୪୦ ଫୁଟ୍‌ କୂଅରୁ ଉଦ୍ଧାର ହେଲା ଶିଶୁକନ୍ୟା

ରଖେ ହରି ମାରେ କିଏ?

ଚମ୍ପୁଆ : ରଖେ ହରି ମାରେ କିଏ? ଏହା ଆଜି ପ୍ରମାଣିତ ହୋଇଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ କୋଦଗାଡିଆ ଗ୍ରାମର କୃଷ୍ଣଚନ୍ଦ୍ର ନାଏକଙ୍କ ୩ ବର୍ଷିୟା ଭାଣିଜୀ କୁନି ନାଏକ (୩)ଙ୍କ କ୍ଷେତ୍ରରେ। ୪୦ ଫୁଟ୍‌ ଗଭୀର କୂଅ ଭିତରେ ପଡିବା ସତ୍ତ୍ୱେ ଅକ୍ଷତ ଅବସ୍ଥାରେ ଉଦ୍ଧାର ପାଇଛି ଏହି କୁନିଝିଅ।

ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲ୍ଲା ସୁନାପଶି ଗ୍ରାମର ଗୁରୁଚରଣ ନାଏକଙ୍କ ୩ ବର୍ଷର ଝିଅ କୁନି ମାମୁ କୃଷ୍ଣଚନ୍ଦ୍ରଙ୍କ ଘରେ ରହୁଛି। ଆଜି ଅପରାହ୍ନରେ କୁନି ଘର ପାଖରେ ଖେଳୁଥିବା ବେଳେ ୪୦ ଫୁଟ୍‌ ଗଭୀର କୂଅ ଭିତରେ ପଡି ଯାଇଥିଲା। ଏହି ଘଟଣା ଜଣାପଡିବା ପରେ ଗାଁ’ରେ ହଇଚଇ ଖେଳି ଯାଇଥିଲା। ଖବର ପାଇ ଚମ୍ପୁଆ ଥାନା ଅଧିକାରୀ ସୁମିତ ସୋରେନ ଗାଁ’ରେ ପହଞ୍ଚିିଥିଲେ। ଅଗ୍ନିଶମ ବିଭାଗକୁ ଅପେକ୍ଷା ନ କରି ଗାଁ’ର ସାହସୀ ଯୁବକ କିଶାନ ନାଏକ ତତ୍‌କ୍ଷଣାତ୍‌ କୂଅ ଭିତରେ ପଶି କୁନିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ। ଏହି ଦୁଃସାହସିକ କାର୍ଯ୍ୟ ପାଇଁ କିଶାନଙ୍କୁ ଭୂରିଭୂରି ପ୍ରଶଂସା କରାଯାଇଥିବା ବେଳେ ତାଙ୍କୁ ସାହାସିକତା ପୁରସ୍କାର ଦେବା ନିମନ୍ତେ ଗ୍ରାମବାସୀ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର