ଭୁବନେଶ୍ୱର : ରସଗୋଲାକୁ ଜିଆଇ ମାନ୍ୟତା ଦେବା ପ୍ରସଙ୍ଗରେ ଆଜି ମତ ରଖିଛନ୍ତି ଏମ୍ଏସ୍ଏମ୍ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ଗଣମାଧ୍ୟମକୁ ଶ୍ରୀ ସାମଲ କହିଛନ୍ତି ଯେ, ରସଗୋଲାକୁ ଜିଆଇ ମାନ୍ୟତା ପ୍ରଦାନ କ୍ଷେତ୍ରରେ ସରକାର ଅବହେଳା କରି ନାହାନ୍ତି। ଏହାକୁ ରାଜ୍ୟ ସରକାର ବେଶ ଗୁରୁତ୍ୱ ଦେଉଛନ୍ତି। ଆସନ୍ତା ଅଗଷ୍ଟ ମାସ ପ୍ରଥମ ସପ୍ତାହ ସୁଦ୍ଧା ଏ ନେଇ ସମସ୍ତ ତଥ୍ୟ ପ୍ରଦାନ କରାଯିବ। ଜିଆଇ କର୍ତୃପକ୍ଷଙ୍କ ପକ୍ଷରୁ ଏଥିପାଇଁ ୧୪ଟି ପଏଣ୍ଟରେ ସ୍ପଷ୍ଟୀକରଣ ମଗାଯାଇଛି। ପ୍ରତ୍ୟେକ ପଏଣ୍ଟକୁ ଗୁରୁତ୍ୱର ସହ ବିଚାର କରାଯାଇ ତଥ୍ୟ ଉପସ୍ଥାପନ କରାଯିବ।
ସେ ଆହୁରିମଧ୍ୟ କହିଥଲେ ଯେ, ଜିଆଇ ଆବେଦନ ପରେ ଏଥିରେ ୩ଟି ସଂଶୋଧନ କରାଯାଇଛି। ପୂର୍ବରୁ ‘ଓଡ଼ିଶାର ରସଗୋଲା’ ପାଇଁ ଆବେଦନ କରାଯାଇଥିବା ବେଳେ ଏହାକୁ ପରିବର୍ତନ କରାଯାଇ ‘ଓଡ଼ିଶା ରସଗୋଲା’ କରାଯାଇଛି। ଏଥିପାଇଁ ଏକ ଲୋଗୋର ଆବଶ୍ୟକତା ଥିବା ବେଳେ ଲୋଗୋରେ ପରିବର୍ତନ କରାଯାଇଛି। ଏହାସହ ଦ୍ୱିତୀୟ ଆବେଦନକାରୀଭାବେ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ଏଥିପାଇଁ ଆବେଦନ କରିଛି। ଜୁନ୍ ଶେଷ ଆଡ଼କୁ ଜିଆଇ କାର୍ଯ୍ୟାଳୟରୁ ଏଥିପାଇଁ ସ୍ପଷ୍ଟୀକରଣ ମଗାଯାଇଥିବା ବେଳେ ଉତ୍ତର ରଖିବାକୁ ୧ମାସ ସମୟ ଦିଆଯାଇଥିଲା। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୧ତାରିଖ ପର୍ଯ୍ୟନ୍ତ ସମୟ ମଗାଯାଇଛି।