ହରଭଙ୍ଗା: ବୁଧବାର ସକାଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ଅନ୍ତର୍ଗତ ମାକରକେନ୍ଦା ଜଙ୍ଗଲରେ ଗୋଟାଏ ଶଙ୍ଖୁଆ ଭାଲୁ ଜଣେ ବ୍ୟକ୍ତିଙ୍କ ଗୋଡ଼ ଛିଡ଼ାଇ ଦେଇଛି।

Advertisment

ଶଙ୍ଖୁଆ ଭାଲୁ ହାବୁଡ଼ରେ ପଡ଼ିଥିବା ସେ ବ୍ୟକ୍ତିଜଣକ ହେଉଛନ୍ତି ସୁରୁଣ୍ଡି ଗ୍ରାମର ୪୮ ବର୍ଷିୟ ପବିତ୍ର ଦେହୁରୀ। ଜାଳେଣି କାଠକୁଟା ସଂଗ୍ରହ କରିବାକୁ ଆଜି ସକାଳେ ପତ୍ନୀ ଦ୍ରୌପଦୀ ଏବଂ ପୁତୁରା ସୁନୀଲଙ୍କ ସହ ମାକରକେନ୍ଦା ଜଙ୍ଗଲକୁ ଯାଉଥିଲେ। ହଠାତ୍‌ ଲଟିବୁଦା ଉହାଡ଼ରୁ ଗୋଟାଏ ପ୍ରକାଣ୍ଡ ଶଙ୍ଖୁଆ ଭାଲୁ ବାହାରି ଆସି ପବିତ୍ରଙ୍କୁ ଆକ୍ରମଣ କଲା। ଭାଲୁକୁ ଦେଖି ତାଙ୍କ ସାଙ୍ଗରେ ଥିବା ପତ୍ନୀ ଓ ପୁତୁରା ଛାନିଆରେ କିଛି ଦୂରକୁ ଧାଇଁ ପଳାଗଲେ। କିନ୍ତୁ, ତଳେ ପଡ଼ି ଆର୍ତ୍ତ ଚିତ୍କାର କରୁଥିବା ପବିତ୍ରଙ୍କୁ ରକ୍ଷା କରିବାକୁ ସେମାନେ ଭାଲୁ ଉପରକୁ ଢେଲାପଥର ମାରିବା ସହ ପାଟି ଚିଲ୍ଲାଇଲେ। ଏଥିରେ ଭାଲୁଟି ହୁରୁଡ଼ି ଯାଇ ନିଘଞ୍ଚ ବଣକୁ ଚାଲିଗଲା।

publive-image

ଘଟଣାସ୍ଥଳରୁ ଅତି ଗୁରୁତର ଅବସ୍ଥାରେ ପବିତ୍ରଙ୍କୁ ଉଦ୍ଧାର କରି ପରିବାର ଲୋକେ ଆମ୍ବୁଲାନ୍‌ସ୍‌ ଯୋଗେ ହରଭଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। କିନ୍ତୁ, ତାଙ୍କ ଡାହଣ ଆଣ୍ଠୁ ହାଡ଼ ସମ୍ପୂର୍ଣ୍ଣ ଭାଙ୍ଗି ଯାଇ ଖାଲି ଚମଡ଼ା ଟିକିକରେ ଲାଗି ରହିଥିବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଛି।