ନୀଳଗିରି: ଓଡ଼ିଶାରେ ଉନ୍ନତ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପଲବ୍ଧ କରାଯାଉଛି ବୋଲି ରାଜ୍ୟ ସରକାର ସବୁବେଳେ ଡେଙ୍ଗୁରା ବଜାଉଛନ୍ତି। ସରକାର ଓଡିଶାବାସୀଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ବେଳେ ଡାକ୍ତରଖାନା ଗୁଡ଼ିକରେ ରୋଗୀମାନଙ୍କୁ ନେବା ଆଣିବା ପାଇଁ ମାଗଣାରେ ୧୦୮ ଆମ୍ବୁଲାନ୍ସ ଓ ଜନନୀ ଏକ୍ସପ୍ରେସ୍‌ର ବ୍ୟବସ୍ଥା କରାଇଛନ୍ତି। ହେଲେ ଏ ସମସ୍ତ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚି ପାରୁ ନଥିବା ଅଭିଯୋଗ ହେଉଛି। ବାଲେଶ୍ବର ଜିଲ୍ଲା ଆଜି ନୀଳଗିରି ଉପଖଣ୍ଡ ଡାକ୍ତରଖାନାରେ ମଧ୍ୟ ଏହା ଫେଲ ମାରିଛି। ଆଧୁନିକ ଯୁଗରେ ଟ୍ରଲିରେ କନ୍ୟା ସନ୍ତାନକୁ ଜନ୍ମ ଦେବା ଭଳି ଏକ କରୁଣ ଚିତ୍ର ସମସ୍ତ ଜନମାନସକୁ ହତବାକ କରିଛି।

Advertisment

ସୂଚନା ଅନୁସାରେ ଜଣେ ପ୍ରସବ ଆସନ୍ନ ମହିଳା ନିଜର ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ପ୍ରଥମେ ୧୦୮ ଆମ୍ବୁଲାନ୍ସ ଫୋନ କରିଥିଲେ। ୧୦୮ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ଘଟିବାରୁ ଶେଷରେ ପରିବାର ଲୋକେ ଏକ ଟ୍ରଲି ରିକ୍ସାରେ ନୀଳଗିରି ଡାକ୍ତରଖାନାକୁ ନେଉଥିଲେ। କିନ୍ତୁ ମହିଳା ଜଣକ ଅଧ ରାସ୍ତାରେ ଟ୍ରଲିରେ ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ। ଏହି ଘଟଣା ସମସ୍ତଙ୍କୁ ଚକିତ କରିଥିବା ବେଳେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ନୀଳଗିରି ଅଧୀନସ୍ଥ ସଜନାଗଡ ପଞ୍ଚାୟତ ଡାହିସାହି ଗ୍ରାମର ହେମନ୍ତ କୁଅଁରର ସ୍ତ୍ରୀ ରଞ୍ଜିତା ଗୋଚ୍ଛାୟତ ଗର୍ଭବତୀ ଥିବା ବେଳେ ରାକ୍ଷୀ ବାନ୍ଧିବା ପାଇଁ ନିଜ ବାପ ଘର ନୀଳଗିରି ଏନଏସି ୮ ନମ୍ବର ୱାର୍ଡର ରାଣୀକୋଠୀ ଗ୍ରାମକୁ ଆସିଥିଲେ। ହେଲେ ଆଜି ସନ୍ଧ୍ୟା ପ୍ରାୟ ୮ ଟା ସମୟରେ ପ୍ରସବ ଯନ୍ତ୍ରଣା ହେବାରୁ ୧୦୮ ଆମ୍ବୁଲାନ୍ସକୁ ଯୋଗଯୋଗ କରାଯାଇଥିଲା ହେଲେ ବିଳମ୍ବ ଘଟିବାରୁ ପରିବାର ଲୋକ ଏକ ଟ୍ରଲି ସାହାଯ୍ୟରେ ରଞ୍ଜିତାଙ୍କୁ ଡାକ୍ତରଖାନା ନିଆଯିବା ବେଳେ ଅଧବାଟରେ ଉକ୍ତ ଟ୍ରଲିରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ପରେ ରଂଜିତା ଓ ଶିଶୁକନ୍ୟାକୁ ନୀଳଗିରି ଡାକ୍ତରଖାନାକୁ ନେଇ ଭର୍ତ୍ତିକରାଯାଇଥିଲା। ରିପୋର୍ଟ ଲେଖାଯିବା ବେଳକୁ ଉଭୟ ମା’ ଓ ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି। ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ନେଇ ସମାଲୋଚନା କରୁଛନ୍ତି।