ରଷ୍ଟର ଟ୍ରଷ୍ଟି ଡ.ଅନିତା ସାବତ କହିଛନ୍ତି, ରସଗୋଲା ଆମ ଓଡ଼ିଶାର। ଏହା ଆମ ଆରାଧ୍ୟ ମହାପ୍ରଭୁଙ୍କ ପରମ୍ପରା ସହ ସଂଶ୍ଳିଷ୍ଟ। ରସଗୋଲା ଯେ ଓଡ଼ିଶାର ଏହାଠୁ ଅଧିକ ବଳିଷ୍ଠ ପ୍ରମାଣ ଆଉ କିଛି ବି ହୋଇନପାରେ। ସାମାଜିକ ଗଣମାଧ୍ୟମରେ ଏନେଇ ବ୍ୟାପକ ସଚେତନତା ସହ ‘ସମ୍ବାଦ’ ଓ ରେଡିଓ ଚକଲେଟ୍‌ର ଏହି ରସଗୋଲା ଦିବସକୁ ବ୍ୟାପକ କରାଇବାରେ ବହୁତ ବଡ଼ ଭୂମିକା ରହିଛି। ୨୦୧୫ ମସିହା ଜୁଲାଇ ୩୦ ତାରିଖରେ ରସଗୋଲା ଦିବସ ପାଳନ ହୋଇ ଆସୁଛି। ୨୦୧୯ ମସିହା ଜୁଲାଇ ୨୯ରେ ‘ଓଡ଼ିଶା ରସଗୋଲା’କୁ ଜିଆଇ ଟ୍ୟାଗ୍‌ ମିଳିଛି। ତେଣୁ ଆମ ଖାଦ୍ୟ ସଂସ୍କୃତିକୁ ପ୍ରଚାର ପ୍ରସାର କରିବାରେ ପ୍ରତ୍ୟେକ ଓଡ଼ିଆଙ୍କ ସମ୍ପୃକ୍ତି ଓ ଭାଗିଦାରୀ ନିତାନ୍ତ ଆବଶ୍ୟକ। ରସଗୋଲା ଦିବସ ରାଜ୍ୟର ସମସ୍ତ ଜିଲ୍ଲାରେ ଆଡ଼ମ୍ବର ସହକାରେ ପାଳନ କରାଯିବା ଆବଶ୍ୟକ। ଏନେଇ ମୁଁ ରାଜ୍ୟ ସରକାରଙ୍କୁ ବାରମ୍ବାର ଚିଠି ଲେଖି, ରସଗୋଲା ମେଳା ତଥା ଉତ୍ସବ କରିବା ପାଇଁ ପ୍ରସ୍ତାବ ଦେଇଛି। ଯେଉଁଠାରେ ସମସ୍ତ ଜିଲ୍ଲାରୁ ରସଗୋଲା ବିକ୍ରି ହେବା ଦ୍ବାରା ରସଗୋଲାର ପ୍ରଚାର ବ୍ୟାପକ ହୋଇପାରିବ। କିନ୍ତୁ ଏନେଇ ଏଯାଏ ପଦକ୍ଷେପ ନିଆଯାଇନାହିଁ। ତେଣୁ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଏ ଦିଗରେ ବ୍ୟାପକ ପ୍ରଚାର କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

କେମିତି ପ୍ରସ୍ତୁତ ହୁଏ?
ଶ୍ରୀଜଗନ୍ନାଥ ପତ୍ନୀ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବାକୁ ‘ରସଗୋଲା’ର ସାହାରା ନେଇଥିବାରୁ ଏ ସମ୍ପର୍କରେ ଅଧିକ ବର୍ଣ୍ଣନା ଅନାବଶ୍ୟକ। ତେବେ ମହାପ୍ରଭୁଙ୍କ ରଥଯାତ୍ରାର ଅନ୍ତିମ ଚରଣରେ ମହାଲକ୍ଷ୍ମୀଙ୍କ ଅଭିମାନ ଏବଂ ରସଗୋଲା ଦେଇ ଦେବୀଙ୍କୁ ତୋଷ କରିବାର ଲୀଳା ରସଗୋଲାଠୁ ବି ଆହୁରି ମିଠା। ରସଗୋଲାର ସ୍ବାଦ ଯେପରି ଅନନ୍ୟ, ତା’ର ପ୍ରସ୍ତୁତି ପ୍ରଣାଳୀ ସେହିପରି ନିଆରା। ପାହାଳର ଅନ୍ନପୂର୍ଣ୍ଣା ମିଷ୍ଟାନ୍ନ ଭଣ୍ଡାରର ବିଶ୍ବଜିତ ସାହୁଙ୍କ କହିବା ମୁତାବକ, ରସଗୋଲା ପାଇଁ ଆବଶ୍ୟକ ସାମଗ୍ରୀ ହେଉଛି ଛେନା, ସୁଜି, ଚିନି, ଗୁଜୁରାତି। ୧ କେଜି ଛେନାରେ ୫୦ ଗ୍ରାମ ସୁଜି ଓ ଆବଶ୍ୟକ ପରିମାଣରେ ଗୁଜୁରାତି ଦେଇ ତାକୁ ଛୋଟରୁ ବଡ଼ ଗୋଲାକାର ଆକୃତିର ତିଆରି କରାଯାଏ। ଏହାକୁ ମେସିନ କିମ୍ବା ହାତରେ ଗୋଲାକାର ସଦୃଶ କରିବା ପରେ ଚିନି ସିରାରେ ପକାଯାଏ। ପରେ ଚିନି ସିରାରୁ ଏହାକୁ କାଢ଼ି ଗରମ ପାଣିରେ ପକାଯାଏ। ପରେ ଗରମ ପାଣିରେ ଚିନି ସିରା ପକାଯାଏ ବୋଲି ସେ କହିଛନ୍ତି।