କୋରାପୁଟ : କୋରାପୁଟ ଜିଲ୍ଲାର ପାଣିପାଗ ଅଦା ଚାଷକୁ ସୁହାଉଛି। ତେଣୁ ଉଭୟ ଖରିଫ ଓ ରବି ଋତୁରେ ପ୍ରାୟ ସବୁ ବ୍ଲକ୍‌ରେ ଚାଷ ହେଉଛି। ଅନ୍ୟ ବ୍ଲକ୍‌ ତୁଳନାରେ ପଟାଙ୍ଗୀ, ଲକ୍ଷ୍ମୀପୁର, ନନ୍ଦପୁର, ଲମତାପୁଟ, ନାରାୟଣପାଟଣା, ବନ୍ଧୁଗାଁ ଓ ଦଶମନ୍ତପୁରରେ ଅଧିକ ଚାଷ କରାଯାଉଛି। ରବି ଋତୁରେ ୭୦୦ ହେକ୍ଟର ଓ ଖରିଫ ଋତୁରେ ୯୦୦ ହେକ୍ଟର ପର୍ଯ୍ୟନ୍ତ ଚାଷ ହେଉଥିବା ଜଣାପଡ଼ିଛି। କିନ୍ତୁ ଉତ୍ପାଦନ ପରେ ପ୍ରତି ବର୍ଷ ଚାଷୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଶୀତଳଭଣ୍ଡାର ନଥିବା କାରଣରୁ ଚାଷୀ ଶସ୍ତାରେ ବିକ୍ରି କରୁଥିବା ବେଳେ ରାଜ୍ୟ ବାହାର ବ୍ୟବସାୟୀ ଟ୍ରକ୍‌ ଟ୍ରକ୍‌ ଅଦା ଏଠାରୁ ନେଇ ଯାଉଛନ୍ତି। କିନ୍ତୁ ଚଳିତ ବର୍ଷ ଅସ୍ବାଭାବିକ ଭାବେ ଦର ବଢ଼ିବା ଫଳରେ ଖାଉଟିଙ୍କ ପାଇଁ ଅକଳିଆ ପରିସ୍ଥିତି ସୃଷ୍ଟି ହୋଇଛି।

Advertisment

ଗତବର୍ଷ ପ୍ରତି ହେକ୍ଟର ଜମିରୁ ୧୮୦ରୁ ୧୯୦କ୍ବିଣ୍ଟାଲ ପର୍ଯ୍ୟନ୍ତ ଅଦା ଉତ୍ପାଦନ ହୋଇଥିଲା। ପ୍ରଚୁର ପରିମାଣରେ ଉତ୍ପାଦନ କାରଣରୁ ଦର ଆପେଆପେ କମିଯାଇ କୋରାପୁଟ ଜିଲ୍ଲାରେ କିଲୋ ପିଛା ଦର ୫ରୁ ୧୮ଟଙ୍କା ମଧ୍ୟରେ ରହିଥିଲା। ସେହିପରି କାଳବୈଶାଖୀ ବର୍ଷା ଯୋଗୁ କ୍ଷତି ଆଶଙ୍କାରେ ଚାଷୀ ଶସ୍ତାରେ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ। ‌ତେବେ ଚଳିତ ବର୍ଷ ହେକ୍ଟର ପିଛା ୧୦୭ରୁ ୧୬୫କ୍ବିଣ୍ଟାଲ ମଧ୍ୟରେ ଉତ୍ପାଦନ ହୋଇଛି। ଠିକ୍‌ ସମୟରେ ଅଳ୍ପ ଉତ୍ପାଦନ କାରଣରୁ ବର୍ତ୍ତମାନ କିଲୋ ପିଛା ୧୬୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଛି। ଯଦି କିଛି ଦିନ ପର୍ଯ୍ୟନ୍ତ ଏହି ଦରରେ ବିକ୍ରି ହୁଏ ତେବେ ଆଗକୁ ଆହୁରି ଦର ବଢ଼ିବାର ସମ୍ଭାବନା ରହିଛି।

publive-image Gardeners World

କରୋନା ସମୟରେ ଆନ୍ଧ୍ର ବ୍ୟବସାୟୀଙ୍କ ନଜର ଅଦା ଚାଷ ଉପରେ ପଡ଼ିଥିଲା। ସ୍ଥାନୀୟ ଚାଷୀଙ୍କ ସହ ଯୋଗାଯୋଗ କରି ଅତିଶସ୍ତାରେ ଶହ ଶହ କ୍ବିଣ୍ଟାଲ ଅଦା ନେଇଗଲେ। ତାହାକୁ ଶୁଖାଇ ବଜାରରେ ବିକ୍ରି କରି ପ୍ରଚୁର ଲାଭ ପାଇଲେ। କଞ୍ଚା ଅଦାରେ ୮୦.୯ ପ୍ରତିଶତ ଜଳ, ୨.୩ ପ୍ରତିଶତ ପ୍ରୋଟିନ୍ ଓ ୧୨.୩ ପ୍ରତିଶତ କାର୍ବୋହାଇଡ୍ରେଟ୍ ଥାଏ। ଏହା ବ୍ୟତୀତ ଆଇରନ୍, କ୍ୟାଲ୍‌ସିୟମ୍, ଆୟୋଡିନ୍, କ୍ଲୋରିନ୍, ଖଣିଜ ଲବଣ ତ‌ଥା ଭିଟାମିନ ପର୍ଯ୍ୟାପ୍ତ ପରିମାଣରେ ରହିଛି। କିନ୍ତୁ ଶୁଖିଲା ପରେ ଏହା ଶୁଣ୍ଠି ଭାବେ ବିକ୍ରି ହେଉଛି। ଶୁଣ୍ଠି ବଦ‌ହଜମି, ଗ୍ୟାସ୍, ପେଟ ବିନ୍ଧା, ପେଟ କାମୁଡ଼ା, କାଶ ଆଦି ରୋଗର ଔଷଧ ଭାବେ ବିକ୍ରି ହେଉଥିବାରୁ ଚାହିଦା କ୍ରମାଗତ ବଢ଼ି ଚାଲିଛି। ନିଜେ ପ୍ରକ୍ରିୟାକରଣ କରି ଅର୍ଗାନିକ୍‌ ଶୁଣ୍ଠି ବୋଲି କହି ବ୍ୟବସାୟୀ କେଜି ପିଛା ୧୦୦୦ରୁ ୧୫୦୦ ଟଙ୍କାରେ ବିକ୍ରି କରୁଛନ୍ତି। ଏପରିକି ଅନ୍‌ଲାଇନ୍‌ରେ ବିକ୍ରି କରୁଥିବାରୁ ଆନ୍ଧ୍ର ବ୍ୟବସାୟୀଙ୍କୁ ବଡ଼ ବଜାର ମିଳିଯାଇଛି। କିନ୍ତୁ ଏହାକୁ ଉତ୍ପାଦନ କରୁଥିବା ଚାଷୀଙ୍କ ଆର୍ଥିକ ସ୍ଥିତିରେ ବିଶେଷ କିଛି ପରିବର୍ତ୍ତନ ହୋଇପାରିନି।

ଏ ନେଇ ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକ ସୁଦାମ ବିଶ୍ବାଳଙ୍କୁ ଯୋଗାଯୋଗ କରିବାରୁ ପ୍ରକ୍ରିୟାକରଣ ୟୁନିଟ୍‌ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୪ଟି ବ୍ଲକରେ ୬ଟି ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନ କରିବାକୁ ଯୋଜନା କରାଯାଇଛି। କୋରାପୁଟ, ଲମତାପୁଟ, ନନ୍ଦପୁର ଓ ପଟାଙ୍ଗି ଠାରେ ଏହି ୟୁନିଟ୍‌ ସ୍ଥାପନ ହେବ। ଏଥିପାଇଁ ଦୁଇଟି ସ୍ବୟଂ ସହାୟକ ଗୋଷ୍ଠୀକୁ ଚୟନ କରାଯାଇଛି। ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମିଶନଶକ୍ତି ସହଯୋଗରେ ୩କୋଟି ୫୦ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ମହିଳାମାନେ ପ୍ରକ୍ରିୟାକରଣ ୟୁନିଟ୍‌ ଦ୍ବାରା ସ୍ବାବଲମ୍ବୀ ହେବା ସହ ଚାଷୀ ମଧ୍ୟ ଉପକୃତ ହେବେ ବୋଲି କହିଛନ୍ତି।