ଜିଆଇ ମାନ୍ୟତା ପାଇବ ୩ ଉତ୍ପାଦ : ଛେନା ପୋଡ଼, ଛେନା ଝିଲ୍ଲୀ ଓ ତାରକସି କାମ ପାଇଁ ଉଦ୍ୟମ

ଭୁବନେଶ୍ବର : ଓଡ଼ିଶା ରସଗୋଲା ଓ କନ୍ଧମାଳ ହଳଦୀକୁ ଜିଆଇ ମାନ୍ୟତା ମିଳିବା ପରେ ରାଜ୍ୟ ସରକାର ଆହୁରି ୩ଟି ଉତ୍ପାଦକୁ ଜିଆଇ ମାନ୍ୟତା ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଛେନା ଝିଲ୍ଲୀ, ଛେନା ପୋଡ଼ ଓ କଟକର ତାରକସି କାମକୁ କିଭଳି ଜିଆଇ ମାନ୍ୟତା ମିଳିପାରିବ ସେଥିପାଇଁ ରାଜ୍ୟ କ୍ଷୁଦ୍ରଶିଳ୍ପ ନିଗମ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଗତ ମାସରେ ନିଗମ ପକ୍ଷରୁ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସଂଘର କର୍ମକର୍ତା, ନୟାଗଡ଼ର ମହାବୀର ସାଉଥ ଇଣ୍ଡିଆନ୍ ଓ କଟକ ମହାନଗର ବଣିଆ ସଂଘର କର୍ମକର୍ତାଙ୍କୁ ଡାକି ଏ ସଂପର୍କରେ ଆଲୋଚନା କରିଛନ୍ତି।

ସୂଚନା ଅନୁସାରେ, ନିକଟରେ ଏକ ୩ ଜଣିଆ କମିଟି ନିମାପଡ଼ା ଛେନା ଝିଲ୍ଲୀର ସର୍ବେକ୍ଷଣ କରିବା ସହିତ ପ୍ରାଥମିକ ରିପୋର୍ଟ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗକୁ ଦେଇଛନ୍ତି। ଏହି କମିଟିରେ ଓଡ଼ିଶା ରସଗୋଲାର ଜିଆଇ ମାନ୍ୟତା ପାଇଁ ରସଗୋଲାର ଉଦ୍ଭବ ଓ ଇତିହାସ ବାଦରେ ଗବେଷଣାଭିତ୍ତିକ ତଥ୍ୟ ପ୍ରଦାନ କରିଥିବା ଗବେଷକ ଅସିତ ମହାନ୍ତି, ରସଗୋଲ ପାଇଁ ଆଦେବନକାରୀ ଓଡ଼ିଶା ମିଷ୍ଟାନ୍ନ ବ୍ୟବସାୟୀ ସମିତିର ବିମ୍ବାଧର ବେହେରା ଓ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ବୈଜ୍ଞାନିକ ସୁଶାନ୍ତ ରାଉତ ରହିଥିଲେ।

ସେହିପରି ରୁପା ତାରକସିକୁ ଜିଆଇ ମାନ୍ୟତା ଦେବା ପାଇଁ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ବା ଓଏସ୍‌ଆଇସି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। କଟକ ସହରର ତାରକସି କାମ ୫ଶହ ବର୍ଷ ପୁରୁଣା ହୋଇଥିବା ବେଳେ ଏହି ଶିଳ୍ପ ଉପରେ ଶହ ଶହ ପରିବାର ନିର୍ଭରଶୀଳ। ତେବେ ଏହାକୁ ଜିଆଇ ମାନ୍ୟତା ମିଳିପାରି ନ ଥିବାରୁ କଟକର ତାରକସି କାମ ବିଶ୍ବ ଦରବାରରେ ପରିଚିତ ହୋଇପାରୁ ନାହିଁ। ଏହାକୁ ଜିଆଇ ମାନ୍ୟତା ଦେବା ପାଇଁ କଟକ ବିଧାୟକ ‌ମହମ୍ମଦ ମୋକିମ୍ ବିଧାନସଭାରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ପରବର୍ତୀ ସମୟରେ ଓଏସ୍‌ଆଇସି ପକ୍ଷରୁ କେନ୍ଦ୍ର ସରକାରଙ୍କ ମେଟାଲସ୍‌ ଏଣ୍ଡ ମିନେରାଲ୍‌ସ ଟ୍ରେଡିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ବା ଏମ୍‌ଏମ୍‌ଟିସି ସହିତ ଆଲୋଚନା କରିଛନ୍ତି। ଏଥିପାଇଁ ଆବଶ୍ୟକ କାଗଜପତ୍ର ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି। ଗୁଣାତ୍ମକମାନର କଞ୍ଚାମାଲ ‌ସୁଲଭ ମୂଲ୍ୟରେ ଯୋଗାଇ ଦେବା ଲାଗି ଏମ୍‌ଏମ୍‌ଟିସି କର୍ତୃପକ୍ଷ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର