ଜୟପୁର: ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗଙ୍ଗାମ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ ନେଇ ଚର୍ଚ୍ଚା ଚାଲିଥିବା ବେଳେ ରାଜ୍ୟ ରାଜନୀତିରେ ହଟଚମଟ କରିବା ଭଳି ସୂଚନା ଦେଇଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ଗମାଙ୍ଗ ପରିବାର ସହ ପୂର୍ବତନ ସାଂସଦ ଜୟରାମ ପାଙ୍ଗି ମଧ୍ୟ କଂଗ୍ରେସରେ ସାମିଲ ହେବେ ବୋଲି ଆଜି ଗଣମାଧ୍ୟମକୁ କହିଛନ୍ତି। ସେହିପରି ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସର ସ୍ଥିତି ଏବଂ ଆଗାମୀ ନିର୍ବାଚନର ପ୍ରାର୍ଥୀଙ୍କ ସଂପର୍କରେ ପରୋକ୍ଷରେ ସଂକେତ ଦେଇଛନ୍ତି।
ବାହିନୀପତି କହିଛନ୍ତି, ଗିରିଧର ୯ଥର ସାଂସଦ, ଥରେ ମୁଖ୍ୟମନ୍ତ୍ରୀ, ପିସିସି ସଭାପତି ସହ ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ରହିଥିଲେ। ଗାନ୍ଧୀ ପରିବାର, କୌଣସି ବିଧାୟକ କିମ୍ବା ଜିଲ୍ଲା ସଭାପତିଙ୍କ ବିରୋଧରେ କେବେ କିଛି କହିନାହାନ୍ତି। ତେଣୁ କଂଗ୍ରେସକୁ ଫେରିବାରେ କୌଣସି ସମସ୍ୟା ନାହିଁ। ଏହାରି ମଧ୍ୟରେ ପିସିସି ସଭାପତି ଏବଂ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଉପସ୍ଥିତିରେ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାରଙ୍କୁ ଗିରିଧର ଓ ତାଙ୍କ ପୁଅ ଶିଶିର ଗମାଙ୍ଗ ଭେଟିଛନ୍ତି। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଯାହା ନିର୍ଦ୍ଦେଶ ତାହାକୁ ପାଳନ କରାଯିବ। ଯେଉଁ ଦିନ ହାଇକମାଣ୍ଡ ନିର୍ଦ୍ଦେଶ ଦେବେ ସେହିଦିନ ଗମାଙ୍ଗ ପରିବାର କଂଗ୍ରେସକୁ ଫେରିବେ।
ସେହିପରି ପୁରୁଣା ବନ୍ଧୁ ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ମଧ୍ୟ କଂଗ୍ରେସରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ସହ ଯୋଗାଯୋଗରେ ରହିଛନ୍ତି ବୋଲି ତାରା ପ୍ରକାଶ କରିଛନ୍ତି। ୨୦୧୯ ନିର୍ବାଚନରେ ସପ୍ତଗିରିଙ୍କୁ ସାଂସଦ ପ୍ରାର୍ଥୀ ଭାବେ ସମର୍ଥନ କରିଥିଲେ। ୨୦୨୪ରେ ମଧ୍ୟ ଦଳ ଯାହାକୁ ବି ସାଂସଦ ପ୍ରାର୍ଥୀ କରିବ ତାଙ୍କୁ ସେ ପୂର୍ଣ୍ଣ ସମର୍ଥନ କରିବେ। ଏହାବ୍ୟତୀତ ନବରଙ୍ଗପୁର ସାଂସଦ ପ୍ରାର୍ଥୀଙ୍କ ସଂପର୍କରେ ତାରା ମୁହଁ ଖୋଲିଛନ୍ତି। ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝୀ, ଜିଲ୍ଲା ପରିଷଦ ସଭ୍ୟା ଡ.ଲିପିକା ମାଝୀଙ୍କ ଭଳି ନେତା ଅଛନ୍ତି ବୋଲି ସୂଚାଇଛନ୍ତି। ଗିରିଧର ଏବଂ ଜୟରାମ କଂଗ୍ରେସକୁ ଆସିଲେ ଦଳ ଅଧିକ ମଜଭୁତ ହେବ ବୋଲି ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/giridhar.jpg)