ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ଅଦା ଚାଷ କରାଯାଉଛି। ଅଦାକୁ ପ୍ରକ୍ରିୟାକରଣ କରି ଶୁଣ୍ଠିରେ ପରିଣତ କରାଗଲେ ଚାଷୀଙ୍କ ଆର୍ଥିକ ପ୍ରଗତିରେ ଅଧିକ ସହାୟକ ହୋଇପାରନ୍ତା। କିନ୍ତୁ ଜିଲ୍ଲାରେ ଅଦା ପ୍ରକ୍ରିୟାକରଣ ୟୁନିଟ୍ ନ ଥିବାରୁ ଚାଷୀମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ଅଧିକ ପରିମାଣରେ ଅଦା ଚାଷ ହେଉଛି। ଗତ ଖରିଫ୍ ଋତୁରେ ଜିଲ୍ଲାର ୨୫୦ ହେକ୍ଟର ଜମିରେ ଅଦା ଚାଷ କରାଯାଇଥିଲା। ଗତ ଏପ୍ରିଲରେ ଲଗାଯାଇଥିବା ଅଦା ନଭେମ୍ବର ଶେଷ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ ଅମଳ ହେବାକୁ ରହିଥିବା ବେଳେ ଗତବର୍ଷର ଅଦା ଏବେ ବି ବଜାରରେ ଉପଲବ୍ଧ ରହିଛି। ତେଣୁ ଅମଳ ସମୟରେ ଅଦାଚାଷୀଙ୍କୁ ଉଚିତ ମୂଲ୍ୟ ମିଳିବ ନାହିଁ। ଉଦ୍ୟାନ କୃଷି ବିଭାଗର ସୂଚନା ଅନୁସାରେ, ଚଳିତ ଋତୁରେ ଅଦା ଭଲ ଅମଳ ହେବ ଆଶା କରାଯାଉଛି। ଗତବର୍ଷ ମୟୂରଭଞ୍ଜର ଅଦାକୁ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ବେପାରୀମାନେ ଶାଗମାଛ ଦରରେ କିଣି ନେଇଥିଲେ। ପଚିଯିବା ଭୟରେ ଚାଷୀମାନେ କମ୍ ଦାମରେ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ଉଦ୍ୟାନ କୃଷି ବିଭାଗ ଓ ଆଇଟିଡିଏ ଚଳିତ ବର୍ଷ ଚାଷୀଙ୍କୁ ଅଭାବୀ ବିକ୍ରିରୁ ରକ୍ଷା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ଏହି ଯୋଜନା ଅନୁସାରେ, ଚାଷୀମାନେ ଉଚିତ ଦାମରେ ଅଦା ବିକ୍ରି କରିପାରିବେ ଏବଂ ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବ ବୋଲି କୁହାଯାଉଛି। ଜିଲ୍ଲାର ବାରିପଦା, ଉଦଳା, କରଞ୍ଜିଆ ଓ ରାଇରଙ୍ଗପୁର ବ୍ଲକରେ ଅଦାଚାଷକୁ ଅଗ୍ରାଧିକାର ଦିଆଯାଇଛି।
ବାରିପଦାରେ ୯୫ ହେକ୍ଟର ଜମିରେ ଅଦା ଚାଷ ପାଇଁ ୬୬୫ କ୍ବିଣ୍ଟାଲ୍ ବିହନ, ଉଦଳାରେ ୪୦ ହେକ୍ଟର ଜମି ପାଇଁ ୨୮୦ କ୍ବିଣ୍ଟାଲ୍ ବିହନ, କରଞ୍ଜିଆରେ ୪୫ ହେକ୍ଟର ଜମି ପାଇଁ ୩୧୫ କ୍ବିଣ୍ଟାଲ୍ ବିହନ ଏବଂ ରାଇରଙ୍ଗପୁରରେ ୭୦ ହେକ୍ଟର ଜମି ପାଇଁ ୪୯୦ କ୍ବିଣ୍ଟାଲ୍ ଅଦା ବିହନ ଯୋଗାଇ ଦିଆଯାଇଛି। ୧୨୦୦ ଚାଷୀଙ୍କୁ ବିହନ ଯୋଗାଇ ଦିଆଯାଇଛି। ମୟୂରଭଞ୍ଜରେ ସୁପ୍ରଭା, ସୁରୁଚି ଓ ସୁରଭି କିସମର ଅଦା ଅଧିକ ଅମଳ ହେଉଛି। ଯାହା ଅଳ୍ପ ତନ୍ତୁଯୁକ୍ତ ଓ ଅଧିକ ବାସନା ରହିଥିବା ବେଳେ ଶୁଣ୍ଠି ପାଇଁ ବେଶ୍ ଉପାଦେୟ। ଚଳିତ ବର୍ଷ ମଧ୍ୟମ ବର୍ଷା ସତ୍ତ୍ୱେ ଏକର ପ୍ରତି ୮୦ରୁ ୧୨୦ କ୍ବିଣ୍ଟାଲ ଅମଳ ହେବା ଲକ୍ଷ୍ୟ ରଖାଯାଇଛି। ଜିଲ୍ଲାରେ ୪୯୪୨ ମେଟ୍ରିକ୍ ଟନ୍ରୁ ୭୪୧୩ ମେଟ୍ରିକ୍ ଟନ୍ ଅଦା ଉତ୍ପାଦନ ହେଉଛି। ଅଦା ଚାଷୀଙ୍କୁ ଲାଭବାନ କରିବା ପାଇଁ ପିଏ ଆଇଟିଡିଏ ଜୀବିକା ମିସନ ଓ ଫାର୍ମର ପ୍ରଡ୍ୟୁସର ଗ୍ରୁପ ମାଧ୍ୟମରେ ଅଦା କ୍ରୟ କରୁଛି। ଏସ୍ଏଚ୍ଜି ମାଧ୍ୟମରେ ଅଦା ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନର ଯୋଜନା ରହିଛି, ଯାହା ଅଦାକୁ ଶୁଣ୍ଠିରେ ରୂପାନ୍ତର କରି ଉଚ୍ଚ ମୂଲ୍ୟରେ ବିକ୍ରି କରିପାରିବେ। ବର୍ତ୍ତମାନ ଅନ୍ଲାଇନ୍ ବଜାରରେ ଅର୍ଗାନିକ୍ ଶୁଣ୍ଠି କେଜି ପ୍ରତି ୧୦୦୦ରୁ ୧୫୦୦ ଟଙ୍କାରେ ବିକ୍ରି ହେଉଛି। କିନ୍ତୁ ରାଜ୍ୟ ଭିତରେ ଅଦାର ଦର କେଜି ପ୍ରତି ୧୦୦ରୁ ୧୭୦ ଟଙ୍କା ରହୁଥିବା ବେଳେ ଅମଳ ସମୟରେ ଏହା ୪୦ରୁ ୫୦ ଟଙ୍କାକୁ ଖସିଯାଉଛି। ବର୍ତ୍ତମାନ ନୂଆ ଅଦା କିଲୋ ପିଛା ୧୦୦ ଟଙ୍କା ଓ ପୁରୁଣା ଅଦା ୧୫୦ ଟଙ୍କାରେ ବିକ୍ରି ହେଉଛି। ଏନେଇ ଉଦ୍ୟାନ କୃଷି ବିଭାଗର ଉପନିର୍ଦ୍ଦେଶକ ଟଙ୍କଧର କାଲୋ କହିଛନ୍ତି ଯେ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ ହେଲେ ଚାଷୀମାନେ ଅଧିକ ଲାଭ ପାଇପାରିବେ। ସେଥିପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/15/ginger-2025-10-15-01-41-07.jpg)