ଧର୍ମଶାଳା : ୫୩ ନମ୍ବର ଜାତୀୟ ରାଜପଥରେ ମା'ଝିଅଙ୍କୁ ଟ୍ରକ୍ ମଡ଼ାଇ ହତ୍ୟା କରିବା ପୂର୍ବର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଡବଲ ମର୍ଡ଼ର ପ୍ରମାଣ ପାଇଁ ଏହା ଏକ ବଳିଷ୍ଠ ପ୍ରମାଣ ହୋଇପାରିବ ବୋଲି କୁହାଯାଇଛି। କୋର୍ଟରେ ଚାର୍ଜସିଟ୍ ଦାଖଲ କରିବା ପୂର୍ବରୁ ଏହି ଭାଇରାଲ ଭିଡିଓ ପୁଲିସ୍ ତଦନ୍ତରେ ବେଶ୍ ସହାୟକ ହେବ ବୋଲି ଜଣାପଡ଼ଛି। ପ୍ରକାଶ ଯେ, ସୁକିନ୍ଦା ଅଞ୍ଚଳର ଅଶୋକ ଚକ୍ରବର୍ତ୍ତିୀଙ୍କ ପତ୍ନୀ ଶ୍ରୀତିକା ଓ ଝିଅ ଲିପିକା ମହାକାଳପଡାରେ ଏକ ଶୁଦ୍ଧିକ୍ରିୟାରେ ଯୋଗଦେଇ ଗତ ୩ତାରିଖରେ ସ୍କୁଟିରେ ଘରକୁ ଫେରୁଥିଲେ। ତେବେ ଆରୁହା ଛକ ପୂର୍ବରୁ ଏକ ଟ୍ରକ୍ ସ୍କୁଟିକୁ ସାଇଡ୍ ମାରିବାକୁ କେନ୍ଦ୍ର କରି ସଂପୃକ୍ତ ଡ୍ରାଇଭର ତୋଟାକଣ ଗ୍ରାମର ଅମର ସ୍ବାଇଁ ସହିତ ସେମାନଙ୍କର ବଚସା ହୋଇଥିଲା।
ପରେ ମା'ଝିଅ ଆରୁହା ଛକ ନିକଟରେ ଟ୍ରକ୍କୁ ଅଟକାଇ ଡ୍ରାଇଭର ସହ ଯୁକ୍ତିତର୍କ କରିବା ସମୟର ଭିଡିଓ ଉତ୍ତୋଳନ ହୋଇଥିଲା। ଯେଉଁ ଭିଡିଓଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯୁକ୍ତିତର୍କ ସମୟରେ ପାଟିତୁଣ୍ତ ଶୁଣି ନିକଟରେ ଥିବା କିଛି ଲୋକ ସେଠାରେ ପହଞ୍ଚି ଘଟଣାର ସମାଧାନ କରି ମା'ଝିଅଙ୍କୁ ସେଠାରୁ ପଠାଇ ଦେଇଥିଲେ। ଏହାର କିଛି ସମୟ ପରେ ସେହି ରାସ୍ତାର ବରଡା ଛକ ନିକଟରେ ଉକ୍ତ ଡ୍ରାଇଭର ମା'ଝିଅଙ୍କ ଉପରେ ଟ୍ରକ୍ ମଡ଼ାଇ ଦେଇଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଜେନାପୁର ଥାନା ପୁଲିସ୍ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରି ପୁଲିସ୍ ଚଣ୍ତିଖୋଲ କୋର୍ଟ ଚାଲାଣ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/15-14.jpg)