ଯୋଜନ ଦୂରରେ ଯୋଜନା, ବାପା ଶବ ଟ୍ରଲିରେ ବୋହିଲେ ଝିଅ

ଭୁବନ: ଢେଙ୍କାନାଳର ଭୁବନରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏହି ଅଂଚଳରେ ଜଣେ ଗରିବ ଦିବ୍ୟାଙ୍ଗଙ୍କ ମୃତ୍ୟୁ ପରେ ତାଙ୍କ ବିବାହିତ କନ୍ୟାମାନେ ଡାକ୍ତରଖାନାରୁ ଶବକୁ ଟ୍ରଲିରେ ଟାଣିଟାଣି ମଶାଣିକୁ ନେଇଛନ୍ତି। ଏହି ଦୃଶ୍ୟ ବୁଦ୍ଧିଜୀବୀ ମହଲରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ମୃତ ଦିବ୍ୟାଙ୍ଗ ହେଉଛନ୍ତି ଭୁବନ ଥାନା ଅଧୀନ କଣପାଳ ପଞ୍ଚାୟତ ନୀଳକଣ୍ଠପୁର ଗ୍ରାମର ଦୈତାରୀ ମଲ୍ଲିକ (୬୦)। ସେ ଅତ୍ୟନ୍ତ ଗରିବ ଲୋକ। ମୂଲ ଲାଗିଲେ ଘରେ ଚୁଲି ଜଳେ। ଗତକାଲି ସେ ପଡ଼ୋଶୀ ପୁରୁଷୋତ୍ତମ ଗାଁକୁ ଚାଷକାମ କରିବା ପାଇଁ ଯାଇଥିଲେ। ଗାଧୋଉଥିବା ସମୟରେ ନଦୀରେ ଭାସି ପ୍ରାଣ ହରାଇଥିଲେ। ଆଜି ତାଙ୍କର ମୃତଦେହ ମିଳିଥିଲା। ଖବର ପାଇ ଅଗ୍ନିଶମ ସଂସ୍ଥାର କର୍ମଚାରୀମାନେ ଶବ ଉଦ୍ଧାର କରି ଭୁବନ ଡାକ୍ତରଖାନା ପଠାଇଥିଲେ। ବ୍ୟବଚ୍ଛେଦ ପରେ ପୁଲିସ ଶବ ହସ୍ତାନ୍ତର କରିଥିଲେ ହେଁ ଝିଅମାନେ ଏହାକୁ ମଶାଣିକୁ ନେବା ପାଇଁ କୌଣସି ଉପାୟ ପାଇ ନଥିଲେ। ଦୁଇବେଳା ଦୁଇମୁଠା ଖାଇବାକୁ ସଂଗ୍ରାମ କରୁଥିବା ଏହି ପରିବାର ପାଇଁ ସ୍ୱତନ୍ତ୍ର ଗାଡ଼ି କରି ଶବ ବୋହିବା ସମ୍ଭବ ହୋଇ ପାରିଲାନାହିଁ। ଫଳରେ ସେମାନେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ମଶାଣି ପର୍ଯ୍ୟନ୍ତ ବାପାଙ୍କ ଶବ ଟ୍ରଲିରେ ଠେଲିଠେଲି ନେବାକୁ ବାଧ୍ୟ ହୋଇଥିଲେ। ପ୍ରକାଶଯୋଗ୍ୟ ଯେ ଶବ ବୋହିବା ଲାଗି ସରକାରଙ୍କ ପକ୍ଷରୁ ଚାଲିଥିବା ‘ମହାପ୍ରୟାଣ’ ଗାଡ଼ି ବ୍ୟବସ୍ଥା କେବଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉପଲବ୍ଧ ହେଉଥିବାରୁ ଏହା ଗାଁଗହଳିର ଗରିବ ଲୋକଙ୍କ କାମରେ ଆସିପାରୁନାହିଁ।, ଏହି ଘଟଣା ହେଉଛି ତାହାର ଏକ ଜ୍ୱଳନ୍ତ ଉଦାହରଣ।

ସମ୍ବନ୍ଧିତ ଖବର