ରାୟଗଡ଼ା : ବିଜେପି ଛାଡ଼ି ପାରନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧର ଗମାଙ୍ଗ। ପୁଅ ଶିଶିର ଗମାଙ୍ଗ ସହ ବିଜେପି ଛାଡ଼ି ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ମଙ୍ଗ ଧରିବାକୁ କରିଛନ୍ତି ଯୋଜନା। ଶୁକ୍ରବାର ହାଇଦ୍ରାବାଦରେ ବିଆରଏସ୍ ପ୍ରତିଷ୍ଠାତା ତଥା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ସାକ୍ଷାତ କରିବା ପରେ ଏମିତି ଚର୍ଚ୍ଚା ଆରମ୍ଭ ହୋଇଛି। ଯାହାକୁ ଶିଶିର ମଧ୍ୟ ସ୍ବୀକାର କରିଛନ୍ତି। କହିଛନ୍ତି, ଓଡ଼ିଶା ଦାୟିତ୍ବ ନେବାକୁ ବାପାଙ୍କୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ତେବେ ଆମେ ବିଜେପି ଛାଡ଼ିନୁ, ଏ ସଂପର୍କରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବୁ।
୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ନିର୍ବାଚନ ଲଢ଼ିବ ବିଆରଏସ୍। ଏଥି ପାଇଁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଛନ୍ତି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ଓଡ଼ିଶାରେ ନିଜ ଦଳର କାୟା ବିସ୍ତାର ସହ ମଙ୍ଗ ଧରିବାକୁ ପୁରୁଣା ବନ୍ଧୁ ଗିରିଧର ଗମାଙ୍ଗଙ୍କୁ ସେ ପ୍ରସ୍ତାବ ଦେଇଛନ୍ତି। ଉଭୟ ଗିରିଧର ଓ ଶିଶିର ସାକ୍ଷାତ ବେଳେ ଓଡ଼ିଶା ରାଜନୀତି ସଂପର୍କରେ ଶ୍ରୀ ରାଓଙ୍କ ସହ ଆଲୋଚନା କରିଛନ୍ତି। ହାଇଦ୍ରାବାଦ୍ ଭଳି ଓଡ଼ିଶାକୁ ବିକଶିତ କରିବା ପାଇଁ ଚନ୍ଦ୍ରଶେଖର ପ୍ରସ୍ତାବ ଦେଇଛନ୍ତି। ଶୁକ୍ରବାର ଗିରିଧରଙ୍କ ସହ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଶ୍ରୀ ରାଓ ଆଲୋଚନା କରିଥିବା ବେଳେ ଆଜି ଶିଶିରଙ୍କ ସହ ୩ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ରାଓ ନିଜ କୋର୍ ଟିମ୍ ସହ ଶିଶିରଙ୍କୁ ସାକ୍ଷାତ କରାଇଥିଲେ। ଗିରିଧର, ଶିଶିର ସବୁଜ ସଙ୍କେତ ଦେଲେ ଓଡ଼ିଶା ରାଜନୀତିରେ ଖୁବ୍ ଶୀଘ୍ର ପାଦ ଥାପିବ ବିଆରଏସ୍।
ବିଜେପିରେ କୋଣଠେସା ପରେ ପାର୍ଟି ପରିବର୍ତ୍ତନ ଲକ୍ଷ୍ୟ
ରାଜନୀତି ପାଇଁ ପୁରୁଣା ସଂପର୍କକୁ ଭାଙ୍ଗି ପାରିବୁନି: ଶିଶିର
ସାଧାରଣ ନିର୍ବାଚନ ପାଇଁ ଆଉ ଗୋଟିଏ ବର୍ଷ ବାକିଥିବା ବେଳେ ଏହା ପୂର୍ବରୁ ବିଆରଏସ୍ ନିଜ ଏଜେଣ୍ଡା ଅନୁସାରେ ରଣନୀତି ପ୍ରସ୍ତୁତ କରିଛି। ଦଳର ଟାର୍ଗେଟରେ ରହିଛି ଦକ୍ଷିଣ ଓଡ଼ିଶା। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଜିଲ୍ଲାରେ ତେଲୁଗୁ ଭାଷାଭାଷୀ ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ଫଳରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଶ୍ରୀ ରାଓଙ୍କ ସମେତ ଗିରିଧର ପ୍ରଚାର ମଙ୍ଗ ଧରିଲେ ତେଲୁଗୁ ଭୋଟରଙ୍କ ସମର୍ଥନ ବିଆରଏସ୍କୁ ମିଳିବ ବୋଲି ଆକଳନ କରାଯାଇଛି। ତେବେ ଲାଗି ରହିଥିବା ଚର୍ଚ୍ଚା ସଂପର୍କରେ ଶିଶିର କହିଛନ୍ତି, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଶ୍ରୀ ରାଓ ବାପାଙ୍କର ପୁରୁଣା ବନ୍ଧୁ। ଏଥି ସହିତ ଶ୍ରୀ ରାଓ କେନ୍ଦ୍ର ଶ୍ରମ ମନ୍ତ୍ରୀ ଥିବା ସମୟରେ ମୋତେ ଶ୍ରମ କମିଟିର ସଦସ୍ୟ ଭାବେ ମନୋନୀତ କରିଥିଲେ। ଓଡ଼ିଶାରେ ବିଆରଏସ୍କୁ ଲିଡ୍ କରିବା ପାଇଁ ଶ୍ରୀ ରାଓ ପ୍ରସ୍ତାବ ଦେଇଛନ୍ତି। ଆମେ ବିଆରଏସ୍ରେ ସାମିଲ୍ ହେବୁ କି ନାହିଁ ଅଲଗା କଥା, କିନ୍ତୁ ରାଜନୀତି ପାଇଁ ଆମେ ପୁରୁଣା ସଂପର୍କକୁ ଛାଡ଼ି ପାରିବୁନି ବୋଲି ଶିଶିର କହିଛନ୍ତି।
୨୦୧୫ ମସିହାରେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ୍ ହୋଇଥିଲେ ଗିରିଧର। ବିଜେପି ଯେପରି ଗୁରୁତ୍ବ ଦେବା ବୋଲି ଗିରିଧର ଆଶା କରିଥିଲେ ସେପରି କିଛି ହେଲାନି। ପୁଅ ଶିଶିର ଗମାଙ୍ଗଙ୍କୁ ୨୦୧୯ ନିର୍ବାଚନରେ ଗୁଣପୁର ବିଧାନସଭା ଆସନରେ ପାର୍ଟି ଟିକେଟ୍ ଦେବାରେ ଗିରିଧର ସକ୍ଷମ ହୋଇଥିଲେ ମଧ୍ୟ ଜିତାଇ ପାରିନଥିଲେ। ବିଜେପି ନେତୃମଣ୍ଡଳୀ ମଧ୍ୟ ସହଯୋଗ କରିନଥିବାରୁ ଅଭିମାନ କରିଥିଲେ ଗିରିଧର। ଓଡ଼ିଶା ରାଜନୀତି ସମେତ ଦକ୍ଷିଣ ଓଡ଼ିଶାରେ ଗିରିଧରଙ୍କ ପ୍ରଭାବ ରହିଛି। କୋରାପୁଟ ଲୋକସଭା ଆସନରୁ ଗିରିଧର ୯ଥର ସଂସଦକୁ ନିର୍ବାଚିତ ହେବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ବ ମଧ୍ୟ ତୁଲାଇଛନ୍ତି। ୪ ଦଶନ୍ଧି ଧରି ଅବିଭକ୍ତ କୋରାପୁଟରେ କଂଗ୍ରେସ ସଂଗଠନକୁ ସମ୍ଭାଳିଥିବା ଗିରିଧର ନିଜ ପ୍ରଚେଷ୍ଟାରେ ବିଆରଏସ୍ ସପକ୍ଷରେ କଂଗ୍ରେସ ଭୋଟକୁ ଭାଗ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ବୋଲି ରାଜନୈତିକ ସମୀକ୍ଷକ କହୁଛନ୍ତି।