ଭୁବନେଶ୍ବର : ରାଜ୍ୟ ସରକାରଙ୍କ ମେଡିକାଲ, ଇଂଜିନିୟରିଂ କଲେଜ ଗୁଡ଼ିକରେ ସରକାରୀ ସ୍କୁଲ ବିଦ୍ୟାର୍ଥୀଙ୍କ ପ୍ରବେଶ ଏଣିକ ସହଜ ହେବ। ସେମାନଙ୍କ ପାଇଁ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାକୁ ସରକାର ଲାଗୁ କରିଛନ୍ତି। ଓଡ଼ିଶା ବୃତ୍ତିଗତ ଶିକ୍ଷା ଅନୁଷ୍ଠାନ ଧାରା ୨୦୦୭ ଦ୍ବାରା ପ୍ରଦତ୍ତ କ୍ଷମତାକୁ ବ୍ୟବହାର କରି ଉଚ୍ଚ କ୍ଷମତାସମ୍ପନ୍ନ କମିଟିର ସୁପାରିସକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ବ୍ୟବସ୍ଥା କରିଛନ୍ତି। ଫଳରେ ଏଣିକି ରାଜ୍ୟ ମେଡିକାଲ, ଇଂଜିନିୟରିଂ କଲେଜଗୁଡ଼ିକରେ ୧୫ ପ୍ରତିଶତ ଆସନ ମାଧ୍ୟମିକ ଶିକ୍ଷା ବୋର୍ଡ(ବିଏସଇ)ଅଧୀନରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରୁ ଦଶମ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଅଧୀନରେ ସରକାରୀ ଉଚ୍ଚ ମାଧ୍ୟମିକ, ସରକାରୀ କନିଷ୍ଠ କଲେଜରୁ ଦ୍ବାଦଶ ବୋର୍ଡରେ ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀଙ୍କ ପାଇଁ ସଂରକ୍ଷିତ ରହିବ। ଏହା ପ୍ରତ୍ୟେକ ସଂରକ୍ଷିତ, ଅଣସଂରକ୍ଷିତ ବର୍ଗଙ୍କ ପାଇଁ ସମାନ୍ତରାଳ ଭାବରେ ଲାଗୁ କରାଯିବ ବୋଲି ରାଜ୍ୟ ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି।
ଏ ସଂକ୍ରାନ୍ତରେ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, ରାଜ୍ୟ ସରକାରୀ ହାଇସ୍କୁଲରେ ପଢୁଥିବା ବିଦ୍ୟାର୍ଥୀମାନେ ଘରୋଇ ସ୍କୁଲରେ ପଢୁଥିବା ବିଦ୍ୟାର୍ଥୀଙ୍କ ତୁଳନାରେ ଶିକ୍ଷା କ୍ଷେତ୍ରରେ ଅସମାନତାର ସମ୍ମୁଖୀନ ହେଉଛନ୍ତି। ସରକାରୀ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀମାନେ ଡାକ୍ତରୀ, ଇଂଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ଗ୍ରହଣ ପାଇଁ ଆର୍ଥିକ ଦୃଷ୍ଟିରୁ ଅକ୍ଷମ। ତେଣୁ ନିଟ୍, ଜେଇଇ ପରି ସର୍ବଭାରତୀୟ ପରୀକ୍ଷାରେ ସେମାନଙ୍କ ପ୍ରଦର୍ଶନ ସନ୍ତୋଷଜନକ ହୋଇ ପାରୁନାହିଁ। ଏହି ଅସମାନତାକୁ ଦୂର କରିବା ପାଇଁ ସରକାରୀ ହାଇସ୍କୁଲ ବିଦ୍ୟାର୍ଥୀମାନଙ୍କ ଇଂଜିନିୟରିଂ, ମେଡିକାଲ ପାଠ୍ୟକ୍ରମରେ ଅଧିକ ଅନୁପାତରେ ପ୍ରବେଶକୁ ସହଜ କରିବା ଲାଗି ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଡ.ଏ କେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ ହୋଇଥିଲା। ପରେ କମିଟି ଦାଖଲ କରିଥିବା ରିପୋର୍ଟ ରାଜ୍ୟ କ୍ୟାବିନେଟରେ ଗୃହୀତ ହୋଇଥିଲା। ଓଡ଼ିଶା ବିଧାନସଭା ମଧ୍ୟ ଏହାକୁ ସର୍ବସମ୍ମତି କ୍ରମେ ଗ୍ରହଣ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/plus-2-exam.jpg)