ଜିଆଇଇଟି ଛାତ୍ରୀ ସ୍ମୃତିଶ୍ରୀଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଥମୁନି, ଅଧ୍ୟାପକଙ୍କ ଅନୈତିକ କାର୍ଯ୍ୟ ପାଇଁ ବଳି ପଡ଼ିଲେ!

ଯାଜପୁର : ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ନିକଟ ଘରୋଇ କଲେଜ ଜିଆଇଇଟିର ଯୁକ୍ତ ଦୁଇ ଦ୍ବିତୀୟ ଶେଷବର୍ଷ ଛାତ୍ରୀ ସ୍ମୃତିଶ୍ରୀ ଦାସଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ନାହିଁ ନଥିବା ଚର୍ଚ୍ଚା! ସ୍ଥାନୀୟ ଅଞ୍ଚଳରେ ବି ଘଟଣାକୁ କେନ୍ଦ୍ରକରି ଉତ୍ତଜେନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ପଟେ ଏହି ଘଟଣାର ତଦନ୍ତ ପାଇଁ ପୁଲିସ୍‌ ଆନ୍ତରିକତା ଦେଖାନଥିବାବେଳେ ଅନ୍ୟପଟେ ନୂଆନୂଆ ତଥ୍ୟ ସାମ୍‌ନାକୁ ଆସିବାରେ ଲାଗିଛି। ଏବେ ଆଲୋଚନା ହେଉଛି ଯେ ଅଧ୍ୟାପକଙ୍କ ଅନୈତିକ କାର୍ଯ୍ୟ ପଦାରେ ପଡ଼ିବା ଆଶଙ୍କାରେ ଛାତ୍ରୀଙ୍କୁ ରାସ୍ତାରୁ ହଟାଇ ଦିଆଯାଇଛି।

ଜିଆଇଇଟି କଲେଜ ପରିସରରେ ଥିବା ଛାତ୍ରୀନିବାସରେ ରହୁଥିବା ଛାତ୍ରୀ ସ୍ମୃତିଶ୍ରୀଙ୍କର ଗତ ୩ତାରିଖ ମଧ୍ୟାହ୍ନରେ ମୃତ୍ୟୁ ହୋଇଥିଲା। ସ୍ମୃତିଶ୍ରୀ ଆତ୍ମହତ୍ୟା କରିଥିବା କଲେଜ କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି। ମାତ୍ର ପୁଲିସ ପହଞ୍ଚିବା ପୂର୍ବରୁ ସେହି ରୁମ୍‌ର କବାଟ କଲେଜ କର୍ତ୍ତୃପକ୍ଷ ଖୋଲି ସାରିଥିଲେ। ସ୍ମୃତିଶ୍ରୀଙ୍କ ଶବ ଯେଉଁ ଅବସ୍ଥାରେ ଝୁଲିଥିଲା, ସେ ନେଇ ମଧ୍ୟ ମାଜିଷ୍ଟ୍ରେଟ୍‌ ସନ୍ଦେହ ପ୍ରକାଶ କରିଥିଲେ। ସ୍ମୃତିଶ୍ରୀ ଛାଡ଼ି ଯାଇଥିବା ଚିଠିରେ ଜଣେ ଅଧ୍ୟାପକଙ୍କ ନାଁ ଉଲ୍ଲେଖ୍ କରିବା ପରେ ସନ୍ଦେହ ଘନୀଭୂତ ହୋଇଥିଲା। ମୃତ ଛାତ୍ରୀଙ୍କ ମା’ ମଧୁସ୍ମିତା ବି ବୟାନରେ ସମାନ କଥା ଦୋହରାଇଛନ୍ତି। ବୟାନ ଅନୁସାରେ, ସଂପୃକ୍ତ ଅଧ୍ୟାପକ ଅନ୍ୟ ଜଣେ ଛାତ୍ରୀ ସହିତ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ବେଳେ ସ୍ମୃତିଶ୍ରୀ ଦେଖିଥିଲେ। ଯେଉଁଥିପାଇଁ ଅଧ୍ୟାପକ ଜଣକ ଏହି ଘଟଣା କାହାରିକୁ କହିଲେ ଜୀବନ ବରବାଦ କରିଦେବେ ବୋଲି ସ୍ମୃତିଶ୍ରୀଙ୍କୁ ଧମକ ଦେଇଥିଲେ। ଏହାସତ୍ତ୍ବେ ସଂପୃକ୍ତ ଅଧ୍ୟାପକ ଓ ତାଙ୍କ ସହ ସାମିଲ ଥିବା ଅନ୍ୟମାନେ ଯୋଜନାବଦ୍ଧ ଭାବେ ସ୍ମୃତିଶ୍ରୀଙ୍କ ଉପରେ ଅକଥନୀୟ ରୢାଗିଂ କରୁଥିଲେ। ଯେପରିକି ସ୍ମୃତିଶ୍ରୀ କଲେଜ ଛାଡ଼ି ଚାଲିଯିବାକୁ ବାଧ୍ୟ ହେବେ। ସ୍ମୃତିଶ୍ରୀ ଏହି ଘଟଣା ମଧ୍ୟ କେତେଜଣ ସହପାଠୀଙ୍କ ନିକଟରେ ପ୍ରକାଶ କରିଥିଲେ। ନିଜର କ୍ୟାରିୟର ପାଇଁ ଏହାକୁ ଖୋଲାଖୋଲି କହି ନପାରି ଶେଷରେ ଜୀବନ ହାରିଦେଇଥିବା ଅଭିଯୋଗ ହୋଇଛି। ପୁଲିସ୍‌ ମୃତ ଛାତ୍ରୀ ସ୍ମୃତିଶ୍ରାଙ୍କ ନିକଟତମ ସହପାଠୀଙ୍କୁ ପଚରାଉଚରା କଲେ ଅଧିକ ତଥ୍ୟ ସାମ୍‌ନାକୁ ଆସିପାରିବ ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ବଡ଼ଚଣା ପୁଲିସ୍‌ କଲେଜର ଜଣେ ଅଧ୍ୟାପକ ଓ ଅନ୍ୟଜଣେ କର୍ମଚାରୀଙ୍କୁ ପଚରାଉଚରା ପାଇଁ ଥାନାକୁ ଡାକିଥିଲା। ଏହାପରେ ଦୁହିଁଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି। ‌

ସମ୍ବନ୍ଧିତ ଖବର