ନିଖୋଜ ଶିଶୁକନ୍ୟା ମୃତ, ପଡ଼ୋଶୀ ଘର ବାକ୍ସରୁ ମିଳିଲା ଶବ, ଧରୁଆଡିହି ଗୁମୁଡ଼ା ଗାଁରେ ଉତ୍ତେଜନା
ଗୁଣିଗାରେଡ଼ି ସନ୍ଦେହ, ମହିଳା ଅଟକ
ସୁନ୍ଦରଗଡ଼/ବାମରା/ଗଡ଼ପୋଷ : ଅଙ୍ଗନବାଡ଼ି କେନ୍ଦ୍ରରୁ ଫେରିବା ପରେ ଘରେ ମା’ ହାତରୁ ଗଣ୍ଡେ ଖାଇ ଦାଣ୍ଡକୁ ଖେଳିବାକୁ ଚାଲି ଯାଇଥିଲା କୁନି ଝିଅ। ଜଲ୍ଦି ଆସିବ ବୋଲି ମା’କୁ କହି ଯାଇଥିଲା। ହେଲେ ଅପରାହ୍ନ ୨ଟାରେ ଯାଇଥିବା ଝିଅ ୪ଟା ପରେ ବି ନଫେରିବାରୁ ମା’ ମନକୁ ପାପ ଛୁଇଁଥିଲା। ବିକଳରେ ସେ ଓ ପରିବାର ଲୋକେ ବହୁ ସମୟ ଖୋଜିବା ପରେ ମିଳିଲା ଝିଅ। କିନ୍ତୁ ଯେଉଁ ଅବସ୍ଥାରେ ସିଏ ଠାବ ହେଲା, ତାକୁ ଦେଖି ପୂରା ଗାଁ ସ୍ତବ୍ଧ ହୋଇଗଲା। ପଡ଼ୋଶୀ ଘର ଭିତରେ ଏକ ବନ୍ଦ ବାକ୍ସରେ ଥିଲା ଶିଶୁକନ୍ୟା । କିନ୍ତୁ ଏହି ଟିକି ଦେହରେ ଆଉ ଜୀବନ ନ ଥିଲା। ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ଧରୁଆଡିହି ଥାନା କୁଲଟା ନିକଟ ଗୁମୁଡ଼ା ଗାଁରେ। ଏହି ଘଟଣାକୁ ନେଇ ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଶିଶୁକନ୍ୟାକୁ ହତ୍ୟା କରିଥିବା ସଂଦେହରେ ସଂପୃକ୍ତ ମହିଳାଙ୍କ ଘରେ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇବାକୁ ଉଦ୍ୟମ କରିଛନ୍ତି। କିନ୍ତୁ ପୁଲିସ ବୁଝାସୁଝା କରି ଏଥିରୁ କ୍ଷାନ୍ତ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଇନ୍ଦ୍ରମଣି ସା’ଙ୍କ ସାଢ଼େ ୪ ବର୍ଷର ଝିଅ ପୁନମର ମୃତଦେହ ପଡ଼ୋଶୀ ଘରୁ ଏକ ବନ୍ଦ ଟିଣ ବାକ୍ସରୁ ଉଦ୍ଧାର ହେବା ପରେ କାଳେ ଝିଅ ବଞ୍ଚିଥିବ ଭାବି ତୁରନ୍ତ ତାକୁ ବାମରା ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପଡ଼ୋଶୀ ମହିଳା ହିଁ ଗୁଣିଗାରେଡ଼ି ପାଇଁ ଏହି ନିଷ୍ପାପ ଶିଶୁକୁ ହତ୍ୟା କରିବା ପରେ ବାକ୍ସରେ ଭର୍ତ୍ତି କରିଥିବା ପରିବାର ଲୋକେ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଇନ୍ଦ୍ରମଣିଙ୍କ ଏକମାତ୍ର ଝିଅର ଏପରି ହତ୍ୟାକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ବରୁ ସମ୍ପୃକ୍ତ ମହିଳା ଗୁଣିଗାରେଡ଼ି କରୁଥିବା ଲୋକଙ୍କ ମନରେ ଧାରଣା ଥିଲା। ତେଣୁ ତା’ ଉପରେ ସମସ୍ତଙ୍କ ସନ୍ଦେହ କେନ୍ଦ୍ରୀଭୂତ ହୋଇଛି। ଧରୁଆଡିହି ପୁଲିସ ବହୁ ବିଳମ୍ବରେ ପହଞ୍ଚି ବୁଝାସୁଝା କରିଥିଲେ ବି ଅଟକ ଗାଁ ଲୋକେ ମହିଳାଙ୍କୁ ଛାଡ଼ୁ ନାହାନ୍ତି, ମହିଳାଙ୍କୁ ଗାଁରେ ହିଁ ଶାସ୍ତି ଦିଆଯିବ ବୋଲି ଉତ୍ତ୍ୟକ୍ତ ଲୋକେ ଜିଦ୍ ଧରିଥିବା ସୂଚନା ମିଳିଛି।