ନବରଙ୍ଗପୁର: ପ୍ରୋତ୍ସାହନ ସହ କଞ୍ଚାମାଲ ଅଭାବରୁ ବିଲୁପ୍ତ ଅବସ୍ଥାକୁ ଚାଲି ଆସିଛି ନବରଙ୍ଗପୁର ଜିଲ୍ଲାର ଲାଖ କଳାକୃତି। ତେଣୁ ଭୌଗୋଳିକ ସଂକେତକ (ଜିଆଇ ଟ୍ୟାଗ୍) ପ୍ରଦାନ ସହ ପୁନର୍ଜୀବନ ଦେବାକୁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୌଗୋଳିକ ସଂକେତକ ପ୍ରଦାନ ନିମନ୍ତେ ଚିଠି ଲେଖିଥିବା ଆଜି ଜିଲ୍ଲାପାଳ ଡ. କମଳ ଲୋଚନ ମିଶ୍ର ସୂଚନା ଦେଇଛନ୍ତି। ଯାହା ଲାଖଶିଳ୍ପୀଙ୍କୁ ଉତ୍ସାହିତ କରିଥିବା ବେଳେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏଠାକାର କଳାକୃତି ବିଶେଷ ସ୍ଥାନ ଅଧିକାର କରିବ ବୋଲି ଆଶା କରାଯାଉଛି।
ସ୍ବତନ୍ତ୍ର ପ୍ରକାର ଜଉକୁ ନବରଙ୍ଗପୁରର ଲାଖଶିଳ୍ପୀ ସାମଗ୍ରୀରେ ବ୍ୟବହାର କରୁଛନ୍ତି। ତରଳ ଜଉକୁ ପ୍ରଲେପ ଭାବେ ବ୍ୟବହାର କରି ଛୋଟ ବାକ୍ସ, ଚୁଡ଼ି, ବେତବାଡ଼ି ସହ ବିଭିନ୍ନ ପଶୁପକ୍ଷୀଙ୍କ ଆକର୍ଷଣୀୟ କଳାକୃତି ତିଆରି କରୁଛନ୍ତି। ସୂକ୍ଷ୍ମ କାରୁକାର୍ଯ୍ୟରେ ବିଭିନ୍ନ ପ୍ରାକୃତିକ ରଙ୍ଗ ସମ୍ମିଶ୍ରଣ ପାରମ୍ପରିକ ସାମଗ୍ରୀର ପରିଚୟ ଦେଇଥାଏ। ରାଜରାଜୁଡା ଅମଳରୁ ନବରଙ୍ଗପୁର ଲାଖ କଳାକୃତିର ପ୍ରସିଦ୍ଧି ରହିଛି। ତେବେ ଆଧୁନିକତାର ସ୍ପର୍ଶ ସହ ପରିଶ୍ରମ ଅନୁସାରେ ମୂଲ୍ୟ ନ ମିଳିବା ଏବଂ ସରକାରୀ ପ୍ରୋତ୍ସାହନର ଅଭାବ ସ୍ଥାନୀୟ ମହିଳା ଶିଳ୍ପୀଙ୍କୁ ଏଥିରୁ ଦୂର କରିବାରେ ଲାଗିଛି। ପୂର୍ବରୁ ନବରଙ୍ଗପୁର ଶଙ୍ଖାରୀ ସାହିର ପ୍ରାୟ ୪୦ ପରିବାର ଲାଖ କଳାକୃତି ସହ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତିକୁ ଜୀବିକା କରିଥିଲେ। ବର୍ତ୍ତମାନ ସେହି ସଂଖ୍ୟା ୧୫କୁ ଖସି ଆସିଛି। କେବଳ ଚନ୍ଦାହାଣ୍ଡି ଅଞ୍ଚଳର ପାଟଖଲିଆ, ବଡଝରିଆ, ବନ୍ଧକୋନା ଜଙ୍ଗଲର ପଳାସ ଓ କୁସୁମି ଗଛରୁ ଲାଖ ସଂଗ୍ରହ ହେଉଛି। ଗୋଟିଏ ପୋକକୁ ଗଛରେ ଛାଡ଼ିବା ପରେ ସେହି ପୋକର ଲାଳକୁ କାଠିରେ ଜଉ ଭାବେ ସଂଗ୍ରହ କରାଯାଉଛି। କେଜି ପିଛା ୯ଶହରୁ ହଜାର ଟଙ୍କା ଦେଇ ଲାଖଶିଳ୍ପୀ ତାହାକୁ କିଣୁଛନ୍ତି। ଟେରାକୋଟା, ବାଉଁଶ ପେଡ଼ି ଓ ଶୁଖିଲା ପଇଡ଼ରେ ରଙ୍ଗ ଲେପନ କରି ତରଳ ଲାଖରେ କାରୁକାର୍ଯ୍ୟ କରୁଛନ୍ତି।
ସ୍ଥାନୀୟ ମହିଳାଙ୍କ ଦ୍ବାରା ପ୍ରସ୍ତୁତ ଲାଖ ସାମଗ୍ରୀକୁ ବିଭିନ୍ନ ପ୍ରଦର୍ଶନୀ ଓ ଭୁବନେଶ୍ବର ସ୍ଥିତ ଉତ୍କଳିକା ସହ ହସ୍ତଶିଳ୍ପ ସାମଗ୍ରୀ ବିକ୍ରି କରୁଥିବା ଦୋକାନରେ ବର୍ତ୍ତମାନ ବିକ୍ରି କରାଯାଉଛି। ୨୦୧୮ ମସିହାରେ କଟକରେ ଅନୁଷ୍ଠିତ ହକି ବିଶ୍ବକପ୍ରେ ଖେଳାଳିଙ୍କୁ ଓଡ଼ିଶାର ପ୍ରତୀକ ଭାବେ ୮୦୦ ଲାଖପେଡ଼ି ଦିଆଯାଇଥିଲା। ଏବେ ମଧ୍ୟ ଲାଖ ସାମଗ୍ରୀ ପ୍ରତି ବିଶେଷ ଆଦର ରହିଛି। ଜିଆଇ ଟ୍ୟାଗ୍ ହୋଇପାରିଲେ ସାରା ବିଶ୍ବରେ ନବରଙ୍ଗପୁରର ଏହି କଳାକୃତି ପାଇଁ ବଡ଼ ବଜାର ସୃଷ୍ଟି ହୋଇପାରିବ। ସେହିପରି ଅନ୍ଲାଇନ୍ ବଜାରରେ ବି ଏହି ସାମଗ୍ରୀର ଚାହିଦା ବଢ଼ିବ ବୋଲି ଶିଳ୍ପୀ ପ୍ରକାଶ କରିଛନ୍ତି।