ଅନୁଗୁଳ ହସ୍ପିଟାଲରେ କୁନି ଝିଅର ଆଖି ଗାଏବ ଘଟଣା : ଆଖି ଗଲା କୁଆଡେ ? ଘଟଣା ଯେତିକି ରହସ୍ୟମୟ ହେଉଛି ସେତିକି ସନ୍ଦେହ ମଧ୍ୟ ଆଣୁଛି

ଅନୁଗୁଳ : କୁନି ଝିଅକୁ ଧରି ହସ୍ପିଟାଲ ଆସିଥିଲେ। ଆଶା କରିଥିଲେ ଚିକିତ୍ସା ସାରି ଘରକୁ ଫେରିଯିବେ। ହେଲେ ଦଇବର ବିଧାନ ଥିଲା କିଛି ଅଲଗା। ଭଲ ହୋଇ ସାରା ଦୁନିଆ ଦେଖିବା ଆଗରୁ ସବୁ ଦିନ ପାଇଁ ଆଖିବୁଜି ଦେଲା ୪ ବର୍ଷର ପ୍ରୀତି। ହସ୍ପିଟାଲ କର୍ତ୍ତୃପକ୍ଷ କହିଲେ ପୋଷ୍ଟମର୍ଟମ୍ ନହେଲେ ଶବ ଛାଡ଼ି ହେବ ନାହିଁ। ବାଧ୍ୟ ହୋଇ ରାତିରେ ଶବଗୃହରେ ରଖିଲେ ଗେହ୍ଲା ଝିଅର ମୃତଦେହକୁ । ହେଲେ ପରଦିନ ଶବଗୃହରୁ ମୃତଦେହ ବାହାରିଲା ବେଳକୁ କୁନି ଝିଅର ଆଖି ଦୁଇଟି ଗାଏବ ହୋଇଯାଇଥିଲା। ଅନୁଗୁଳ ହସ୍ପିଟାଲର ଏହି ଘଟଣା ପରେ ଝିଅର ଆଖି ଗଲା କୁଆଡେ ଗଲା ବୋଲି ପ୍ରଶ୍ନ ପଚାରି ପଚାରି ନୟାନ୍ତ ହୋଇ ପଡିଲେଣି ପରିବାର ଲୋକେ।

ଶବଗୃହରୁ ଶବର ଆଖି ଗାଏବ୍ ହୋଇଯିବା ପରେ ପରିବାର ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ । କାରଣ, ଗୋଟିଏ ରାତି ଭିତରେ ଏମିତି କ’ଣ ଘଟଣା ଘଟିଲା ଯେ, କୁନି ଝିଅର ଆଖି ଅଚାନକ୍ ଉଭାନ୍ ହୋଇଗଲା । ଆଖି ତଡା ଘଟଣା ହଇଚଇ ସୃଷ୍ଟି କରିବା ପରେ କାରଣ ଖୋଜିବାକୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ପହଂଚିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ । ତେବେ ଆଖି ତଡା ଘଟଣାକୁ ସେ ଅସ୍ୱୀକାର କରିବାଥିବା ବେଳେ ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଘଟଣାରେ ଦୋଷୀଙ୍କୁ ଚିହ୍ନଟ କରି ଦଣ୍ଡ ଦେବାକୁ ଦାବି କରିଛନ୍ତି ମୃତ ଶିଶୁଙ୍କ ସଂପର୍କିୟ ।

ଗୋଟିଏ ରାତିରେ ଏମିତି ଏକ ଘଟଣା ପରେ ମନରେ ପ୍ରଶ୍ନ ଆସୁଛି ଯେ ଆଖି ଗାଏବ ଘଟଣାର ପ୍ରକୃତ କାରଣ କଣ ହୋଇପାରେ । ତେବେ ଘଟଣା ପଛର କିଛି ଆଶଙ୍କା ଥାଇପାରେ ବୋଲି ଅନୁମାନ କରିହେଉଛି ।

ଆଶଙ୍କା ନମ୍ବର-୧
କୁନି ଶିଶୁର ଆଖି ଓଲଟି ଯାଇଥାଇପାରେ । ଅର୍ଥାତ୍ ଆଖିର କଳା ଅଂଶଟି ଭିତରକୁ ଚାଲି ଯାଇଥାଇପାରେ।

ଆଶଙ୍କା ନମ୍ବର-୨
କୌଣସି ମୂଷା, ଚୁଚୁନ୍ଦ୍ରା ଭଳି ଜନ୍ତୁ ଆଖିକୁ ନଷ୍ଟ କରି ଦେଇ ଥାଇପାରନ୍ତି।

ଆଶଙ୍କା ନମ୍ବର-୩
ଶବଗୃହରେ ପଶି କୁନି ଝିଅର ଆଖି ତାଡ଼ି ନେଇଛନ୍ତି କି ଦୁର୍ବୃତ୍ତ ?

ଆଶଙ୍କା ନମ୍ବର-୪
ରହିଛି କି ଅଙ୍ଗପ୍ରତ୍ୟକ୍ଷ ଚୋରାଚାଲାଣ ର‌୍ୟାକେଟର ହାତ ?

ତେବେ ଏ ସଂପର୍କରେ କିଛି ଡାକ୍ତରଙ୍କ କହିବାର କଥା ହେଉଛି କିଛି କ୍ଷେତ୍ରରେ ଆଖି ଭିତରକୁ ଚାଲିଯାଇଥାଏ। ତେବେ ମୂଷା ନଷ୍ଟ କରିବା ନେଇ ଯେଉଁ କିଛି ଲୋକ ମତ ଦେଉଛନ୍ତି, ତାହା ସମ୍ଭବ ନୁହେଁ କାରଣ ଫ୍ରିଜର ଭିତରକୁ ମୂଷା ଯିବ କେମିତି? ଆଉ ଆଖି ତାଡି ନେବା ଆଶଙ୍କାକୁ ବି ଏଡାଇ ଦିଆଯାଇନପାରେ। କାରଣ ମୃତଦେହରୁ କେବଳ ଆଖି ଉଭାନ ହୋଇନି, ବରଂ ନାକ ଓ ମୁହଁରେ କ୍ଷତ ଚିହ୍ନ ବି ରହିଛି।

ଅନୁଗୁଳରେ ଆଖି ତଡା ଘଟଣା ଯେତିକି ରହସ୍ୟମୟ ହେଉଛି ସେତିକି ସନ୍ଦେହ ମଧ୍ୟ ଆଣୁଛି। ତେବେ ରହସ୍ୟ ଉପରୁ କେବେ ପରଦା ହଟୁଛି ତାହା ଉପରେ ନଜର ରହିଛି।

ସମ୍ବନ୍ଧିତ ଖବର