କଟକ: ସ୍କୁଲ ପରିସରରେ ଖୋଳା ଯାଇଥିବା ଗାତରେ ପଡି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ପ୍ରସଂଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ ଦୁଇ ପୀଡିତ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନ ହେବ ତା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ସେଥି ପାଇଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଜାରି ନିୟମାବଳୀର କଡ଼ାକଡ଼ି ପାଳନ ପାଇଁ ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଛୋଟ ପିଲାମାନେ ସମ୍ମୁଖୀନ ହେଉଥିବା ମରଣାନ୍ତକ ଦୁର୍ଘଟଣା ରୋକିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ସଂପର୍କିତ ମାମଲାରେ ସୁପ୍ରିମକୋର୍ଟ ବୋର୍ ୱେଲ୍, ଟ୍ୟୁବ୍ ୱେଲ୍ ଖୋଳା ଯାଉଥିବା ସ୍ଥାନରେ ବ୍ୟାପକ ପ୍ରତିଷେଧକମୂଳକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଭଳି ସ୍ଥାନକୁ ଚାରି ପଟୁ ବାଡ ବୁଜି ରଖାଯିବା ସହିତ ସ୍ପଷ୍ଟ ସୂଚନା ଜାରି କରାଯିବା ଉପରେ ସୁପ୍ରିମକୋର୍ଟ ଗୁରୁତ୍ବାରୋପ କରିଥିଲେ।

Advertisment

ବୋର୍ ୱେଲ, ଟ୍ୟୁବ୍ ୱେଲ ଖୋଳାଯାଉଥିବା ସ୍ଥାନ ସହିତ ଶିଶୁମାନେ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ଥିବା ସମ୍ଭାବ୍ୟ ନିର୍ମାଣସ୍ଥଳ ଓ ଅନ୍ୟ ସ୍ଥାନ ଗୁଡିକରେ ମଧ୍ୟ ସୁପ୍ରିମକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଥିବା ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟଙ୍କ ଏ ସଂପର୍କିତ ନିୟମାବଳୀ ପାଳନ ସୁନିଶ୍ଚିତ କରିବା ପାଇଁ ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ହାଇକୋର୍ଟଙ୍କ ଏହି ରାୟ ସଂକ୍ରାନ୍ତରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ଅବଗତ କରାଯିବ। ପ୍ରାଣ ହରାଇଥିବା ଦୁଇ ଶିଶୁଙ୍କ ବାପାମାନେ ହାଇକୋର୍ଟରେ ଆବେଦନକାରୀ ହୋଇଥିବା ବେଳେ ଉଭୟଙ୍କୁ ୪ ସପ୍ତାହ ଭିତରେ ଜିଲ୍ଲା ପ୍ରଶାସନ ୧୦ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରିବ। ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ଏହି ରାୟର କପି ଅନୁଗୋଳ ଜିଲ୍ଲାପାଳଙ୍କୁ ପଠାଯିବ। କ୍ଷତିପୂରଣ ରାଶି ପ୍ରଦାନ ସଂପର୍କତ କଂପ୍ଲାଏନ୍ସ ଅଫିଡେଭିଟ ନଭେମ୍ବର ୧ ତାରିଖ ସୁଦ୍ଧା ହାଇକୋର୍ଟରେ ଦାଖଲ କରାଯିବ। ଯଦି ଏହି ନିର୍ଦ୍ଦେଶ ପାଳନ କରା ନ ଯାଏ ତେବେ ଉପଯୁକ୍ତ ନିର୍ଦ୍ଦେଶ ପ୍ରଦାନ ପାଇଁ ମାମଲା ଶୁଣାଣି ଲାଗି ତାଲିକାଭୁକ୍ତ କରାଯିବ। ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରିକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଜମ୍ବେଶ୍ବର ନାୟକ ଓ ପୀତବାସ ଦାସଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୨, ସେପ୍ଟେମ୍ବର ୭ରେ ଅନୁଗୋଳ ଜିଲ୍ଲା ବଁରପାଳ ବ୍ଲକ୍ ଅନ୍ତର୍ଗତ ତେନ୍ତୁଳିହତା ପ୍ରେଜେକ୍ଟ ୟୁପି ସ୍କୁଲ ପରିିସରରରୁ ଜମ୍ବେଶ୍ବରଙ୍କ ଝିଅ ଓ ପୀତବାସଙ୍କ ଝିଅର ଶବ ଉଦ୍ଧାର କରାଯାଇଥିଲା। ଦୁଇ ଚାରି ବର୍ଷୀୟା ଶିଶୁ କନ୍ୟା ସ୍କୁଲ ପରିସରରେ ଚାଲୁଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ଆଉ ଘରକୁ ଫେରି ନଥିଲେ। ଖୋଜା ଖୋଜି ପରେ ସ୍କୁଲ ପରିସରରେ ନୂତନ ଶ୍ରେୀଣୀଗୃହ ନିର୍ମାଣ ପାଇଁ ଖୋଳା ଯାଇଥିବା ଗାତରେ ଜମି ଥିବା ପାଣିରୁ ଦୁଇ ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇଥିଲା। ନିର୍ମାଣ ପାଇଁ ଖୋଳା ଯାଇଥିବା ସ୍ଥାନରେ ସାଢେ ଚାରିଫୁଟର ଜଳସ୍ତର ଥିଲା। ଏହି ପାଣିରେ ବୁଡ଼ି ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଥିଲା। ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ସ୍ଥାନକୁ ଏଭଳି ଖୋଲା ଛାଡିବା ଦ୍ବାରା ଦୁଇ ଶିଶୁ କନ୍ୟାଙ୍କ ଜୀବନ ଯାଇଥିଲା। ଏହି ଘଟଣାରେ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ପୀଡିତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରସଂଗ ନେଇ ୨୦୧୨ରେ ଦୁଇ ପୀଡିତା କନ୍ୟାଙ୍କ ବାପା ଜମ୍ବେଶ୍ବର ଓ ପୀତବାସ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ମାନବାଧିକାର କର୍ମୀ ଆଇନଜୀବୀ ପ୍ରବୀର କୁମାର ଦାସ ମାମଲା ପରିଚାଳନା କରୁଥିଲେ।