ମା’ ପରେ ଆଖି ବୁଜିଲା ଝିଅ

ବାପା ବି ଗୁରୁତର, ଥାନାରେ ହତ୍ୟା ଅଭିଯୋଗ

କଳାବାଡ଼ିଆ : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଜଗନ୍ନାଥଖୁଣ୍ଟା ଆଖଡ଼ାଶାଳରେ ଗତକାଲି ଘରପୋଡ଼ିରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ବୀଣା ସିଂ (୨୬)। ତାଙ୍କ ସହ ପୋଡ଼ି ହୋଇଯାଇଥିବା ତାଙ୍କର ୭ ବର୍ଷର ଶିଶୁକନ୍ୟା ଚୁମକିର ମଧ୍ୟ ବିଳମ୍ବିତ ରାତ୍ରିରେ ବାରିପଦାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ତେବେ ବାପା ବାବୁ ସିଂ ରାତିସାରା ମିଳିନଥିଲେ। ଆଜି ସକାଳେ ନିକଟସ୍ଥ ଏକ ଘର ଓଳି ତଳେ ବେହୋସ ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କୁ ବାରିପଦା ପିଆର୍‌ଏମ୍‌ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିବା ସୂଚନା ମିଳିଛି। ଏହି ହୃଦୟ ବିଦାରକ ଅଗ୍ନିକାଣ୍ଡରୁ ବାବୁ ନାଏକଙ୍କ ଆଉ ୨ ସନ୍ତାନ ୫ ବର୍ଷର ଝିଅ ଓ ୩ ବର୍ଷର ପୁଅ ସୁରକ୍ଷିତ ଅଛନ୍ତି।

ଅପରପକ୍ଷେ ଏହି ଅଗ୍ନିକାଣ୍ଡ ନେଇ ବାବୁ ନାଏକଙ୍କ ବିରୋଧରେ ତାଙ୍କ ଶଶୁରଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ସେ ନିଅାଁ ଲଗାଇ ପତ୍ନୀଙ୍କୁ ମାରିଦେଇଥିବା ନେଇ ତାଙ୍କ ଶାଶୂ ଦୁଲି ସିଂ, ଶଳା ଅଜୟ ସିଂ ବାଙ୍ଗିରିପୋଷି ଥାନାରେ ଏତଲା ଦେଇଛନ୍ତି। ଏନେଇ ପୁଲିସ ୧୦୩/୧୭ରେ ମାମଲା ରୁଜୁ କରିଛି। ଥାନା ଅଧିକାରୀ ରୀନା ବେହେରା ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର