କଟକ : ‘ପୌର ନିର୍ବାଚନରେ ଭୁବନେଶ୍ବରରେ କଂଗ୍ରେସ ଭୋଟ୍ ପାଇଥିଲା ୧୪ ହଜାର। ବ୍ରହ୍ମପୁରରେ ପାଇଥିଲା ୭ ହଜାର। କିନ୍ତୁ କଟକରେ ଆମେ ପାଇଥିଲୁ ୬୮ ହଜାରରୁ ଅଧିକ ଭୋଟ୍। ସେହି ସମୟରେ ଏଆଇସିସି ଅଥବା ପିସିସି କୌଣସି ସାହାଯ୍ୟ ସହଯୋଗ ଯୋଗାଇ ନଥିଲେ। ମୁଁ ମେୟର ପ୍ରାର୍ଥୀ ହୋଇଥିବାରୁ ମୋତେ କେବଳ ୧ ଲକ୍ଷ ଟଙ୍କା ପଠାଇଥିଲେ। ମୁଁ ତାକୁ ଫେରାଇ ଦେଇଥିଲି। ଆମେ ଏଠି ନିଜ ଉଦ୍ୟମରେ ଲଢି ଶାସକ ଦଳ ପ୍ରାର୍ଥୀଙ୍କୁ ଜୋରଦାର ଟକ୍କର ଦେଇଥିଲୁ। କିନ୍ତୁ ଏବେ କଟକରେ କଂଗ୍ରେସ ସଂଗଠନକୁ ଭାଙ୍ଗିବାକୁ ଚକ୍ରାନ୍ତ ଚାଲିଛି। କେଉଁଠି ନା କେଉଁଠି କାହା ହାତବାରିସୀ ହୋଇ କିଏ କାମ କରୁଛି। ଆଉ ଆଗକୁ ଯିବା ପାଇଁ କଂଗ୍ରେସ ଇଚ୍ଛା କରୁନାହିଁ। ଗତକାଲି କଟକ ନଗର କଂଗ୍ରେସ ସଭାପତି ପଦରୁ ହଠାତ୍ ପଦଚ୍ୟୁତ ହୋଇଥିବା ଗିରିବାଳା ବେହେରା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନିଜର କ୍ଷୋଭ ତଥା ଅସନ୍ତୋଷକୁ ଏଭଳି ଢଙ୍ଗରେ ଜାହିର କରିଛନ୍ତି।
ଏଭଳି ଘଟଣାରେ ଅତ୍ୟନ୍ତ ଦୁଃଖିତ ବୋଲି ଉଲ୍ଲେଖ କରି କହିଛନ୍ତି, ସେ କଟକ ସହରରେ ସୁରେଶ ଭାଇ ଓ ମୋକିମ ଭାଇଙ୍କ ସହ ମିଶି ନିଷ୍ଠାପର ଭାବେ ଦଳ ପାଇଁ କାମ କରି ଆସୁଥିଲେ। କଂଗ୍ରେସରେ ରହି ସେ ୧୮ ରୁ ଅଧିକ ଥର ଜେଲ ଯାଇଛନ୍ତି। ନୂଆ ପିସିସି ସଭାପତି ଘୋଷଣା ହେବା ପରେ ତାଙ୍କୁ ସ୍ଵାଗତ କରିବା ସହ ଭୁବନେଶ୍ବର ଯାଇ ସମ୍ବର୍ଦ୍ଧିତ କରିଛନ୍ତି। ଦଳର ନିଷ୍ପତ୍ତି ଅନୁଯାୟୀ କଟକ ସହରରେ ତ୍ରିରଙ୍ଗା ପଦଯାତ୍ରା ଜୋରଦାର ଢଙ୍ଗରେ ଆୟୋଜନ କରିଛନ୍ତି। କିନ୍ତୁ ରାଜ୍ୟର ୩୩ଟି ସାଂଗଠନିକ ଜିଲ୍ଲାରେ କୌଣସି ପ୍ରକାର ପଦକ୍ଷେପ ନିଆ ଯାଇ ନଥିଲା ବେଳେ ହଠାତ କଟକ ସହର କମିଟିକୁ ଭାଙ୍ଗି ଦେଇ ତାଙ୍କୁ ସଭାପତି ପଦରୁ ବାହାର କରି ଦିଆଗଲା। ଭୁବନେଶ୍ବରରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ୧୦ ଟି ଜିଲ୍ଲା ମଧ୍ୟରେ କଟକରୁ କେବଳ ଗୋଟିଏ ବିଧାୟକ କଂଗ୍ରେସର ଜିତିଛନ୍ତି। ଆମ୍ଭମାନଙ୍କର ଅକ୍ଲାନ୍ତ ପରିଶ୍ରମ ପରେ ଆମେ କଟକ ସହରରେ ବିଧାୟକ ଜିତାଇ ଥିଲୁ। କିନ୍ତୁ ସେହି ସଂଗଠନକୁ ଭାଙ୍ଗିବା ପାଇଁ ଚକ୍ରାନ୍ତ ଚାଲିଛି ବୋଲି ଗିରିବାଳା କହିବା ସହିତ ତାଙ୍କ ସହିତ କୌଣସି ଆଲୋଚନା ନ କରି ତାଙ୍କୁ ଯେଭଳି ଅଗଣତାନ୍ତ୍ରିକ ଭାବେ ବାହାର କରାଗଲା ସେଥିରେ ସେ ଗୋଷ୍ଠୀ ରାଜନୀତିର ଶିକାର ହୋଇଥିବା ଅନୁଭବ କରୁଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ଯେ କଟକ ସହରର ଦୁଇ ତୁଙ୍ଗ ନେତା (ମୋକିମ୍, ସୁରେଶ) ଗତ ପୌର ନିଗମ ନିର୍ବାଚନରେ ତାଙ୍କୁ ସଂପୂର୍ଣ୍ଣ ରୂପେ ସହଯୋଗ କରିଥିଲେ। ପିସିସିର ଆଉ କେହି ତାଙ୍କୁ ସହଯୋଗ କରି ନଥିଲେ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ୩୩ ପ୍ରତିଶତ ମହିଳାଙ୍କ ପାଇଁ ପଦ ସଂରକ୍ଷଣ ରଖିବାକୁ କହୁଥିବା ବେଳେ ଏଠି ତାଙ୍କ ସହ ଯେମିତି ବ୍ୟବହାର କରାଗଲା, ସେ ସଂପର୍କରେ ସେ ସର୍ବୋଚ୍ଚ ନେତ୍ରୀଙ୍କୁ ଜଣାଇବେ ବୋଲି ଗିରିବାଳା କହିଛନ୍ତି।
ଗିରିବାଳା କହିଛନ୍ତି ଯେ ପିସିସି ସଭାପତି ବୋଧେ ଭାବିଲେ ଯେ ସେ କୌଣସି ଗୋଷ୍ଠୀରେ ଅଛନ୍ତି। ବାରବାଟୀ-କଟକ ବିଧାୟକ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ପରେ ତାଙ୍କୁ ତ କାରଣ ଦର୍ଶାଅ ନୋଟିସ ଦେଲେ ଏବଂ ମୋତେ ପଦରୁ ବାହାର କରି ନଗର କମିଟିକୁ ଭାଙ୍ଗି ଦେଲେ। କଂଗ୍ରେସ ଦଳରେ କିଛି ଠିକ୍ଠାକ ଚାଲିନି ବୋଲି ଏଥିରୁ ପ୍ରମାଣିତ ହେଉଛି। କିନ୍ତୁ ପିସିସି ସଭାପତି ଏଥିରୁ କ୍ଷାନ୍ତ ରହି, ସମସ୍ତଙ୍କୁ ନେଇ ଚାଲନ୍ତୁ, ନହେଲେ କଂଗ୍ରେସ ଦଳର ବହୁତ କ୍ଷତି ହେବ ବୋଲି ଗିରିବାଳା ଚେତାଇ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/giribala-congress-ctc.jpg)