ନରପିଶାଚର ନାରକୀୟ କାଣ୍ଡ: ଶିଶୁ କନ୍ୟାକୁ ହାଣିଲା, କଟାମୁଣ୍ଡ ଧରି ବୁଲିଲା

ଜମନକିରା : ଜୀବନ କ’ଣ ଜାଣିନଥିବା ଏକ ଶିଶୁକନ୍ୟା ଶୌଚ ହେବାକୁ ଯାଇଥିବାବେଳେ ଜ‌ଣେ ଦୁର୍ବୃତ୍ତ ତାକୁ ଗୋଡ଼ାଇଗୋଡ଼ାଇ ହାଣିଲା। ଗଣ୍ଡିରୁ ମୁଣ୍ଡକୁ ବି ଅଲଗା କରିଦେଲା। ପୁଣି ସେହି ନରପିଶାଚ ସେହି ମୁଣ୍ଡକୁ ଧରି ଗାଁଦାଣ୍ଡରେ ବୁଲିଲା। ଗୋଟିଏ ହାତରେ ରକ୍ତଧାର ବୋହି ଯାଉଥିବା ଫାର୍ସା ଏବଂ ଅନ୍ୟ ହାତରେ ଗାମୁଛାରେ ଗୁଡ଼ା ହୋଇଥିଲା ମୁଣ୍ଡ। ଏପରି ଭୟଙ୍କର ଦୃଶ୍ୟ କୌଣସି ସଭ୍ୟ ସମାଜରେ ବି ଗ୍ରହଣୀୟ ନୁହେଁ। ଶୁକ୍ରବାର ସକାଳେ ଏମିତି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଜମନକିରା ଥାନା କସଡ଼ା ଗ୍ରାମରେ ।

ଏହି ନିରୀହ ଶିଶୁ ହେଉଛି, ତୃତୀୟ ଶ୍ରେଣୀରେ ପଢ଼ୁଥିବା ନବ କିଶୋର ଧୁରୁଆଙ୍କ ଝିଅ ପ୍ରଜାଲିନ୍‌ (୮ବର୍ଷ)। ପ୍ରଜାଲିନ୍‌ ଆଜି ସକାଳେ ଉଠିବା ପରେ ଘର ପଛପଟେ ଥିବା ଚାଷଜମିକୁ ଶୌଚ ହେବାକୁ ଯାଇଥିଲା। ଏହି ସମୟରେ ସେଠାରେ ଥିବା ଏକ ପୋଖରୀ ନିକଟରେ ଫାର୍ସା ଧରି ଛକି ରହିଥିଲା ସେହି ଗ୍ରାମର ପ୍ରଶାନ୍ତ ବଗାର (୩୫ବର୍ଷ) । ପ୍ରଜାଲିନ୍‌କୁ ଏକା ପାଇ‌ ସେ ଫାର୍ସା ଧରି ଗୋଡ଼ାଇଥିଲା। ‌ପ୍ରଶାନ୍ତର ଭୟଙ୍କର ରୂପ ଦେଖି ଭୟଭୀତ ପ୍ରଜାଲିନ୍‌ ଜୀବନ ବିକଳରେ ଦୌଡ଼ି ପଳାଇ ଆସିବାକୁ ଚେଷ୍ଟା କରିଥିଲା। ହେଲେ, ନିଶାସକ୍ତ ନରପିଶାଚ ପ୍ରଶାନ୍ତର ବଳ ଓ ଶକ୍ତି ଆଗରେ ହାର୍‌ ମାନିଥିଲା ସେ। ତଳେ ପଡ଼ିଯିବା ପରେ ବିଲ ମଧ୍ୟରେ ଫାର୍ସାରେ ‌ଚୋଟପରେ ଚୋଟ ମାରି ମୁଣ୍ଡରୁ ଗଣ୍ଡି ଅଲଗା କରିଦେଇଥିଲା। ଏହାପରେ ବି ତାର ରାଗ ଶାନ୍ତ ହୋଇ ନଥିଲା। ଗୋଟିଏ ହାତରେ ରକ୍ତାକ୍ତ ଫାର୍ସା ଓ ଅନ୍ୟ ହାତରେ କଟାମୁଣ୍ଡକୁ ଗାମୁଛାରେ ଧରି ଗାଁ ଦାଣ୍ଡକୁ ଆସିଥିଲା। ଏପରି ଦୃଶ୍ୟ ଦେଖି କିଛି ଲୋକ ତାକୁ କାବୁ କରବାକୁ ବି ଚେଷ୍ଟା କରଥିଲେ। ହେଲେ ସେ ସମସ୍ତଙ୍କୁ ଧମକ ଦେଇଥିଲା। ଯିଏ ବି ତାକୁ ଧରିବାକୁ ଚେଷ୍ଟା କରିବ, ତା’ର ଅବସ୍ଥା ମଧ୍ୟ ସମାନ ହେବ ବୋଲି ଧମକ ଦେଇଥିଲା। ଫଳରେ ଗ୍ରାମବାସୀ ଭୟରେ ଘରେ ପଶି ତାଟିକବାଟ ଦେଇ ଦେଇଥିଲେ। ପୂରା ଗାଁ ଏ ଦୃଶ୍ୟ ଦେଖୁଥିଲେ ମଧ୍ୟ କେହି କିଛି କରିପାରୁ ନଥିଲେ। ପରେ ପ୍ରଶାନ୍ତ ଏକ ନଳକୂପ ନିକଟରେ ଗାମୁଛାରେ ବନ୍ଧା ହୋଇଥିବା ପ୍ରଜାଲିନ୍‌ର କଟାମୁଣ୍ଡକୁ ଧୋଇଥିଲା। ଖବର ପାଇ ଜମନକିରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାକୁ କୌଶଳରେ କାବୁ କରି ନେଇଥିଲା। ପୁଲିସ ହତ୍ୟାରେ ବ୍ୟବହୃତ ହୋଇଥିବା ଫାର୍ସାକୁ ଜବତ କରିବା ସହିତ ପ୍ରଜାଲିନର ମୃତଦେହର ବ୍ୟବଚ୍ଛେଦ ନିମନ୍ତେ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛି। ଅନ୍ୟପକ୍ଷରେ, ପ୍ରଶାନ୍ତକୁ ଥାନାରେ ଅଟକ ରଖାଯାଇଥିବା ଜମନକିରା ଥାନା ଅଧିକାରୀ ପ୍ରେମଜିତ ଦାସ କହିଛନ୍ତି।

ନବକିଶୋରଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ପ୍ରଜାଲିନ ହେଉଛି ସାନ। ସେ ନିକଟସ୍ଥ କସଡ଼ା ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପଢ଼ୁଥିଲା। ତାଙ୍କ ପରିବାର ଓ ପ୍ରଶାନ୍ତ ପରିବାର ମଧ୍ୟରେ କୌଣସି ଶତ୍ରୁତା ନଥିବା ମଧ୍ୟ ଗାଁ ଲୋକ କହିଛନ୍ତି। ତେବେ କ’ଣ ପାଇ ସେ ଏପରି କାଣ୍ଡ କଲା ସେ ବାବଦରେ କେହି କିଛି କହିପାରୁ ନଥିଲେ। ଅନ୍ୟପକ୍ଷରେ ପ୍ରଶାନ୍ତ ୩ ମାସ ହେଲା ନିଶା ସେବନ କରିବା ଛାଡ଼ି ଦେଇଥିଲା। କିଛି କାମ ଧନ୍ଦା ମଧ୍ୟ କରୁ ନଥିଲା। ତା’ର ଦୁଇ ଝିଅ ଅଛନ୍ତି। ପରିବାର ଚଳାଇବା ନେଇ ପତ୍ନୀଙ୍କ ସହିତ ବିଭିନ୍ନ ସମୟରେ ପାଟିତୁଣ୍ଡ ହୋଇଥାଏ। ୩ ଦିନ ତଳେ ମଧ୍ୟ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାକୁ ନେଇ ପ୍ରଶାନ୍ତ ମାନସିକ ଦୁଶ୍ଚିନ୍ତାରେ ଥିଲା ବୋଲି କିଛି ଗ୍ରାମବାସୀ କହିଛନ୍ତି। ଅନ୍ୟପକ୍ଷରେ ତା’ର ମା’ ଗତକାଲି ଭତ୍ତା ପାଇଥିଲେ। ସେହି ଭତ୍ତା ଟଙ୍କାରେ ପୁଣି ନିଶା ସେବନ କରି ଏପରି ବୀଭତ୍ସ କାଣ୍ଡ ଘଟାଇଥିବା ବି କୁହାଯାଉଛି।

ସମ୍ବନ୍ଧିତ ଖବର