ଶିଶୁ ଦିବସରେ ଶିଶୁଙ୍କୁ ଦିଆଯିବ ଉପହାର: ସ୍ମାର୍ଟ ସ୍କୁଲରେ ପଢ଼ିବେ

୧୦୭୦ ସ୍କୁଲ କାର୍ଯ୍ୟ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ, ଗଞ୍ଜାମର ସର୍ବାଧିକ ୧୨୫ରୁ ଅଧିକ ସ୍କୁଲ ସାମିଲ

ଭୁବନେଶ୍ବର: ଆସନ୍ତା ଶିଶୁ ଦିବସରେ ଶିଶୁମାନଙ୍କୁ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ୫-ଟି ଅନ୍ତର୍ଗତ ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ଓଡ଼ିଶାର ୧୦୭୦ ବିଦ୍ୟାଳୟର ନବ‌କଳେବର କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକର ୫୦ଟି ବିଦ୍ୟାଳୟକୁ ନୂଆ ରୂପ ଦିଆଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିସାରିଛନ୍ତି। ବାକି ଥିବା ବିଦ୍ୟାଳୟଗୁଡ଼ିକର କାର୍ଯ୍ୟ ନଭେମ୍ବର ୧୪ ସୁଦ୍ଧା ଶେଷ କରି ଶିଶୁ ଦିବସରେ ଲୋକାର୍ପଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଏହାଦ୍ବାରା ସରକାରୀ ବିଦ୍ୟାଳୟର ପିଲାଙ୍କୁ କ୍ୟାମ୍ପସରେ ଅତ୍ୟାଧୁନିକ ସୁବିଧା ସୁଯୋଗ ଯଥା ସ୍ମାର୍ଟ କ୍ଲାସରୁମ୍‌ ସହ ଲାଇବ୍ରେରି, ଲାବ‌ରେଟୋରି, ଖେଳ ପଡ଼ିଆ, କମ୍ପ୍ୟୁଟର ଶିକ୍ଷା, ସ୍ବଚ୍ଛ ପିଇବା ପାଣି, ଶୌଚାଳୟ ସୁବିଧା ଆଦି ମିଳିପାରିବ।

ପାଇଲଟ୍ ପ୍ରୋଜେକ୍ଟ ଭାବେ ଗଞ୍ଜାମରୁ ଏହି କାର୍ଯ୍ୟକ୍ରମରେ ସ୍କୁଲ ପିଛା ୪୫ଲକ୍ଷ ଟଙ୍କା ଲେଖାଏ ଖର୍ଚ୍ଚ ହୋଇଛି। ଅଗଷ୍ଟ ୨୧‌ରେ ପ୍ରଥମ କରି ଗଞ୍ଜାମ ଜିଲ୍ଲାର ୧୦ଟି ସ୍କୁଲର ରୂପାନ୍ତରୀକରଣ ପ୍ରକ୍ରିୟାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଥିଲେ। ପରବର୍ତୀ ସମୟରେ ପର୍ଯ୍ୟାୟକ୍ରମେ ଆଉ ୪୦ଟି ସ୍କୁଲର ରୂପାନ୍ତରୀକରଣ ଶେ‌ଷ ହେବା ସହ ଉଦ୍‌ଘାଟନ ହୋଇସାରିଛି। ବାକି ୧୦୨୦ଟି ବିଦ୍ୟାଳୟକୁ ବର୍ଷ ଶେଷ ସୁଦ୍ଧା ନୂଆ ରୂପ ଦେବାକୁ ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ଧାର୍ଯ୍ୟ ଲକ୍ଷ୍ୟ ପୂର୍ବରୁ ନଭେମ୍ବର ୧୪ ସୁଦ୍ଧା ରୂପାନ୍ତରୀକରଣ କାର୍ଯ୍ୟ ଶେଷ କରି ରାଜ୍ୟ ସରକାର ପିଲାଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବାକୁ ଯାଉଥିବା ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

୫-ଟି ଯଥା ଟେକ୍ନୋଲୋଜି, ଟିମ୍‌ୱାର୍କ, ଟାଇମ୍‌, ଟ୍ରାନ୍ସପରେନ୍ସି ଓ ଟ୍ରାନ୍ସଫରମେସନ ଦ୍ବାରା ଏହା ରୂପାନ୍ତରଣ କାର୍ଯ୍ୟକ୍ରମ କରାଯାଇଛି। ଟେକ୍ନୋଲୋଜି ମାଧ୍ୟମରେ ସ୍ମାର୍ଟ କ୍ଲାସରୁମ୍‌, ଇ-ଲାଇବ୍ରେରି, କମ୍ପ୍ୟୁଟର ଓ ଅତ୍ୟାଧୁକିନ ଲାବରେଟୋରି ସୁବିଧା ଛାତ୍ରଛାତ୍ରୀଙ୍କୁ ଉପଲବ୍ଧ କରାଯିବ। ପଞ୍ଚାୟତ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ସ୍କୁଲ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ପ୍ରଶାସନ ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଛି। ଫେବ୍ରୁଆରି ମାସରେ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ୧୦ ମାସ ମଧ୍ୟରେ ସ୍କୁଲଗୁଡ଼ିକ ନୂଆ ରୂପ ନେଇଛି। ସ୍କୁଲଗୁଡ଼ିକରେ ଯାହାବି କିଛି ପରିବର୍ତନ ହୋଇଛି ସେଥିରେ ସ୍ବଚ୍ଛତା ଅବଲମ୍ବନ କରାଯାଇଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଭିଜନ ଡକ୍ୟୁମେଣ୍ଟଠାରୁ ସମସ୍ତ ଖର୍ଚ୍ଚର ହିସାବ ସମ୍ପର୍କ‌ରେ ଲୋକଙ୍କୁ ଅବଗତ କରାଯାଇଛି।
ଗଣଶିକ୍ଷା ବିଭାଗ ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୧୨୫ରୁ ଅଧିକ ସ୍କୁଲ ଏହି ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ ହୋଇଛି।

ଯେତେବେଳେ କି କେନ୍ଦୁଝରର ଶହେରୁ ଅଧିକ, ବରଗଡ଼ର ୯୫, ଅନୁଗୁଳ, ମୟୂରଭଞ୍ଜ ଓ ସୁନ୍ଦରଗଡ଼, ଯାଜପୁରରେ ୫୦ରୁ ଅଧିକ ଲେଖାଏ, ଖୋର୍ଧାର ୪୨, ଢେଙ୍କାନାଳର ୪୧, ଦେବଗଡ଼ର ୩୮, କେନ୍ଦ୍ରାପଡ଼ାର ୩୨, କଟକର ୨୯ଟି ବିଦ୍ୟାଳୟ ଏଥିରେ ସାମିଲ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଉପାନ୍ତ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ଥିବା ବିଦ୍ୟାଳୟ ଉପରେ ଅଧିକ ଗୁରୁତ୍ବାରୋପ କରାଯାଇଛି। ଦ୍ବିତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣ ପ୍ରକ୍ରିୟାରେ ୩୩୦୦ଟି ବିଦ୍ୟାଳୟକୁ ସାମିଲ କରାଯାଇଛି। ତାହାର ରିପୋର୍ଟ ଇତିମଧ୍ୟରେ ଗଣଶିକ୍ଷା ବିଭାଗର ହସ୍ତଗତ ହୋଇଛି। କେଉଁ ବିଦ୍ୟାଳୟ କେତେ ବର୍ଷର, କିଭଳି ସ୍ଥିତିରେ ଅଛି, କ’ଣ ସବୁ ଆବଶ୍ୟକତା ରହିଛି ଆଦି ଉପରେ ଜିଲ୍ଲାପାଳମାନେ ରିପୋର୍ଟ ଦେଇସାରିଛନ୍ତି। ଯାହାକୁ ଆଧାର କରି ଗଣଶିକ୍ଷା ବିଭାଗ ପରବର୍ତୀ ପଦକ୍ଷେପ ପାଇଁ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରିଛି। ଏଥିପାଇଁ ୮୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର