କନ୍ଧମାଳ ହଳଦୀକୁ ଜିଆଇ ମାନ୍ୟତା: ୮ଜଣିଆ ବୈଷୟିକ କମିଟି ଗଠିତ

ଭୁବନେଶ୍ୱର : କନ୍ଧମାଳ ହଳଦୀକୁ ଜିଆଇ ମାନ୍ୟତା ଦେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। କନ୍ଧମାଳ ହଳଦୀ ହର୍ବାଲ ଓ ଔଷଧୀୟ ଗୁଣବତ୍ତା ଯାଞ୍ଚ କରିବା ପାଇଁ ଏକ ୮ଜଣିଆ ଟେକ୍‌ନିକାଲ କମିଟି ଗଠନ କରାଯାଇଛି। ନିକଟରେ ହଳଦୀ ଚାଷୀ, ସ୍ଥାନୀୟ ଜିଲ୍ଲାପାଳ ଓ ସିଟିଟିସି ଅଧିକାରୀଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି କମିଟି କନ୍ଧମାଳ ହଳଦୀର ଜିଆଇ ମାନ୍ୟତା ପାଇଁ କିଭଳି ଆବେଦନ କରାଯିବ ସେ ନେଇ ଏକ ରିପୋର୍ଟ ପ୍ରଦାନ କରିବେ। ଏହି ରିପୋର୍ଟ ଆଧାରରେ ଆସନ୍ତାବର୍ଷ ଜାନୁଆରିର ଦ୍ୱିତୀୟ ସପ୍ତାହରେ ଜିଆଇ ପାଇଁ ଆବେଦନ କରାଯିବ ବୋଲି ଜଣାପଡ଼ିଛି।

ସିଟିଟିସିର ବୌଦ୍ଧିକ ସଂପତ୍ତି ସୁବିଧା କେନ୍ଦ୍ର ବା ଆଇପିଏଫ୍‌ସିର ମୁଖ୍ୟ ସଚ୍ଚିକାନ୍ତ କରଙ୍କ କହିବାନୁଯାୟୀ, ନିକଟରେ ସ୍ଥାନୀୟ ଚାଷୀ, କନ୍ଧମାଳ ଜିଲ୍ଲାପାଳ ଓ କସମର କର୍ମକର୍ତାଙ୍କ ସହ ଆଲୋଚନା ହୋଇଥିଲା। କନ୍ଧମାଳ ହଳଦୀର ଯାଞ୍ଚ ଓ ତର୍ଜମା ପାଇଁ ଏକ ୮ଜଣିଆ କମିଟି ଗଠନ କରାଯାଇଛି। ଏଥିରେ କୃଷି ବୈଜ୍ଞାନିକ, ଜିଲ୍ଲା ଜଙ୍ଗଲ ଅଧିକାରୀ, ଉଦ୍ୟାନକୃଷି ବିଭାଗର ଉପନିର୍ଦେଶକ, ଗବେଷକ, ସ୍ଥାନୀୟ ଏନ୍‌ଜିଓର ପ୍ରତିନିଧି, କସମ୍‌ର ସଂପାଦକ, ଆପିଏସ୍‌ପି-ସିଟିଟିସର ମୁଖ୍ୟ ଓ ସିଟିଟିସର ଜଣେ ପରାମର୍ଶଦାତା ଏହି କମିଟିରେ ରହିଛନ୍ତି। ଏବେ ହଳଦୀର ତଥ୍ୟ ଓ ନମୁନା ସଂଗ୍ରହ କାର୍ଯ୍ୟକ୍ରମ ଜାରି ରହିଛି। ପୂର୍ବରୁ ମହାରାଷ୍ଟ୍ରର େଓ୍ଵଗାନ୍‌ ହଳଦୀକୁ ଜିଆଇ ମାନ୍ୟତା ମିଳିଥିବାରୁ ଏହାକୁ କେଉଁ ରିପୋର୍ଟ ଆଧାରରେ ଜିଆଇ ମାନ୍ୟତା ଦିଆଗଲା ତାହାର ମଧ୍ୟ ତର୍ଜମା କରାଯିବ।

କନ୍ଧମାଳ ହଳଦୀର ଲାବୋରୋଟୋରି ପରୀକ୍ଷା ପାଇଁ ଏନ୍‌ଏବିଏଲ ସ୍ୱୀକୃତିପ୍ରାପ୍ତ ଲାବୋରେଟୋରିରେ ଏହାର ପରୀକ୍ଷା କରାଯିବା ପାଇଁ ନିଷ୍ପତ୍ତି କରାଯାଇଛି। ଦେଶର କେତୋଟି ଲାବୋରେଟୋରିକୁ ହଳଦୀର ପରୀକ୍ଷା ପାଇଁ ପଠାଯିବ ତାହା ଆସନ୍ତା ୨/୩ଦିନ ମଧ୍ୟରେ ସ୍ଥିର କରାଯିବ। ଲାବୋରେଟୋରିରୁ ରିପୋର୍ଟ ଆସିବା ପରେ ଏହି ୮ଜଣିଆ କମିଟି ତାହାର ତର୍ଜମା କରିବ।

ସମ୍ବନ୍ଧିତ ଖବର