ପଟାଙ୍ଗି : ଗତବର୍ଷ ଭଳି ଚଳିତ ବର୍ଷ ବି ଅଦା ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଯେଉଁ ଆଶା ନେଇ ଚାଷ କରିଥିଲେ ତାହା ଏବେ ମଉଳିବାରେ ଲାଗିଛି। ନିଜ ପାଖରେ ରଖିପାରୁଛନ୍ତି ନା ବିକ୍ରି କରିପାରୁଛନ୍ତି। ଦୁଇ ବର୍ଷ ହେଲା ବାହାର ରାଜ୍ୟରୁ ବହୁ ପରିମାଣରେ ଅଦା ଓଡ଼ିଶାକୁ ବିକ୍ରି ପାଇଁ ଆସିବା କାରଣରୁ ଏମିତି ସ୍ଥିତି ସୃଷ୍ଟି ହୋଇଛି। ବାଧ୍ୟ ହୋଇ ଚାଷୀ ଅତି ଶସ୍ତାରେ ଅଦା ବିକ୍ରି କରି ବିପୁଳ କ୍ଷତି ସହୁଛନ୍ତି। ସେହିପରି କିଛି ବ୍ୟବସାୟୀ ସିଧାସଳଖ ଚାଷଙ୍କ ଠାରୁ ଅଦା କିଣିଥିଲେ। ଦର ସାମାନ୍ୟ ବଢ଼ିଲେ ବିକ୍ରି କରିବାକୁ ଶହ ଶହ କ୍ବିଣ୍ଟାଲ ଗୋଦାମରେ ରଖିଥିଲେ। କିନ୍ତୁ ଏବେ ବିକ୍ରି ନ ହୋଇ ସଢ଼ିବା ଅବସ୍ଥାକୁ ଆସିଲାଣି। କିଛି ଚାଷୀ ଦର ଶୁଣିବା ପରେ ନିଜ ଜମିରୁ ଅଦା ଖୋଳିବା ପାଇଁ ସାହସ କରି ପାରୁନାହାନ୍ତି। କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍‌ର ଶହ ଶହ ଅଦା ଚାଷୀ ଏବଂ ବ୍ୟବସାୟୀ ଏଭଳି ତ୍ରିଶଙ୍କୁ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି।

Advertisment

କୋରାପୁଟ ଜିଲ୍ଲା ପଟାଙ୍ଗି ଅଞ୍ଚଳର ଚାଷୀ ମୁଖ୍ୟତଃ ଅଦା ଚାଷ କରିଥାନ୍ତି। ଏଠାକାର ଜଳବାୟୁ ଓ ମାଟି ଅଦା ଚାଷ ପାଇଁ ଉପଯୋଗୀ ହୋଇଥିବାରୁ ଏହା ପ୍ରଚୁର ପରିମାଣରେ ଉତ୍ପାଦନ ହୁଏ। ତେଣୁ ପିଢ଼ି ପିଢ଼ି ଧରି ଏହି ଚାଷ ଉପରେ ଅଧିକାଂଶ ପରିବାର ନିର୍ଭରଶୀଳ। ପୂର୍ବରୁ ଏହି ଅଞ୍ଚଳର ଶହ ଶହ କ୍ବିଣ୍ଟାଲ ଅଦା ପ୍ରତିଦିନ ବ୍ରହ୍ମପୁର, କଟକ ଓ ଭୁବନେଶ୍ୱର ସମେତ ବାହାର ରାଜ୍ୟକୁ ଯାଉଥିଲା। ପଟାଙ୍ଗି ଅଞ୍ଚଳରେ ହେଉଥିବା ଅଦା ଚାହିଦା ବାହାର ରାଜ୍ୟରେ ବି ରହିଛି। କିନ୍ତୁ ଦୁଇ ବର୍ଷ ହେଲା ଅଦା ଦର ଅସ୍ବାଭାବିକ ଭାବେ କମି ଯାଇଛି। ଏହା ପଛର ମୁଖ୍ୟ କାରଣ ହେଲା କର୍ଣ୍ଣାଟକରୁ ଶହ ଶହ କ୍ବିଣ୍ଟାଲ ଅଦା ଓଡ଼ିଶା ବଜାରକୁ ଆସୁଛି। ପଟାଙ୍ଗି ଅଦା ଯେଉଁ ସ୍ଥାନ ବଜାରରେ ସୃଷ୍ଟି କରିଥିଲା ତାହାକୁ ରାଜ୍ୟ ବାହାର ଅଦା କବ୍‌ଜା କରୁଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଆପେ ଆପେ ପଟାଙ୍ଗି ଅଞ୍ଚଳର ଅଦା ଦର କମି ଯାଇଛି। ପୂର୍ବରୁ ଅଦା କିଲୋ ପିଛା ଦର ୫୦ ରୁ ୬୦ ଟଙ୍କା ରହିଥିଲା। କିନ୍ତୁ ବର୍ତ୍ତମାନ ଭଲ ଅଦା କିଲୋ ୧୨ ଟଙ୍କା ଏବଂ ସାଧାରଣ କିସମ ଅଦା କିଲୋ ୭ ରୁ ୮ ଟଙ୍କା ରହିଥିବା ପଟାଙ୍ଗି ଅଦା ବ୍ୟବସାୟୀ ଏନ. ଲୋକେଶ୍ବର ଚୌଧୁରୀ କହିଛନ୍ତି।

ପଟାଙ୍ଗି ଅଞ୍ଚଳର ବ୍ୟବସାୟୀ ଚାଷୀଙ୍କ ଠାରୁ ସିଧାସଳଖ ଅଦା କିଣି ମାଳିପୁଟର ୪ଟି, କୁନ୍ଦୁଲିର ୩ଟି, ପୁକାଲିର ୩ଟି ଓ ପଟାଙ୍ଗିର ୫ଟି ଗୋଦାମରେ ରଖିଛନ୍ତି। ‌ତେବେ ଦର କମିବାରୁ ବ୍ୟବସାୟୀ ଏହାକୁ ବିକ୍ରି କରି ପାରୁ ନାହାନ୍ତି। ଅନ୍ୟପଟେ ଜମିରୁ ଅଦା ଖୋଳି ନଥିବା ଚାଷୀ ଏଭଳି ଦର ଶୁଣିବା ପରେ ଖୋଳିବାକୁ ଆଉ ସାହସ କରି ପାରୁନାହାନ୍ତି। ଏପରିକି ଚଳିତ ବର୍ଷ ଖର୍ଚ୍ଚ କରିଥିବା ଟଙ୍କା ମଧ୍ୟ ବାହାରିବା କଷ୍ଟକର ବୋଲି ଅନେକ ଚାଷୀ କହିଛନ୍ତି। ସରକାରଙ୍କ ପକ୍ଷରୁ ଅଦା ବିକ୍ରି ପାଇଁ କୌଣସି ବ୍ୟବସ୍ଥା କରାଗଲେ ଚାଷୀ ଉପକୃତ ହେବେ। ନଚେତ୍‌ ଅଞ୍ଚଳର ଚାଷୀ ଆଉ ଅଦା ଚାଷ କରିବାକୁ ଆଗ୍ରହ ପ୍ରକାଶ କରିବେନି ବୋଲି ପଟାଙ୍ଗିର ଚାଷୀ ଟୁନା ଡାକୁଆ କହିଛନ୍ତି। ଏକର ପିଛା ଏକ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ଅଦା ଚାଷ କରାଯାଇଥିବା ବେଳେ ବର୍ତ୍ତମାନ ଏହାକୁ ବିକ୍ରି କଲେ ୩୦ରୁ ୪୦ ହଜାର ଟଙ୍କା ମିଳିବ ବୋଲି ଚାଷୀ କହିଛନ୍ତି। ବିଭିନ୍ନ ବ୍ୟାଙ୍କ ଓ ସାହୁକାରଙ୍କ ଠାରୁ ଋଣ ଆଣି ଚାଷୀ ଅଦା ଚାଷ କରିଥିବା ବେଳେ ଋଣ ପରିଶୋଧ ଓ ପରିବାର ଚଳାଇବା ଚିନ୍ତା ଏମାନଙ୍କୁ ଘାରିଛି।