କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାବାସୀଙ୍କ ଆରାଧୢ ଦେବତା ସିଦ୍ଧ ବଳଦେବଜିଉଙ୍କ ପ୍ରସିଦ୍ଧ ଭୋଗ ରସାବଳିକୁ ମିଳିଛି ଜିଆଇ ଟ୍ୟାଗ୍‌। କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଆଜି ଏହାକୁ ସ୍ବୀକୃତି ଦେଇଛି। ଏହି ଖବର ପ୍ରଚାରିତ ହେବା ପରେ ଜିଲ୍ଳାବାସୀଙ୍କ ମଧୢରେ ଆନନ୍ଦ ଖେଳି ଯାଇଛି। ସାରା ରାଜ୍ୟରେ କେନ୍ଦ୍ରାପଡ଼ା ରସାବଳିର ସ୍ବତନ୍ତ୍ର ପ୍ରସିଦ୍ଧି ରହିଛି। ଛେନା, କ୍ଷୀର ଓ ଚିନିରେ ପ୍ରସ୍ତୁତ ହେଉଥିବା ଏହି ମିଷ୍ଟାନ୍ନ ପ୍ରଭୁ ବଳଦେବଜିଉଙ୍କ କୋଠ ଭୋଗ ମଧୢରେ ଅନ୍ତର୍ଭୁକ୍ତ। ତ୍ରୟୋଦଶ ଶତାବ୍ଦୀରୁ ଏହା ବଳଦେବଜିଉଙ୍କ ପାଖେ ଭୋଗ ଆକାରରେ ଲାଗି ହେଉଥିବା କୁହାଯାଉଛି। ଐତିହାସିକ ପୃଷ୍ଠଭୂମି ରଖୁଥିବା ଏହି ମିଷ୍ଟାନ୍ନକୁ ଜିଆଇ ମାନ୍ୟତା ଦେବା ପାଇଁ ଦୀର୍ଘବର୍ଷ ହେବ ଦାବି ହୋଇ ଆସୁଥିଲା। କିନ୍ତୁ ଓଡ଼ିଶାର ରସଗୋଲାକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିବା ପରେ ଏହି ଦାବି ଆଉ ଦୁଇ ପାଦ ଆଗକୁ ବଢ଼ିବା ସହିତ ବିଧିବଦ୍ଧ ଉଦ୍ୟମ ଆରମ୍ଭ ହୋଇଥିଲା। ୨୦୨୦ ଜୁଲାଇରେ କେନ୍ଦ୍ରାପଡ଼ା ରସାବଳି ମିଷ୍ଟାନ୍ନ ନିର୍ମାତା ସ˚ଘ ଗଠନ ହୋଇଥିଲା। ରସାବଳି କାରିଗରମାନଙ୍କୁ ନେଇ ଗଠିତ ହୋଇଥିବା ଏହି ସ˚ଘର ସଭାପତି ଭାବେ ସୌରୀଚନ୍ଦ୍ର ସାହୁ ଓ ସ˚ପାଦକ ଭାବେ ବଳରାମ ସାହୁଙ୍କୁ ମନୋନୀତ କରାଯାଇଥିଲା। ନାବାର୍ଡ ସହାୟତା ଓ ପଦ୍ମଶ୍ରୀ ଡକ୍ଟର୍‌ ରଜନୀଶ୍‌ଙ୍କ ତତ୍ତ୍ବାବଧାନରେ ୨୦୨୦ ଡିସେମ୍ବର ୧୩ ତାରିଖରେ ସ˚ଘ ସ˚ପାଦକ ଆଇନଜୀବୀ ବଳରାମ ସାହୁ ଓ ନାବାର୍ଡ ତରଫରୁ କିଶୋର ସାହୁ ରସାବଳିକୁ ଜିଆଇ ମାନ୍ୟତା ଦେବା ପାଇଁ ଆବେଦନ(ନ˚-୮୦୨) କରିଥିଲେ। ୨୦୨୧, ଜୁଲାଇ ୨୬ରେ ବର୍ତ୍ତମାନର କଟକ ମେୟର ତଥା ତତ୍କାଳୀନ ରାଜ୍ୟସଭା ସାଂସଦ ସୁବାସ ସିଂହ ଓ ସାଂସଦ ମୁନା ଖାଁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଭେଟି କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ଟ୍ୟାଗ୍‌ ଦାବି କରିଥିଲେ। ପରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏହାର ବିଚାର ପାଇଁ ଏକ ୧୨ଜଣିଆ କମିଟି ଗଠନ କରିଥିଲା। କମିଟି ଗତ ଡିସେମ୍ବର ୬ତାରିଖରେ ରସାବଳି ସ˚ପର୍କରେ ପ୍ରାମାଣିକ ତଥ୍ୟ ମାଗିଥିଲା।

Advertisment

ରସାବଳି ନିର୍ମାତା ସ˚ଘ ପକ୍ଷରୁ ଏହାର ଐତିହାସିକ ପୃଷ୍ଠଭୂମି ଓ ବର୍ତ୍ତମାନ ସ˚ପର୍କରେ ସବିଶେଷ ତଥ୍ୟ ଦିଆଯିବା ପରେ ଗତ ମେ ୩୦ତାରିଖରେ ଜିଆଇ ଜୋନାଲ୍‌-୧୭୫ରେ ଏହାକୁ ପ୍ରକାଶ କରାଯାଇଥିଲା। ରସାବଳି ସ˚ପର୍କରେ କୌଣସି ଆପତ୍ତି ଅଭିଯୋଗ ଥିଲେ ଚାରି ମାସ ଭିତରେ ଜଣାଇବାକୁ କୁହାଯାଇଥିଲା। ତେବେ ଏହି ଅବଧି ସେପ୍ଟେମ୍ବର ୩୦ତାରିଖରେ ଶେଷ ହୋଇଥିଲା ଏବ˚ କେନ୍ଦ୍ରାପଡ଼ା ରସାବଳିକୁ ନେଇ କେହି ଆପତ୍ତି ଉଠାଇ ନ ଥିଲେ। ଫଳରେ ମନ୍ତ୍ରଣାଳୟ ଆଜି ଏହାକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ଦେବା ପୂର୍ବକ ପ˚ଜିକୃତ କରିବା ସହିତ ଖୁବ୍‌ଶୀଘ୍ର ଏ ସ˚କ୍ରାନ୍ତୀୟ ସାର୍ଟିଫିକେଟ୍‌ ପ୍ରଦାନ କରିବ। ତେବେ ଏହାର ପଞ୍ଜୀକରଣ ଅବଧି ୨୦୩୧, ଡିସେମ୍ବର ୧୨ତାରିଖ ଯାଏ ରହିବ ବୋଲି ଦର୍ଶାଯାଇଛି।

କମିଟିର ଆବାହକ ସରୋଜ ମହାନ୍ତି କହିଛନ୍ତି, ରସାବଳି କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟତମ ପରିଚୟ। ଏହା ଏବେ ଜାତୀୟ ସ୍ବୀକୃତି ପାଇଥିବାରୁ କେନ୍ଦ୍ରାପଡ଼ାବାସୀଙ୍କ ପାଇଁ ଗର୍ବର ବିଷୟ। ଦୁଇ ବର୍ଷର ପ୍ରଚେଷ୍ଟାରେ ଏହି ସ୍ବୀକୃତି ମିଳିଛି ଏବ˚ ଏଥିପାଇଁ ନାବାର୍ଡକୁ ବିଶେଷ ଭାବେ ଧନ୍ୟବାଦ ଜଣାଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ସେହିପରି ରସାବଳିକୁ ନେଇ ସ୍ବତନ୍ତ୍ର 'ନୈବେଦ୍ୟ କେନ୍ଦ୍ରାପଡ଼ା ରସାବଳି' ପୁସ୍ତକ ଲେଖିଥିବା ଗବେଷକ ନିର˚ଜନ ମେକାପ କହିଛନ୍ତି ଯେ ପ୍ରତି କେନ୍ଦ୍ରାପଡ଼ାବାସୀଙ୍କ ପାଇଁ ଆଜି ଗର୍ବର ଦିନ। ସମସ୍ତଙ୍କ ସହଯୋଗ ପାଇଁ ଏହାକୁ ଜାତୀୟ ସ୍ବୀକୃତି ମିଳିଛି। ରସାବଳି କାରିଗରଙ୍କ ସ୍ବତନ୍ତ୍ରତା ଏହାଦ୍ବାରା ବଜାୟ ରହିବ ବୋଲି ଶ୍ରୀ ମେକାପ ଆଶା ରଖିଛନ୍ତି। କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ଟ୍ୟାଗ୍ ମିଳିବା ଘଟଣାକୁ ମେୟର ସୁବାସ ସିଂହ ସ୍ବାଗତ କରିବା ସହିତ ଏହା ରସାବଳିକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାରେ ଅଧିକ ସହାୟକ ହେବ ଓ କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରର ଅନ୍ୟତମ ଆକର୍ଷଣ ହେବ ବୋଲି ​କହିଛନ୍ତି।