ଦୋଳି ଖେଳ ହେଲା କାଳ, ଦଉଡ଼ିରେ ଛନ୍ଦି ହୋଇ ଆଉ ଜଣେ ବାଳିକାଙ୍କ ଜୀବନ ଗଲା

ହିଞ୍ଜିଳିକାଟୁ : ଦୋଳି ଖେଳ ହେଲା କାଳ। ଗତକାଲି ନୟାଗଡ଼ ଭଳି ଆଜି ଗଞ୍ଜାମରେ ଅ‌‌ାଉ ଏକ ଅଘଟଣ ଘଟିଛି। ଛିଣ୍ଡା ଦଉଡ଼ିରେ ଛନ୍ଦି ହୋଇ ଜଣେ କୋମଳମତି ବାଳିକାର ଜୀବନ ଯାଇଛି। ମୃତ ବାଳିକା ହେଉଛନ୍ତି, ଅରୁଣ ମହାନ୍ତିଙ୍କ ୧୦ ବର୍ଷର ଝିଅ ଅର୍ପିତା। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସହର ମୋହନ କଲୋନି ଚତୁର୍ଥ ଲେନ୍‌ରେ ଘଟିଥିବା ଏହି ଅଘଟଣ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ରଜ ପର୍ବଠାରୁ ଘରେ ବନ୍ଧା ହୋଇଥିଲା ଦୋଳି। ଦୋଳିରେ ଅର୍ପିତା ଆଜି ଖେଳୁଥିଲେ। ଏ ସମୟରେ ଦୋଳିର ରଶି ଛିଣ୍ଡିଯାଇ ବେକରେ ଗୁଡ଼ାଇ ହୋଇଯିବାରୁ ସେ ଝୁଲି ହୋଇ ରହି ଯାଇଥିଲେ। ସଂଗେ ସଂଗେ ପରିବାର ଲୋକେ ଅର୍ପିତାଙ୍କୁ ‌ହିଞ୍ଜିଳିକାଟୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ବି ଡାକ୍ତର ମୃତ ଘୋଷଣା କରିଥିଲେ। କାନ୍ଦବୋବାଳିରେ ଫାଟି ପଡ଼ିଥିଲା ଡାକ୍ତରଖାନା ପରିସର। ହିଞ୍ଜିଳିକାଟୁ ପୁଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଇଛି। ଏ ନେଇ କେସ ନମ୍ବର ୧୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର